ବଙ୍ଗଳା ଚିତ୍ରରେ ଓଡ଼ିଆ କଥା ‘ଗୋତ୍ରୋ’

ଜାତି ମଣିଷ, ଧର୍ମ ମନୁଷ୍ୟତ୍ବ

ଜାତି ‘ମଣିଷ’, ଧର୍ମ ‘ମନୁଷ୍ୟତ୍ବ’। ଏହା ହିଁ ମଣିଷର ପରିଚୟ। ଏଇ ଦୁଇ ମୂଲ୍ୟବାନ ଶବ୍ଦକୁ ଅତି ମାର୍ମିକ ଭାବେ ଉପସ୍ଥାପନ କରିଛି ବଙ୍ଗଳା ଭାଷୀ ଚଳଚ୍ଚିତ୍ର ‘ଗୋତ୍ରୋ’। ବିନା ଫାଇଟ୍‌ ଦୃଶ୍ୟରେ ଯେ ଯୁବବର୍ଗଙ୍କୁ ପରଦା ଆଗରେ ବାନ୍ଧି ରଖାଯାଇପାରେ ତାହା ପ୍ରମାଣିତ କରିଛି ଏହି ଚଳଚ୍ଚିତ୍ର। ନିରବ ପ୍ରେମର ଆକର୍ଷଣ ଯେ ଏତେ ମଧୁର ଅନୁଭବ ଦେଇପାରେ ତାହା ବ୍ୟକ୍ତ କରିଛି ଏହି କଥାଚିତ୍ର। ଖାଲି ଯେ ଏହା ପ୍ରେମ, ବିଶ୍ବାସ, ସାମ୍ପ୍ରଦାୟିକ ସଦ୍‌ଭାବନାର ବଳିଷ୍ଠ ବାର୍ତା ଦେଇଛି ସେକଥା ନୁହେଁ, ବରଂ ମନୋରଂଜନର କୁହୁକ ମନ୍ତ୍ର ବୁଣିପାରିଛି ‘ଗୋତ୍ରୋ’। କାହାଣୀ ଏଭଳି ଢଙ୍ଗରେ ଗତିଶୀଳ ଯେ ଜଣେ ଚାହିଁଲେ ବି ଅଧାରୁ ପ୍ରେକ୍ଷାଳୟ ଛାଡ଼ିପାରିବ ନାହିଁ। ନନ୍ଦିତା ରୟ ଓ ଶିବୋପ୍ରୋସାଦ ମୁଖାର୍ଜୀ ବହୁ ଚତୁରତାର ସହ ଦୃଶ୍ୟକୁ ଚିତ୍ରିତ କରିଛନ୍ତି। ଏଥିରେ ଥିବା ସଂଳାପ ହିଁ ଆଖି ଓଦା କରିଦେବ। ସାବାସୀ ନଦେଇ ଆପଣ ପ୍ରେକ୍ଷାଳୟରୁ ଲେଉଟି ପାରିବେ ନାହିଁ।

ବଙ୍ଗଳା ଭାଷାରେ ହୋଇଥିଲେ ହେଁ ଓଡ଼ିଆଙ୍କୁ ଏହା ଆପଣାର ଲାଗିବ। ଓଡ଼ିଆ ସଂଗୀତର କାଳଜୟୀ ଗୀତ ‘ରଙ୍ଗବତୀ’କୁ ବଡ଼ ପରଦାରେ ଟିକେ ଭିନ୍ନ ଢଙ୍ଗରେ ଉପଭୋଗ କରିବାର ସୁଯୋଗ ମିଳିବ। ଓଡ଼ିଶୀ ନୃତ୍ୟ, ସାହିଯାତ, ମୁଖା ନୃତ୍ୟ, ଛଉ ନୃତ୍ୟ, ସମ୍ବଲପୁରୀ ଭଳି ୧୪ଟି ନୃତ୍ୟର ମନୋରଂଜନ ମିଳିବ। ଏପରିକି ନିମାପଡ଼ା ଝିଲ୍ଲୀ ସହ ଧଉଳି, ଦୟାନଦୀ, କାଇପଦର, ଚନ୍ଦ୍ରଭାଗା, କାଇପଦର ବୁଖାରି ବାବାଙ୍କ ପୀଠ, ବାଲେଶ୍ବର ମାଟିର ବାସ୍ନା ଅନୁଭବ ହେବ। ଓଡ଼ିଆ ପ୍ରଯୋଜକ ଅକ୍ଷୟ ପରିଜା ପ୍ରଯୋଜନା ସହ ଏଥିରେ ଓଡ଼ିଆ ମାଟିର ବାସ୍ନାକୁ ସ୍ଥାନ ଦେଇ ନିଆରା ପଦକ୍ଷେପ ନେଇଛନ୍ତି।

କାହାଣୀର କେନ୍ଦ୍ର ଚରିତ୍ର ମୁକ୍ତି ଦେବୀଙ୍କ ଗୋବିନ୍ଦ ଧାମରେ ଯେ ମୁସ୍‌ଲିମ୍‌ ବ୍ୟକ୍ତିଟିଏ ରାଧାକୃଷ୍ଣଙ୍କୁ ପୂଜିପାରେ, ହିନ୍ଦୁ ଘରେ ସେ ପୁଅର ଆସନ ପାଇପାରେ ସେ ସବୁକୁ ଅତି ଚମତ୍କାର ଢଙ୍ଗରେ ଚିତ୍ରଣ କରିଛନ୍ତି ନିର୍ଦେଶିକା ନନ୍ଦିତା ରୟ। ଏପରିକି ରବୀନ୍ଦ୍ରନାଥ ଟାଗୋରଙ୍କ ‘ନୀଲ୍‌ ଦିଗନ୍ତେ…କବିତା ସହ ‘ବୈଷ୍ଣବ ଜନ ତୋ.. ଗୀତକୁ ଟିକେ ନିଆରା ଢଙ୍ଗରେ ଫିଲ୍ମରେ ସ୍ଥାନିତ କରାଯାଇଛି। ବିଶେଷକରି ହଲ୍‌ରୁ ଫେରିବା ବେଳେ ମନୋରଂଜନର ସମ୍ପୂର୍ଣ୍ଣ ପ୍ୟାକେଜ୍‌ଟିଏ ଧରି ନିଶ୍ଚେ ଫେରିବେ। କୌଣସି କଥା ଅବସ୍ତାବ ‌କିମ୍ବା ଦୃଶ୍ୟ ମଧ୍ୟରେ ଖାପଛଡ଼ା ଅନୁଭବ ହେବ ନାହିଁ। ଶ୍ରୀ ପରିଜା ଆଗରୁ କିଛି ଓଡ଼ିଆ ଚଳଚ୍ଚିତ୍ର ଭେଟି ଦେଇଥିଲେ ହେଁ ‘ଗୋତ୍ରୋ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଦର୍ଶକ ପସନ୍ଦ କରିଥିବା ହଲ୍‌ରୁ ଲେଉଟୁଥିବା ଦର୍ଶକଙ୍କଙ୍କଠାରେ ପରିଲକ୍ଷିତ ହୋଇଛି। ବିଶେଷକରି ଅନୁଶା ମଜୁମ୍‌ଦାର, ନିଗେଲ୍‌ ଆକ୍କାରା, ମନାଲି ମନୀଷା ଦେଙ୍କ ଅଭିନୟ କାହାଣୀକୁ ସମ୍ପୂର୍ଣ୍ଣ ନ୍ୟାୟ ଦେଇଛି ବୋଲି ଆପଣଙ୍କର ହୃଦବୋଧ ହେବ। ରାଜ୍ୟରେ ଫିଲ୍ମ ସଂଖ୍ୟା ବଢ଼େଇ ଚାଲିଥିବା ଆମ ରାଜ୍ୟର କିଛି ନିର୍ଦେଶକ ଓ ପ୍ରଯୋଜକମାନେ ଏହି ଫିଲ୍ମଟି ଦେଖିଲେ ଅନ୍ତତଃ ବୁଝିପାରିବେ ମୌଳିକ କାହାଣୀଟିଏ କିଭଳି ଚମତ୍କାର ଢଙ୍ଗରେ ପ୍ରସ୍ତୁତ କରାଯାଇପାରେ।

ସମ୍ବନ୍ଧିତ ଖବର