ଅଲ୍‌ବିଦା ଡିସ୍କେ୍ା କିଙ୍ଗ୍‌: ରାଗ ଦରବାରିରେ ମିଶେଇଲେ ୱେଷ୍ଟର୍ଣ୍ଣ ବିଟ୍‌ର ଛୁଙ୍କ

କଲମ୍‌ ଧରା ଆଙ୍ଗୁଳିରେ ବଜେଇଥିଲେ ତବଲା

ମୁମ୍ୱାଇ: ‘ନମକ ହଲାଲ୍‌’କୁ ବାପିଙ୍କ ଜୀବନରେ ଏକ ମାଇଲ୍‍ ଖୁଣ୍ଟ ବୋଲି କୁହାଯାଇଥାଏ। ଏହି ଫିଲ୍ମରେ ବାପି ଭାରତୀୟ ଶାସ୍ତ୍ରୀୟ ସଂଗୀତ ସହିତ ୱେଷ୍ଟର୍ଣ୍ଣ ପପ୍‍କୁ ଫ୍ୟୁଜନ୍‍ କରିଥିଲେ। ରାଗ ଦରବାରି କାନାଡ଼ା ସହିତ ପଞ୍ଚ୍‌ କରିଥିଲେ ୱେଷ୍ଟର୍ଣ୍ଣ ବିଟ୍‍। କିଶୋର କୁମାର କଣ୍ଠରେ ସେହି ଗୀତଟି କେବଳ ଭାରତୀୟ ଫିଲ୍ମ ଦୁନିଆରେ ନୁହେଁ, ସଂଗୀତ ପ୍ରେମୀଙ୍କ ପାଇଁ ଏକ ନୂଆ ସ୍ୱାଦ ଆଣିଦେଇଥିଲା। ଆଜି ବି ନମକ୍‍ ହଲାଲ୍‍ର ସେହି ଗୀତଟିର ଚାହିଦା କମିନାହିଁ। ସେହି ଇତିହାସ ସୃଷ୍ଟିକାରୀ ଗୀତଟି ଥିଲା: ‘ପଗ୍‌ ଘୁଙ୍ଗୁର ବାନ୍ଧ ମୀରା ନାଚି ଥି!’ ୧୯୮୩ରେ ମୁକ୍ତିଲାଭ କଲା ବି. ସୁଭାଷଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଡିସ୍କୋ ଡ୍ୟାନ୍ସର’। ଏହି ଫିଲ୍ମରେ ଭାରତୀୟ ସଂଗୀତଗୁରୁମାନେ ବାପିଙ୍କର ଅସଲ ସଂଗୀତ ଦେଖିବାକୁ ପାଇଥିଲେ। ‘ନମକ୍‍ ହଲାଲ୍’ରେ ସେ କେବଳ ୱେଷ୍ଟର୍ଣ୍ଣ ବିଟ୍‍ର ଫ୍ୟୁଜନ୍‍ କରିଥିଲେ। ମାତ୍ର ‘ଡିସ୍କୋ ଡ୍ୟାନ୍ସର’ରେ ୱେଷ୍ଟର୍ଣ୍ଣ ସଂଗୀତର ଶୈଳୀକୁ ମିଶ୍ରଣ କରି ସେ ଯେଉଁ ‘ଡିସ୍କୋଥେକ୍‍’ ଶୈଳୀର ପ୍ରବର୍ତ୍ତନ କଲେ ତାହା ଆଜି ବି ରହିଛି ଅଦ୍ୱିତୀୟ ହୋଇ। ‘ଆଇ ଆମ୍‍ ଏ ଡିସ୍କୋଡ୍ୟାନ୍ସର’, ‘ଜିମିଜିମି ଆଜା ଆଜା’ ଆଦି ଗୀତ ଆଜି ବି ଶ୍ରୋତାଙ୍କୁ ନାଚିବା ଲାଗି ବାଧ୍ୟ କରିଥାଏ। ଏହି ଫିଲ୍ମ ମୁକ୍ତିଲାଭ କରିବା ପରେ ବାପି ଲାହିରିଙ୍କୁ ‘ଡିସ୍କୋ କିଂ’ କହିବା ପାଇଁ କେହି ବି କୁଣ୍ଠାବୋଧ କରି ନଥିଲେ। କହିବା ବାହୁଲ୍ୟ, ଏଥିରେ ନାୟକ ଭାବରେ ଅଭିନୟ କରିଥିବା ମିଥୁନ୍‍ଙ୍କ ପାଇଁ ଏହି ଫିଲ୍ମ ବି ଥିଲା ଏକ ଟର୍ଣ୍ଣିଂ ପଏଣ୍ଟ୍।

କଲମ୍‌ ଧରା ଆଙ୍ଗୁଳିରେ ବଜେଇଥିଲେ ତବଲା
୧୯୫୨ ମସିହା ନଭେମ୍ବର ମାସ ୨୭ ତାରିଖରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲେ ବାପି। ତାଙ୍କର ପିତୃଦତ୍ତ ନାମ ଥିଲା ଆଲୋକେଶ ଲାହିରି। ବାପା ଅପରେଶ ଲାହିରି ଏବଂ ମା’ ବାନସରୀ ଲାହିରି ଥିଲେ ବେଙ୍ଗଲୀ ଗାୟକ ଗାୟିକା। ପିଲାଟି ବେଳୁ ବାପି ଓରଫ୍‍ ଆଲୋକେଶ ସ୍ୱପ୍ନ ଦେଖୁଥିଲେ ସେ କେବଳ ବଙ୍ଗଳାରେ ନୁହେଁ କି ଭାରତରେ ନୁହେଁ, ଅନ୍ତର୍ଜାତୀୟ ସ୍ତରର ସଂଗୀତକାର ହେବେ। ସେଥିଲାଗି ମାତ୍ର ତିନିବର୍ଷ ବୟସରେ ଯେତେବେଳେ ତାଙ୍କର ଆଙ୍ଗୁଳି ସବୁ କଲମ ଧରିବାକୁ ସମର୍ଥ ହୋଇ ନଥିଲା ସେ ତବଲା ବଜେଇବା ଆରମ୍ଭ କରିଥିଲେ। ତା’ ସହିତ ବାପାମା’ଙ୍କଠାରୁ ସେ ନେଉଥିଲେ ସଂଗୀତରେ ତାଲିମ୍‍।

ସୁନାର ଗଣେଶ ଲକେଟ୍‍ ଓ ମାଇକେଲ୍‍ ଜାକ୍‍ସନ୍‍
ବାପି ଲାହିରି ପିଲାବେଳେ ସ୍ୱପ୍ନ ଦେଖୁଥିଲେ ସେ କେବଳ ବଙ୍ଗଳା କିମ୍ବା ଭାରତରେ ସୀମିତ ହୋଇ ରହିବେନି। ଅଧିକନ୍ତୁ ତାଙ୍କର ଖ୍ୟାତି ଓ ସମ୍ମାନ ବ୍ୟାପିଯିବ ଦରିଆପାରିକୁ। ଆଉ ତାହା ବି ସତ ହୋଇଥିଲା। ମାଇକେଲ୍‍ ଜାକସନ୍‍ଙ୍କ ପରି ବିଶ୍ୱବିଖ୍ୟାତ ପପ୍‍ ଗାୟକ ପାଲଟି ଯାଇଥିଲେ ତାଙ୍କର ପ୍ରଶଂସକ। ୧୯୯୬ରେ ପପ୍‍ କିଂ ମାଇକେଲ୍‍ ଜାକ୍‍ସନ୍‍ ଭାରତ ଆସିଥାନ୍ତି। ସେହି ଶୋ’କୁ ବାପିଙ୍କୁ ମଧ୍ୟ ଡକାଯାଇଥାଏ। ବାପି ଗୋଟିଏ ଜାଗାରେ ବସିଥାନ୍ତି, ଚୁପ୍‌ଚାପ୍‌। ସେତେବେଳକୁ ମାଇକେଲ୍‍ଙ୍କ ସହିତ ତାଙ୍କର କୌଣସି ପରିଚୟ ନଥାଏ। ହେଲେ ମାଇକେଲ୍‍ ସିଧା ଆସି ତାଙ୍କ ନିକଟରେ ପହଞ୍ଚିଗଲେ। ବାପି ସୁନାର ଲକେଟ୍‍ଟିଏ ବେକରେ ପକେଇଥାନ୍ତି ଯେଉଁଥିରେ ପ୍ରଭୁ ଗଣପତିଙ୍କ ମୂର୍ତ୍ତି ରହିଥାଏ। ଜାକସନ୍‍ ଆସି ତାଙ୍କ ବେକର ସେଇ ଗଣପତି ଲକେଟ୍‍ଟିକୁ ହାତରେ ତୋଳି ଧରିଲେ ଓ କହିଲେ: ‘ଆରେ ବାଃ, ବଢ଼଼ିଆ ହେଇଛି ତ।’ ବାପି ନିଜର ପରିଚୟ ଦେଲେ। ତ ମାଇକେଲ୍‍ କହିଲେ: ଓଃ, ତୁମେ ତା’ହେଲେ ଜଣେ ମ୍ୟୁଜିକ୍‍ କମ୍ପୋଜର? ବାପି କହିଲେ: ହଁ, ମୁଁ ଜଣେ ମ୍ୟୁଜିକ୍‍ କମ୍ପୋଜର। ମୁଁ ‘ଡିସ୍କୋ ଡ୍ୟାନ୍ସର’ ଗୀତ କମ୍ପୋଜ୍‍ କରିଛି। ବାପି ଯେତେବେଳ ଡିସ୍କୋ ଡ୍ୟାନ୍ସର କଥା ଉଠେଇଲେ ମାଇକେଲ ବଡ଼ ପାଟିରେ କହିଉଠିଥିଲେ: ମୁଁ ଜାଣିଛି। ‘ଜିମିଜିମି ଆଜା ଆଜା’ ଗୀତଟି ମୋର ବହୁତ ପସନ୍ଦ। ମୁଁ ତୁମ ଗୀତକୁ ଖୁବ୍‍ ଭଲପାଏ ଓ ଶୁଣେ।

ସମ୍ବନ୍ଧିତ ଖବର