ରୋମ୍ ସାମ୍ରାଜ୍ୟ ଇତିହାସର ପ୍ରତୀକ ପାଲଟିଥିବା ‘କଲୋସିଅମ୍’ ଓ ସେଠାରେ ଗ୍ଲାଡିଏଟର୍ ଯୁଦ୍ଧ କେନ୍ଦ୍ରରେ ରଖି ନିର୍ମିତ ପ୍ରଥମ ‘ଗ୍ଲାଡିଏଟର୍’ (୨୦୦୦) ସିନେମା ଏକ କ୍ଲାସିକ୍ ପାଲଟିଥିବା ବେଳେ ୨୪ ବର୍ଷ ପରେ ଏହାର ପରବର୍ତ୍ତୀ ଭାଗ ନିର୍ମିତ ହେବା ଅନେକ ଉତ୍କଣ୍ଠା ଓ କଳ୍ପନାଜଳ୍ପନାକୁ ଜନ୍ମ ଦେବା ସ୍ବାଭାବିକ। କିଂବଦନ୍ତି ପାଲଟିଥିବା ସିନେ ନିର୍ମାତା ରିଡ୍ଲି ସ୍କଟ୍ ଏଥର ପ୍ରାଚୀନ ରୋମ୍ର ପରିକଳ୍ପନାକୁ ସବୁଠାରୁ ସୁଦୃଶ୍ୟ ଢଙ୍ଗରେ ଉତାରିପାରିଛନ୍ତି ସତ, କିନ୍ତୁ ଏହା ପ୍ରଥମ ଗ୍ଲାଡିଏଟର୍ର କାହାଣୀ ଓ ଅଭିନୟକୁ ଅତିକ୍ରମ କରିବାରେ ବିଫଳ ହୋଇଛି। ଏହାର ଧାରାପ୍ରବାହ ପ୍ରଥମ ଭାଗର ପୁନରାବୃତ୍ତି ପରି ମନେ ହେଉଥିବା ସହ ମୁଖ୍ୟ ଚରିତ୍ରରେ ପଲ୍ ମେସ୍କାଲ୍ଙ୍କ ଅଭିନୟ, ରସେକ କ୍ରୋଙ୍କ ଓସ୍କାର୍ ବିଜୟୀ ପ୍ରଦର୍ଶନ ତୁଳନାରେ ଖର୍ବକାୟ ଦିଶିବା ଅନେକ ଐତିହାସିକ-ସିନେମା ପ୍ରେମୀଙ୍କୁ ନିରାଶ କରିଛି। ତେବେ ପ୍ରଥମ ଭାଗ ଦେଖି ନଥିବା, ଇତିହାସର ସଠିକତାକୁ ନେଇ ଚିନ୍ତିତ ନଥିବା ଦର୍ଶକ ‘ଗ୍ଲାଡିଏଟର୍ ୨’ର ପ୍ରକାଣ୍ଡ ଦୃଶ୍ୟାବଳୀ, ରୋମାଞ୍ଚକର ଲଢ଼େଇ ସିକ୍ବେନ୍ସ ଓ ତତ୍କାଳୀନ ରାଜନୀତିର ଅବତାରଣା ଦେଖି ଅଭିଭୂତ ହେବା ସୁନିଶ୍ଚିତ।
‘ଗ୍ଲାଡିଏଟର୍’ରେ ‘ମାକ୍ସିମସ୍’ ରୋମ୍ ସାମ୍ରାଜ୍ୟରେ ଗଣତନ୍ତ୍ର ପୁନଃପ୍ରତିଷ୍ଠା କରିବାକୁ ଉଦ୍ୟମ କରି କିଭଳି ବିଶ୍ବାସଘାତକତାର ଶିକାର ହେଉଛନ୍ତି ଏବଂ ପ୍ରକାରାନ୍ତରେ ଗ୍ଲାଡିଏଟର୍ ଯୁଦ୍ଧ କୌଶଳ ବଳରେ ପ୍ରତିଶୋଧ ନେବାର ଉଦ୍ୟମ କରୁଛନ୍ତି ତାହା ପ୍ରଦର୍ଶିତ ହୋଇଥିବା ବେଳେ ‘ଗ୍ଲାଡିଏଟର୍ ୨’ରେ ତାଙ୍କ ପୁଅ ‘ଲୁସିଅସ୍’ (ପଲ୍ ମେସ୍କାଲ୍) ଅନୁରୂପ ଢଙ୍ଗରେ ଗ୍ଲାଡିଏଟର୍ ଯୋଦ୍ଧା ସାଜି ନିଜ ପରିବାର ସଦସ୍ୟମାନଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଚେଷ୍ଟା କରିଛନ୍ତି। ଉଭୟ କାହାଣୀର କେନ୍ଦ୍ରରେ ରହିଛି ସେହି ‘କଲୋସିଅମ୍’। ହେଲେ ଏଥର ଉନ୍ନତ ଜ୍ଞାନକୌଶଳ ଓ ବ୍ୟୟବହୁଳ ସେଟ୍ ଯୋଗୁଁ ରୋମ୍ ନଗରୀର ସବୁଠାରୁ ସୁନ୍ଦର ରୂପ ସିେନମା ପରଦାରେ ଦେଖିବାକୁ ମିଳିଛି। ତେବେ ସବୁଠାରୁ ଭଲ କଥା ହେଉଛି ଗଣତନ୍ତ୍ର ନିଜର ଆଦ୍ୟ ସ୍ବରୂପ ଲାଭ କରିଥିବା ଭୂଇଁରେ ସାଧାରଣ ଲୋକଙ୍କ ଦୁରବସ୍ଥା ଓ ପରାଧୀନ ସ୍ଥିତି ପରି ଅପ୍ରୀତିକର ବାସ୍ତବତାକୁ ନିର୍ମାତା କଲୋସିଅମ୍ର ବିଶାଳତା ପଛରେ ଲୁଚାଇ ଦିଆଯାଇନାହିଁ। ଶାସକଙ୍କ ମନୋମୁଖୀ ନୀତି ନେଇ ସାଧାରଣ ଜନତାଙ୍କ ଆକ୍ରୋଶ ସମ୍ରାଟଙ୍କୁ ଭୟଭୀତ କରି ରଖିଥିବାର ଏକାଧିକ ଦୃଶ୍ୟ ଏଥିରେ ରହିଛି।
ଏହି ସିନେମାଟି ‘ଐତିହାସିକ’ ହୋଇଥିଲେ ହେଁ ବାସ୍ତବତା ସହିତ ଏଥିରେ ଅନେକ ଅସାମଞ୍ଜସ୍ୟ ରହିଛି। କାହାଣୀ ଲେଖକ ଓ ନିର୍ଦେଶକ ନିଜ କଳାତ୍ମକ ସ୍ବାଧୀନତାର ପର୍ଯ୍ୟାପ୍ତ ଉପଯୋଗ କରିଛନ୍ତି ବୋଲି ଏଥିରୁ ଜଣାପଡ଼େ। ତଥାପି କୌଣସି ଇଟାଲୀୟ ସଂଗଠନ ବା ବ୍ୟକ୍ତି ଏହା କହି ପ୍ରତିବାଦ କରିବା ଦେଖାଯାଇନାହିଁ ଯେ ତାଙ୍କ ଦେଶର ଇତିହାସ ଓ ସଂସ୍କୃତି ସହିତ ସିନେମାଟି ଅନ୍ୟାୟ କରିଛି। ଦୁଃଖର କଥା ଯେ ଭାରତରେ ଇତିହାସରୁ ଅନୁପ୍ରାଣିତ ସିନେମା ‘ଗ୍ଲାଡିଏଟର୍ ୨’ର କଳାତ୍ମକ ସ୍ବାଧୀନତା ଉପଭୋଗ କରିପାରେ ନାହିଁ। ‘ଗେମ୍ ଅଫ୍ ଥ୍ରୋନ୍ସ’ ଟେଲିଭିଜନ୍ ସିରିଜ୍ର ପ୍ରଭାବ ସମେତ ତାହାର ପ୍ରସିଦ୍ଧ ଅଭିନେତା ପେଦ୍ରୋ ପାସ୍କଲ୍ଙ୍କ ଅଭିନୟ ଏହି ସିନେମାରେ ଦେଖିବାକୁ ମିଳିଛି। ପରାକ୍ରମୀ କିନ୍ତୁ କରୁଣ ସେନାପତି ‘ମାର୍କସ ଆକାସିଅସ୍’ ଭଳି ଜଟିଳ ଚରିତ୍ରକୁ ସେ ଅତି ସହଜରେ ନିର୍ବାହ କରିଛନ୍ତି। ତେବେ ସିନେମାଟି ଗତିଶୀଳ ହେବା ସହିତ ଡେନ୍ଜେଲ୍ ଵାସିଂଟନ୍ ‘ମାକ୍ରିନସ୍’ ଚରିତ୍ରରେ ପଦାର୍ପଣ କରି ସବୁତକ ଧ୍ୟାନ ଆକର୍ଷଣ କରିନିଅନ୍ତି। ଗୋଟିଏ ଅବିଶ୍ବସନୀୟ ଦୃଶ୍ୟରେ କଲୋସିଅମ୍ର ରଣଭୂମିଟି ପାଣିରେ ଭର୍ତ୍ତି ହୋଇଯାଇଛି (ଯେଉଁଠି ତିମି ମାଛ ପହଁରୁଛନ୍ତି!) ଓ ସେଥିରେ ଦୁଇ ପକ୍ଷ ଜାହାଜରେ ଲଢ଼େଇ କରୁଛନ୍ତି। ଏହି ଦୃଶ୍ୟଟି ଅବାସ୍ତବ ମନେ ହେଉଥିଲେ ହେଁ କଲୋସିଅମ୍ଟି ବାସ୍ତବରେ ଏକ ହ୍ରଦ ଉପରେ ନିର୍ମିତ ଏବଂ ତାହା ଜଳ ଧାରଣ କରିବାକୁ ସକ୍ଷମ ବୋଲି ଜାଣି ଆଶ୍ଚର୍ଯ୍ୟ ଲାଗିଲା। ଏହି ସିନେମାଟି ନୂଆ ପିଢ଼ିର ପିଲାମାନଙ୍କୁ ରୋମ୍ ଇତିହାସ, କଲୋସିଅମ୍ ଓ ଗ୍ଲାଡିଏଟର୍ମାନଙ୍କ ସମ୍ପର୍କରେ ଅଧିକ ଜାଣିବା ଲାଗି ନିଶ୍ଚିତ ଜିଜ୍ଞାସା ଜାତ କରିବ।