ଏବେ ବଙ୍ଗଳା ସିନେମା ଓ ହିନ୍ଦୀ ୱେବ୍‌ ସିରିଜ୍‌ରେ ମନୋନିବେଶ କରିଛନ୍ତି ରାଇମା

ମୁମ୍ବାଇ:  ବେଳେ ବେଳେ ଅନେକ କଳାକାରଙ୍କର କୌଣସି ଅଭିନୟ ପୃଷ୍ଠଭୂମି ନଥାଇ ମଧ୍ୟ ଈଶ୍ବରପ୍ରଦତ୍ତ ଗୁଣ ହିଁ ତାଙ୍କୁ ପ୍ରତିଷ୍ଠିତ କରିଥାଏ। ଅପରପକ୍ଷେ, କିଛି କଳାକାର ମଧ୍ୟ ପାରିବାରିକ ଉତ୍ତରଦାନକୁ ଠିକ୍‌ରେ ଆଗେଇ ନେବାରେ ସମର୍ଥ ହୋଇଥା’ନ୍ତି। ଅଭିନେତ୍ରୀ ରାଇମା ସେନ(ଦେବ ବର୍ମା) ହେଉଛନ୍ତି ସେଭଳି ଜଣେ କଳାକାର ଯିଏ ପାରିବାରିକ ଉତ୍ତରଦାନର ସଦୁପଯୋଗ କରିପାରିଛନ୍ତି। ବଙ୍ଗାଳୀ ସିନେମାର ମହାନାୟିକା ଭାବେ ପରିଚିତ ସୁଚିତ୍ରା ସେନଙ୍କ ନାତୁଣୀ ତଥା ଅଭିନେତ୍ରୀ ମୁନ୍‌ମୁନ୍‌ ସେନଙ୍କ ସୁଦୁହିତା ହେବାର ସୌଭାଗ୍ୟ ରାଇମାଙ୍କୁ ସିନେ ଦୁନିଆରେ ଏକ ପରିଚିତ ମୁହଁ ହେବାରେ ଖୋରାକ ଯୋଗାଇଛି।

କୌଣସି ତଥାକଥିତ ସମ୍ମାନ ବା ପୁରସ୍କାର ହାତେଇ ପାରିନଥିଲେ ବି ରାଇମା ଅଦ୍ୟାବଧି ହିନ୍ଦୀ, ବଙ୍ଗାଳୀ, ତେଲୁଗୁ , ମାଲାୟାଲୀ ଓ ଇଂରାଜୀ ଭାଷାରେ ସତୁରି ସରିକି ସିନେମା ଓ ଦଶଟି ୱେବ୍‌ ଧାରାବାହିକରେ ଅଭିନୟ କରି ଆଶାନୁରୂପ ଦର୍ଶକୀୟ ସ୍ବୀକୃତି ହାସଲ କରିପାରିଛନ୍ତି। କୋଲକାତା ସହରରେ ୧୯୭୯ ନଭେମ୍ବର ୭ ତାରିଖରେ ଏକ ରାଜ ପରିବାରରେ ଜନ୍ମିତ ହୋଇ ମୁମ୍ବାଇ ସହରରେ ପ୍ରତିପାଳିତ ହୋଇଥିବା ରାଇମା ଶିକ୍ଷାରେ ସ୍ନାତକ ଡିଗ୍ରି ସାରିଛନ୍ତି। ନିଜର ଆଈ ସୁଚିତ୍ରା ସେନ ଏବଂ ମାଆ ମୁନ୍‌ମୁନ୍‌ଙ୍କ ଖ୍ୟାତିକୁ ଭିତ୍ତି କରି ରାଇମା ୧୯୯୯ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ‘ଗଡ୍‌ମଦର’ ଜରିଆରେ ଫିଲ୍ମ ଦୁନିଆରେ ପ୍ରଥମେ ପଦାର୍ପଣ କରିଥିଲେ। ତାହା କଳ୍ପନାତୀତ ବ୍ୟାବସାୟିକ ସଫଳତା ପାଇଥିଲେ ହେଁ ସେଥିରେ ଅଭିନୟ କରିଥିବା କିଂବଦନ୍ତି ଅଭିନେତ୍ରୀ ଶବାନା ଆଜମୀଙ୍କ ଉପସ୍ଥିତି ହିଁ ରାଇନାଙ୍କ ଚମତ୍କାରିତାକୁ ଫିକା କରିଦେଇଥିଲା। ତେବେ ଏହା ପରେ ସେ ଅନ୍ୟତମ ପୋଖତ ଅଭିନେତ୍ରୀ ରବିନା ଟଣ୍ଡନ୍‌ଙ୍କ ସହ ଅଭିନୟ କରିଥିବା ହିନ୍ଦୀ ଫିଲ୍ମ ‘ଦାମନ’ ତାଙ୍କ ପାଇଁ କିଛି ମାତ୍ରାରେ ଗ୍ରହଣୀୟତା ପରଷି ଦେଇଥିଲା।

ସେହିପରି ୨୦୦୩ରେ ତାଙ୍କର ପ୍ରଥମ ବଙ୍ଗାଳୀ ସିନେମା ‘ଚୋଖେରବାଲି’ ଆଶାନୁରୂପ ସଫଳତା ପ୍ରଦାନ କରିବା ସହ ସେ ଦର୍ଶକଙ୍କ ମନରେ ବସା ବାନ୍ଧିବା ଆରମ୍ଭ କରିଥିଲେ। ତେବେ ୨୦୦୫ ମସିହାରେ ହିନ୍ଦୀ ସିନେମା ‘ପରିଣୀତା’ରେ ତାଙ୍କ ଶାଣିତ ଅଭିନୟର ଗଭୀର ଛାପ ଦେଖିବାକୁ ମିଳିଥିଲା। ସେହି ବର୍ଷ ବଙ୍ଗାଳୀ ଫିଲ୍ମ ‘ନିଶିଯାପନ’ରେ ସେ ନିଭାଇଥିବା ସୁନିତା ଚରିତ୍ର ତାଙ୍କୁ ବଙ୍ଗାଳୀ ସିନେ ଦୁନିଆରେ ଜଣେ ଆଗଧାଡ଼ିର ଅଭିନେତ୍ରୀ ଭୂମିକାରେ ବସାଇଥିଲା।ଏହାପରେ ସେ ନିରନ୍ତର ଭାବେ ହିନ୍ଦୀ ଓ ବଙ୍ଗାଳୀ ସିନେମାରେ ଅଭିନୟ ଜାରି ରଖିଥିଲେ। ସେହିପରି ଇଂରାଜୀ ଫିଲ୍ମ ‘ମେମୋରିଜ୍‌ ଇନ୍‌ ମାର୍ଚ୍ଚ’ ଓ ମାଲାୟଲୀ ଫିଲ୍ମ ‘ବୀରପୁତ୍ରନ୍‌’ରେ ତାଙ୍କର ପ୍ରଥମ ପଦାର୍ପଣ ମଧ୍ୟ ବେଶ ଉଚ୍ଚକୋଟୀର ହୋଇଥିଲା। କୋଭିଡ୍‌ ପରଠାରୁ ସେ କେବଳ ବଙ୍ଗାଳୀ ଚଳଚ୍ଚିତ୍ର ଓ ହିନ୍ଦୀ ୱେବ୍‌ ସିରିଜ୍‌ରେ ମନୋନିବେଶ କରିଛନ୍ତି।

ସମ୍ବନ୍ଧିତ ଖବର