କ୍ରିଷ୍ଣାଙ୍କ କ୍ଷମା ପ୍ରାର୍ଥନାକୁ ନେଇ ଗୋବିନ୍ଦା କହିଲେ; କ୍ୟାମେରା ପଛରେ ଭଲପାଇବା କେତେ ଦେଖିବା

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ଭଣଜା କ୍ରିଷ୍ଣା ଅଭିଷେକଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି । କେବଳ ଏତିକି ନୁହେଁ ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ଅନେକ ସାକ୍ଷାତକାରରେ କ୍ରିଷ୍ଣା ଏବଂ ତାଙ୍କ ପତ୍ନୀ କଶ୍ମୀରା ଶାହାଙ୍କ ବିଷୟରେ ଅନେକ ଥର ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଗତ ମାସରେ, ମନୀଷ ପଲଙ୍କ ସୋ’ରେ ଗୋବିନ୍ଦାଙ୍କ ସହ ହୋଇଥିବା ବିବାଦକୁ ନେଇ କ୍ରିଷ୍ଣା ଅଭିଷେକ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ ଯେ, ତାଙ୍କର ପ୍ରତ୍ୟେକ କଥାକୁ ଗଣମାଧ୍ୟମରେ ଭିନ୍ନ ଆକାରରେ ଦେଖାଯାଉଛି । ସେ ତାଙ୍କ ମାମୁଁ ଗୋବିନ୍ଦାଙ୍କୁ ବହୁତ ମନେ ପକାନ୍ତି। ଏଭଳି କହିବା ସହ କ୍ରିଷ୍ଣା ସୋ’ ମାଧ୍ୟମରେ ଗୋବିନ୍ଦାଙ୍କୁ କ୍ଷମା ମାଗିଥିଲେ ।

ବର୍ତ୍ତମାନ କ୍ରିଷ୍ଣାଙ୍କ କ୍ଷମା ପ୍ରାର୍ଥନାକୁ ନେଇ ଗୋବିନ୍ଦାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଗୋବିନ୍ଦା ନିକଟରେ ମନୀଷ ପଲଙ୍କ ସୋ’କୁ ଯାଇଥିବା ବେଳେ ମନୀଷ ତାଙ୍କୁ ସୋ’ରେ କହିଥିଲେ ଯେ କୃଷ୍ଣା ତାଙ୍କ ଭୁଲକୁ ବୁଝିପାରିଛନ୍ତି ଓ ସେଥିଲାଗି କ୍ଷମା ମଧ୍ୟ ଚାହୁଁଛନ୍ତି । ଏହି ସମୟରେ ଏହା ଶୁଣି ଗୋବିନ୍ଦା କହିଥିଲେ ଯେ, କ୍ରିଷ୍ଣାଙ୍କ ଜୀବନରେ ଯାହା ଖରାପ ଘଟଣା ଘଟୁଛି ସେଥିପାଇଁ ସେ ମୋତେ ଦାୟୀ କରୁଛନ୍ତି । ଏଭଳି ଭଲପାଇବା କ୍ୟାମେରା ପଛରେ ମଧ୍ୟ ଦେଖାଇବା ଜରୁରୀ। କୃଷ୍ଣାଙ୍କୁ ଭଲ ସଂସ୍କାର ମଧ୍ୟ ଦିଆଯାଇଛି, ଯାହା ଏସବୁରୁ ସ୍ପଷ୍ଟ ଜଣାପଡ଼ୁଛି । ମୋର ସବୁ ଭଉଣୀଙ୍କ ମଧ୍ୟରୁ କୃଷ୍ଣାଙ୍କ ମା’ ମୋର ଅତି ପ୍ରିୟ ଥିଲେ, ଯିଏ ମୋତେ ମା’ ପରି ପାଳିଥିଲେ । ମୁଁ କୃଷ୍ଣାଙ୍କୁ ମୋ କାନ୍ଧରେ ବସାଇ ବୈଷ୍ଣୋଦେବୀ ବୁଲାଇ ନେଇଥିଲି ଏବଂ ସେ ପାଇଥିବା ସ୍ନେହ ଆମ ପରିବାରର ଅନ୍ୟ ପିଲାଙ୍କୁ ମିଳିନାହିଁ। କେବେଠୁ ସେ ଏତେ ପର ହୋଇ ହୋଇଗଲେ ଯେ, ଏକ ସାକ୍ଷାତକାର ମାଧ୍ୟମରେ ତାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିଲା।

ସମ୍ବନ୍ଧିତ ଖବର