ଭୁବନେଶ୍ବର: ନୂଆବର୍ଷରେ ଜଣେ କୃତବିଦ୍ୟ କଳାକାରଙ୍କୁ ହରାଇଲା ଓଡ଼ିଶା । ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏବେ ଶୋକରେ ଛାୟା । କେବେ ହାସ୍ୟ ଅଭିନେତା ତ ଆଉ କେବେ ପାର୍ଶ୍ବ ଅଭିନେତା, ଏମିତି ଭିନ୍ନ ଭିନ୍ନ ଭୂମିକାରେ ନଜର ଆସୁଥିବା ଅଭିନେତା ରବି ମିଶ୍ର ଏବେ ଅସ୍ତମିତ । ଘରେ ଘରେ ପରିଚିତ ‘ଗୋପାଳ ରହସ୍ୟ’ ମେଗା ସିରିୟଲର ଗୋପାଳ ଆଉ ଏ ଦୁନିଆରେ ନାହାନ୍ତି । ୬୪ ବର୍ଷରେ ହୃଦଘାତ୍ ଯୋଗୁଁ ଏକ ଘରୋଇ ହସ୍ପିଟାଲରେ ଅସ୍ତ ହୋଇଯାଇଛନ୍ତି ରବି ।
୯୦ ଦଶକରେ ଦୂରଦର୍ଶନରେ ପ୍ରସାରିତ ‘ଗୋପାଳ ରହସ୍ୟ’ ଧାରାବାହିକ ଆଜି ବି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । କାରଣ ଗୋପାଳ ଭୂମିକାରେ ନଜର ଆସିଥିଲେ ରବି ମିଶ୍ର । ଏହି ମେଗା ଧାରାବାହିକର ପଣ୍ଡିତଙ୍କ ଚୁଟି, ମୁର୍ଗି ରୋଗ, ଗୋପାଳ ପାକ, କଣ୍ଟା ବନ୍ଧା, ଜ୍ୱାଇଁ ଡାକରା, ଆଳୁ ଦୋଷ ଭଳି ଅଧ୍ୟାୟରେ ଭିନ୍ନ ଢଙ୍ଗରେ ନଜର ଆସିଥିଲେ ରବି।ଏହାପରେ ପରେ ରବିଙ୍କ ଭାଗ୍ୟ ସତେ ଯେମିତି ଉଦୟ ହେବାରେ ଲାଗିଲା । ଜଣେ ମଞ୍ଚ କଳାକାରରୁ ସେ ପାଲଟିଗଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଲୋକପ୍ରିୟ ଅଭିନେତା ।
ବିଶିଷ୍ଟ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ୱାରା ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) January 20, 2021
କେବଳ ଗୋପାଳ ରହସ୍ୟ କାହିଁକି, ଅନେକ ଅନେକ ସୁପରହିଟ୍ ଫିଲ୍ମ ଯେମିତି କି, ଭାଇ ହେଲା ଭଗାରୀ, ସକଳତୀର୍ଥ, ସୌଭାଗ୍ୟବତୀ, ମା’ ପରୀ କିଏ ହେବ, ରାକ୍ଷୀ ଭିଜିଲା ଆଖି ଲୁହରେ, ମନ ରହିଗଲା ତୁମରି ଠାରେ ଭଳି ଅନେକ ଚଳଚିତ୍ରରେ ନଜର ଆସିଥିଲେ ରବି ମିଶ୍ର । ଦୁଇ ଦଶନ୍ଧିରୁ ଅଧିକ ସମୟ ଓଲିଉଡ଼ ଜଗତରେ ନିଜର ଛାପ ଛାଡ଼ିଛନ୍ତି ରବି । ତାଙ୍କ କଥାକୁହା ଠାଣି ଆଉ ହାସ୍ୟ ଅଭିନୟରେ ଅଙ୍ଗଭଙ୍ଗୀ ଆଜି ବି ଅନେକ ଦର୍ଶକଙ୍କ ମନକୁ ତାଜା କରିଦେଉଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଗତବର୍ଷ ଓଡ଼ିଆ ଚଳଚ୍ଚିତ୍ର ଜଗତ ଅନେକ ବର୍ଷିୟାନ୍ କଳାକାରଙ୍କୁ ହରାଇଥିବା ବେଳେ ୨୦୨୧ ଆରମ୍ଭରୁ ହିଁ ରବି ମିଶ୍ରଙ୍କ ଦେହାନ୍ତ ଦୁଃଖର ପାହାଡ଼ ଛିଡ଼ା କରିଦେଇଛି ।
ଲୋକପ୍ରିୟ ଅଭିନେତା ରବି ମିଶ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ‘ଗୋପାଳ ରହସ୍ୟ’ ଧାରାବାହିକରେ ନିପୁଣ ଓ ବଳିଷ୍ଠ ଅଭିନୟ ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା । କଳା ଜଗତ ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇରହିବ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।
— Dharmendra Pradhan (@dpradhanbjp) January 20, 2021