ମୁମ୍ବାଇ: ଗୋବିନ୍ଦା ଜଣେ ବଲିଉଡ ସୁପରଷ୍ଟାର। ସେ ୯୦ଦଶକରେ ବଲିଉଡରେ ରାଜ କରିଥିଲେ ଏବଂ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଥିଲେ। ହେଲେ ଏହି ଅଭିନେତା ଅନେକ ବର୍ଷ ହେଲାଣି ଫିଲ୍ମ ପରଦାରୁ ଦୂରରେ ରହିଛନ୍ତି। କିନ୍ତୁ ତାଙ୍କ ପତ୍ନୀ ସୁନୀତା ଆହୁଜା ଏବେ ଲାଇମଲାଇଟରେ। ତାଙ୍କର ବୟାନ ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ତାଙ୍କ ପ୍ରତିକ୍ରିୟା ଏବେ ତାଙ୍କୁ ଚର୍ଚ୍ଚାକୁ ଆଣିଛି। ଗତ କିଛି ମାସ ହେବ ଗୋବିନ୍ଦା ଓ ସୁନୀତାଙ୍କ ଛାଡ଼ପତ୍ର ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏହି ଚର୍ଚ୍ଚା ବଢ଼ିଛି। ଫେରିଆସ ବୋଲି ନିବେଦନ କରୁଛନ୍ତି ସୁନୀତା। ଏମଧ୍ୟରେ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବିବାହ ବିଚ୍ଛେଦକୁ ନେଇ ଚଳଚ୍ଚିତ୍ର ପ୍ରଯୋଜକ ପହଲାଜ ନିହଲାନିଙ୍କ ଦେଇଥିବା ମନ୍ତବ୍ୟ ପୁଣି ଥରେ ଚର୍ଚ୍ଚାରେ ରହିଛି।
ବିବାଦ ପୂର୍ବରୁ ଗୋବିନ୍ଦାଙ୍କ ସହ ଅନେକ ପ୍ରୋଜେକ୍ଟରେ ସହଯୋଗ କରିଥିବା ନିହାଲାନି କିଛି ମାସ ତଳେ ଜୋର ଦେଇ କହିଥିଲେ ଯେ, "ପରିସ୍ଥିତି କିଛି ବି ହେଉ, ଦମ୍ପତିଙ୍କ ସମ୍ପର୍କ ଅତୁଟ। ସୁନୀତା ଏବଂ ଗୋବିନ୍ଦାଙ୍କ ଅନନ୍ତ ପ୍ରେମ ମଧ୍ୟରେ କେହି ପ୍ରବେଶ କରିପାରିବେ ନାହିଁ। ତାଙ୍କର ୧୦ଟି ଅନୈତିକ ସମ୍ପର୍କ ରହିଲେ ମଧ୍ୟ ସେମାନଙ୍କ ବିବାହ ଭାଙ୍ଗିବ ନାହିଁ। ଏବେ ତାଙ୍କର ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ହେଉଛି। ହେଲେ ସେମାନେ ବହୁ ବର୍ଷ ହେଲାଣି ଅଲଗା ରହୁଛନ୍ତି। ଫିଲ୍ମ ପାଇଁ ବୈଠକ ଚାଲୁ ରହୁଥିବାରୁ ଗୋବିନ୍ଦା ସବୁବେଳେ ଅନ୍ୟ ବଙ୍ଗଳାରେ ରହନ୍ତି। କାରଣ ବୈଠକ ସରୁ ସରୁ ବିଳମ୍ବ ହୋଇଯାଏ। ସୁନୀତା ନିଜ ପୁଅ-ଝିଅଙ୍କୁ ଧରି ଅଲଗା ବଙ୍ଗଳାରେ ରହନ୍ତି। ଏଇଟା ଅନେକ ବର୍ଷ ଧରି ଚାଲି ଆସିଛି। ଏଥିରେ ନୂଆ କିଛି ନାହିଁ।"
ଅନ୍ୟପକ୍ଷରେ ସୁନୀତା ଏକ ସାକ୍ଷାତକାରରେ କହିଛନ୍ତି ଯେ, "ମୋ ପରି ଗୋବିନ୍ଦାଙ୍କ କେହି ଏତେ ଜାଣି ନାହାଁନ୍ତି ଏବଂ କେହି ତାଙ୍କୁ କେବେ ଜାଣିପାରିବେ ନାହିଁ। ମୋ ପରି କେହି ଗୋବିନ୍ଦାଙ୍କୁ ଏତେ ଭଲ ପାଇପାରିବେ ନାହିଁ, କିମ୍ବା କେହି ତାଙ୍କୁ ଏତେ ବୁଝିପାରିବେ ନାହିଁ। ୯୦ଦଶକରେ ଗୋବିନ୍ଦା ଯେମିତି ଥିଲେ, ମୋତେ ସେହି ଗୋବିନ୍ଦା ପସନ୍ଦ। ମୁଁ ଚାହୁଁଛି ମୋର ସେହି ପୁରୁଣା ଗୋବିନ୍ଦା ଫେରିଆସନ୍ତୁ।"