ନୂଆଦିଲ୍ଲୀ: ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଛି। ଗତ ଶନିବାର ମହାରାଷ୍ଟ୍ରର ଜାଲଗାଓଁ ଜିଲ୍ଲାରେ ବଲିଉଡ ଅଭିନେତା ଗୋବିନ୍ଦା ୪ଟି ସ୍ଥାନରେ କ୍ୟାମ୍ପନିଂ କରିବା ପରେ ମୁମ୍ବାଇ ଫେରି ଆସିବାର ଯୋଜନା ଥିଲା। କିନ୍ତୁ ଜାଲଗାଓଁର ପଚୋରାରେ ଗୋବିନ୍ଦା ରୋଡ ସୋ’ କରୁଥିବା ବେଳେ ହଠାତ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ମହାରାଷ୍ଟ୍ରର ସମସ୍ତ ୨୮୮ ଟି ଆସନ ପାଇଁ ନଭେମ୍ବର ୨୦ ରେ ମତଦାନ ହେବାକୁ ଯାଉଛି। ନଭେମ୍ବର ୨୩ ରେ ଭୋଟ୍ ଗଣନା ହେବ । ଏହାକୁ କେନ୍ଦ୍ର କରି ଗୋବିନ୍ଦା ଜାଲଗାଓଁର ମୁକଟେନଗର, ବୋଡୱାଡ, ପାଚୋରା ଏବଂ ଚୋପ୍ରା ଠାରେ ମହାୟୁତି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ। ରୋଡ୍ ସୋ ସମୟରେ ଗୋବିନ୍ଦା ଜନତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବା ସହ ଶାସକ ଦଳକୁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ।
ରୋଡ଼ ସୋ’ ଚାଲିଥିବା ବେଳେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଅସୁସ୍ଥ ଅନୁଭବ କରିବାରୁ ସେ ରୋଡ଼ ସୋ’କୁ ଅଧାରୁ ଛାଡ଼ି ଚିକିତ୍ସା ପାଇଁ ମୁମ୍ବାଇ ଚାଲି ଆସିଥିଲେ।
ତେବେ ଏହି ଘଟଣାକୁ ନେଇ ଗୋବିନ୍ଦାଙ୍କ ପ୍ରଂଶସକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ କିଛିଦିନ ପୂର୍ବରୁ ଘରେ ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ବାଜିଥିବାରୁ ସେ ଅସ୍ତ୍ରୋପଚାର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହୋଇ ଘରକୁ ଫେରିବାର କିଛିମାସ ପରେ ପୁଣି ଅଭିନେତା ଅସୁସ୍ଥ ହେବାଖବର ପାଇବା ପରେ ଫ୍ୟାନ୍ସମାନେ ଦୁଃଖୀ ହୋଇଯାଇଛନ୍ତି।