ମହାକାଳ ମନ୍ଦିରର ଗର୍ଭଗୃହକୁ ହ୍ୟାଣ୍ଡବ୍ୟାଗ୍ ନେଇ ଯିବାରୁ ଟ୍ରୋଲ ହେଲେ ଗୋବିନ୍ଦାଙ୍କ ପତ୍ନୀ

ମୁମ୍ବାଇ: ବଲିଉଡର ହିରୋ ନମ୍ବର ୱାନ୍ ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ଏବେ ବିବାଦରେ। ନିକଟରେ ସେ ଦର୍ଶନ ପାଇଁ ଉଜୈନର ମହାକାଳ ମନ୍ଦିରରେ ପହଞ୍ଚିଥିଲେ, ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋଗୁଡ଼ିକରେ ସୁନୀତା ମନ୍ଦିରର ଗର୍ଭଗୃହକୁ ଏକ ହ୍ୟାଣ୍ଡବ୍ୟାଗ ନେଇଥିବାର ନଜର ଆସିଥିଲେ। ଯେଉଁଥିପାଇଁ ବର୍ତ୍ତମାନ ତାଙ୍କୁ ଟ୍ରୋଲ କରାଯାଉଛି। ମନ୍ଦିର ଭିତରକୁ ପର୍ସ ବା ହ୍ୟାଣ୍ଡବ୍ୟାଗ୍ ଭଳି ଜିନିଷ ନେବା ଉପରେ ନିଷେଧାଦେଶ ଲାଗିଥିବା ବେଳେ ସୁନୀତା କିଭଳି ନିଜର ହ୍ୟାଣ୍ଡବ୍ୟାଗ୍ ନେଇ ଭିତରକୁ ଗଲେ ଏବେ ସେ ନେଇ ପ୍ରଶ୍ନ କରାଯାଉଛି।

ସୂଚନା ମୁତାବକ, ସୁନୀତା ଅହୁଜା ମେ’ ୧୫ରେ ଉଜୈନର ମହାକାଳ ମନ୍ଦିରରେ ପହଞ୍ଚିଥିଲେ। ସେ ମନ୍ଦିର ଭିତରେ ପୂଜା କରୁଥିବା ବେଳେ ତାଙ୍କ ହାତରେ ଏକ ହ୍ୟାଣ୍ଡବ୍ୟାଗ ଥିବା ଦେଖିବାକୁ ମିଳିଥିଲା,  ଯାହା ଉପରେ ନିଷେଧାଦେଶ ଲଗାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି ମନ୍ଦିର କମିଟିର କୌଣସି ସଦସ୍ୟ ସୁନୀତାଙ୍କ ଏହି କାମ ପ୍ରତି ଧ୍ୟାନ ଦେଇନାହାଁନ୍ତି। ଅନ୍ୟପକ୍ଷରେ, ଯେତେବେଳେ ଏହି ମାମଲା ସଂପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଲା ସେତେବେଳେ ମନ୍ଦିରର ପ୍ରଶାସକ କହିଥିଲେ ଯେ ବ୍ୟାଗକୁ ଭିତରକୁ ନେବା ପାଇଁ କିପରି ଅନୁମତି ଦିଆଗଲା ଏହାର ଫୁଟେଜ ଦେଖିବା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିରର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି ଏବଂ ସୋସିଆଲ ମିଡିଆରେ ଏହି ଫଟୋକୁ ନେଇ ଅନେକ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର