ନୂଆଦିଲ୍ଲୀ: ବଲିଉଡ ଅଭିନେତା ଗୋବିନ୍ଦା ଗତ ଚାରିବର୍ଷ ହେବ ବଡ଼ ପରଦାରୁ ଦୂରେଇ ଯାଇଛନ୍ତି। ଶେଷଥର ପାଇଁ ୨୦୧୯ରେ ଆସିଥିବା ‘ରଙ୍ଗିଲା ରାଜା’ ନାମକ ସିନେମାରେ ତାଙ୍କୁ ଦେଖିବାକୁ ମିଳିଥିଲା। ଅଭିନେତାଙ୍କ ବକ୍ସ ଅଫିସ ହିଟ ସିନେମା କଥା କହିଲେ ୨୦୦୯ ପରଠାରୁ ସେ ଆଉ କୌଣସି ହିଟ ସିନେମା ଦେଇ ନାହାନ୍ତି। ଏହି କାରଣରୁ ଦର୍ଶକ ଭାବିଥିଲେ କି ସୁପରଷ୍ଟାର ଗୋବିନ୍ଦାଙ୍କୁ ବୋଧ ହୁଏ ଇଣ୍ଡଷ୍ଟ୍ରିରେ କୌଣସି କାମ ମିଳୁନାହିଁ। ନିକଟରେ ଗଣେଶ ଚତୁର୍ଥୀ ଅବସରରେ ପରଦାରୁ ଗୋବିନ୍ଦା କାହିଁକି ଦୂରେଇ ଯାଇଛନ୍ତି ତାହାକୁ ନେଇ ମୁହଁ ଖୋଲିଛନ୍ତି।
ଗଣେଶ ଚତୁର୍ଥୀ ଅବସରରେ ଗୋବିନ୍ଦା ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି, ‘ମୁଁ ସହଜରେ କୌଣସି ସିନେମା ପାଇଁ ହଁ କହି ନଥାଏ। କିନ୍ତୁ ମୁଁ ପରଦାରେ ଆସୁ ନଥିବାରୁ ଲୋକଙ୍କ ଧାରଣା ରହିଛି ମୋତେ କାମ ମିଳୁ ନାହିଁ, ତେବେ ମୁଁ କହିବି ସେମିତି ଧାରଣା ରଖନ୍ତୁ ନାହିଁ। ମୋତେ କାମ ମିଳୁଛି। ମୋ ଉପରେ ଭଗବାନ ଗଣେଶଙ୍କ କୃପା ଅଛି। ଗତବର୍ଷ ମୁଁ ୧୦୦କୋଟି ଟଙ୍କାର ପ୍ରୋଜେକ୍ଟ ଛାଡ଼ି ଦେଇଥିଲି। ଏହି କାରଣରୁ ମୁଁ ଅନେକ ଥର ଦର୍ପଣ ସମ୍ମୁଖରେ ଛିଡ଼ା ହୋଇ ନିଜକୁ ଚାପୁଡ଼ା ମାରିଛି କି କାହିଁକି କୌଣସି ପ୍ରୋଜେକ୍ଟ ସାଇନ କରୁନାହିଁ।’
ନିକଟରେ ଗୋବିନ୍ଦାଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା। ୨ଲକ୍ଷରୁ ଅଧିକ ଲୋକେ ପ୍ରାୟ ହଜାର କୋଟି ଟଙ୍କା ଅନଲାଇନରେ ସୋଲାର ଟେକ୍ନୋଲୋଜି ଆଲିଆନ୍ସ (ଏସଟିଏ)ରେ ବିନିଯୋଗ କରି ଠକେଇର ଶିକାର ହୋଇଛନ୍ତି। ଲୋକଙ୍କ ଠାରୁ ଏହି ଟଙ୍କା ଠକେଇ ମାମଲାକୁ ନେଇ ଖୁବଶୀଘ୍ର ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗୋବିନ୍ଦାଙ୍କୁ ଜେରା କରିବ ।