ମୁମ୍ବାଇ: ଦିନ ଥିଲା ଯେତେବେଳେ ଗୋବିନ୍ଦା ବଲିଉଡର ସୁପରଷ୍ଟାର ଥିଲେ। ପ୍ରତ୍ୟୋକ ପ୍ରଯୋଜକ-ନିର୍ଦ୍ଦେଶକ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଥିଲେ। ତାଙ୍କ ନୃତ୍ୟ ଏବଂ ଅଭିନୟ ପ୍ରଶଂସକଙ୍କୁ ବାନ୍ଧି ରଖୁଥିଲା। ନିଜ ଅଭିନୟ ବଳରେ ଗୋବିନ୍ଦା ତାଙ୍କ ବୃତ୍ତିଗତ ଜୀବନରେ ବହୁତ ସଫଳ ହୋଇଛନ୍ତି। ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଲେ ସେ ସୁନୀତା ଅହୁଜାଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ତେବେ ବିବାହର ଏତେ ବର୍ଷ ପରେ ସୁନୀତା ଏକ ବଡ଼ ଖୁଲାସା କରିଛନ୍ତି। ଆର ଜନ୍ମରେ ଗୋବିନ୍ଦା ମୋ ସ୍ବାମୀ ନହୁଅନ୍ତୁ ବୋଲି କହିଛନ୍ତି ସୁନୀତା।

Advertisment

ଏକ ସାକ୍ଷାତକାରରେ ସେ କହିଛନ୍ତି, “ଆମର ଦୁଇଟି ଘର ଅଛି, ଆମ ଆପାର୍ଟମେଣ୍ଟ ସାମ୍ନାରେ ଏକ ବଙ୍ଗଳା ଅଛି। ମୋର ମନ୍ଦିର ଏବଂ ମୋ ପିଲାମାନେ ଫ୍ଲାଟରେ ରହନ୍ତି। ଗୋବିନ୍ଦ‌ା ବୈଠକ ପାଇଁ ଅନେକ ସମୟରେ ବିଳମ୍ବରେ ଘରକୁ ଆସୁଥିବାରୁ ସେ ବଙ୍ଗଳାରେ ରହନ୍ତି। ତାଙ୍କୁ କଥା ହେବାକୁ ଭଲ ଲାଗେ, ସେଥିପାଇଁ ସବୁବେଳେ ୧୦ଜଣଙ୍କୁ ଡାକି ସେମାନଙ୍କ ସହ ଗପନ୍ତି। ମୁଁ ଗପିବାରେ ମୋର ଶକ୍ତି ବ୍ୟର୍ଥ କରେ ନାହିଁ।"

ସୁନୀତା ଆହୁରି ମଧ୍ୟ କହିଛନ୍ତି ଯେ ଗୋବିନ୍ଦା ସର୍ବଦା କାମ କରନ୍ତି ଏବଂ ତାଙ୍କ ପାଖରେ ରୋମାନ୍ସ ପାଇଁ ସମୟ ନାହିଁ। ସେ କହିଛନ୍ତି, “ମୁଁ ତାଙ୍କୁ କହିଛି ଯେ ଆର ଜନ୍ମରେ ସେ ମୋର ସ୍ୱାମୀ ନହେବା ଉଚିତ୍ । ସେ ଛୁଟିରେ ଯାଆନ୍ତି ନାହିଁ। ମୁଁ ଏଭଳି ଜଣେ ବ୍ୟକ୍ତି ଯିଏ ସ୍ୱାମୀଙ୍କ ସହ ବାହାରକୁ ଯାଇ ରାସ୍ତାରେ ଗୁପଚୁପ ଖାଇବାକୁ ଚାହେଁ | ହେଲେ ସେ କାମ କରିବାରେ ଅଧିକ ସମୟ ବିତାନ୍ତି। ଆମେ ଶେଷ ଥର କେବେ ଫିଲ୍ମ ଦେଖିବାକୁ ଯାଇଥିଲୁ ମୋର ମନେ ନାହିଁ।"