ମୁମ୍ବାଇ: କୋକିଳକଣ୍ଠି ଲତା ମଙ୍ଗେସକରଙ୍କ ପ୍ରାର୍ଥନା ରଖିଲେନି ଈଶ୍ବର ! ଗତ ଫେବ୍ରୁଆରି ମାସରେ ଋଷି କପୁରଙ୍କୁ ଟୁଇଟ୍ କରି ଲତା ଲେଖିଥିଲେ- ‘ଈଶ୍ବରଙ୍କ ନିକଟରେ ପ୍ରାର୍ଥନା ତୁମ ସ୍ବାସ୍ଥ୍ୟ ସବୁ ବେଳେ ଭଲ ରହୁ।’ କିନ୍ତୁ ବିଧିର ବିଧାନକୁ କିଏ ବା ଟାଳି ପାରିବ? ଆଜି ସକାଳୁ ଚିରନିଦ୍ରାରେ ଶୋଇଗଲେ ଭାରତୀୟ ସିନେମାର କିମ୍ବଦନ୍ତି ପୁରୁଷ ମହାନ ଅଭିନେତା ଋଷି କପୁର। ମାତ୍ର ୬୭ ବର୍ଷ ବୟସରେ ତାଙ୍କର ଘଟଣା ବହୁଳ ଜୀବନର ଅବସାନ ଘଟିଲା। ଗତକାଲି ରାତିରେ ଅସୁସ୍ଥ ହୋଇ ପଡ଼ିଲେ ଋଷି। ଡାକ୍ତରଖାନା ଗଲେ, କିନ୍ତୁ ସବୁ ଥର ଭଳି ଆଉ ସୁସ୍ଥ ହୋଇ ଫେରିପାରିଲେ ନାହିଁ।

Advertisment

publive-image

କର୍କଟକୁ ପରାଜିତ କରି ସୁସ୍ଥ ହୋଇ ଭାରତ ଫେରିବା ପରେ ବଲିଉଡ ଅଭିନେତା ଋଷି କପୁର ସୋସିଆଲ ମିଡିଆରେ ସକ୍ରିୟ ରହିଥିବା ବେଳେ ନିଜର ଟ୍ବିଟ୍‌କୁ ନେଇ ସେ ପ୍ରାୟ ସମୟ ଚର୍ଚ୍ଚାରେ ରହୁଥିଲେ । ଏହି କ୍ରମରେ ଫେବ୍ରୁଆରିରେ ସେ ଏପରି ଏକ ଫଟୋ ପୋଷ୍ଟ କରିଥିଲେ, ଯାହା ତାଙ୍କ ପ୍ରଶଂସକମାନେ ବହୁ ସଂଖ୍ୟାରେ ସେୟାର କରିଥିଲେ। ଏକ ଫ‌ଟୋରେ ସେ ‌ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ କୋଳରେ ନଜର ଆସିଥିଲେ। ଋଷି ଯେତେବେଳେ ୩ ମାସର ହୋଇଥିଲେ ସେତେବେଳେ ଲତା ତାଙ୍କୁ କୋ‌ଳରେ ଧରିଥିବାର ଫଟୋ ଶେୟାର କରିଥିଲେ ଋଷି। ଏହି ଫଟୋରେ ଋଷି କ୍ୟାପସନ ଦେଇଥିଲେ ‘ନମସ୍କାର ଲତା ଜୀ, ଆପଣଙ୍କ ଆଶୀର୍ବାଦ ମୋ ଉପରେ ସବୁବେଳେ ଅଛି। ମୁଁ ୩ ମାସର ଥିବା ସମୟର ଏହି ଫଟୋଟି ପାଇଛି। ମୁଁ ଏହି ଫଟୋଟି ଟ୍ବିଟରରେ ଦେଇ ଦୁନିଆକୁ ଏ ବିଷୟରେ ଜଣାଇପାରିବି କି? ଏ ଫଟୋଟି ମୋ ପାଇଁ ବହୁତ ମୂଲ୍ୟବାନ।

ଏ ଫଟୋ ଦେଖିବା ପରେ ଲତା ମ‌ଙ୍ଗେସକର ଲେଖିଥିଲେ, ନମସ୍କାର ଋଷି ଜୀ। ଏ ଫଟୋ ଦେଖି ମତେ ବହୁତ ଖୁସି ଲାଗୁଛି। ମତେ ବି ଏହି ଫଟୋ ମିଳୁ ନ ଥିଲା। ଏ ଫଟୋ ଦେଖି ମତେ କୃଷ୍ଣା ଭାଉଜ ଓ ରାଜ ସାହବଙ୍କ କଥା ମନେ ପଡ଼ିଯାଉଛି। ଏହି ଫଟୋଟି କୃଷ୍ଣା ଭାଉଜ ତୁମକୁ ମୋ ହାତରେ ଦେବା ସମୟର। ଫଟୋଟିକୁ ସେୟାର କରି ବହୁତ ଭଲ କରିଛ। ଈଶ୍ବରଙ୍କ ନିକଟରେ ପ୍ରାର୍ଥନା ତୁମ ସ୍ବାସ୍ଥ୍ୟ ସବୁ ବେଳେ ଭଲ ରହୁ ବୋଲି ଲତା ଲେଖିଛନ୍ତି।