ମହାନାୟକଙ୍କୁ ମହାସମ୍ମାନ

ନୂଆଦିଲ୍ଲୀ : ଖ୍ୟାତନାମା ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ ୨୦୧୯ ମସିହା ପାଇଁ ସିନେଜଗତର ସର୍ବଶ୍ରେଷ୍ଠ ସମ୍ମାନ ୫୧ତମ ‘ଦାଦା ସାହେବ ଫାଲ୍‌କେ ସମ୍ମାନ’ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହା ଘୋଷଣା କରି ରଜନୀକାନ୍ତଙ୍କୁ ଭାରତୀୟ ସିନେମା ଇତିହାସର ଜଣେ ଶ୍ରେଷ୍ଠ ଅଭିନେତା ଭାବେ ଅଭିହିତ କରିଛନ୍ତି। ବିଶେଷ କରି ଜଣେ ଅଭିନେତା ସାଙ୍ଗକୁ ସିନେ ପ୍ରଯୋଜକ ଏବଂ ପ୍ରଚ୍ଛଦପଟ ଲେଖକ ହିସାବରେ ରଜନୀକାନ୍ତଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିଛି ବୋଲି ଜାଭଡ଼େକର କହିଛନ୍ତି। ଏଥି ସହିତ ଏହି ସମ୍ମାନର ଚୟନ କମିଟି ସଦସ୍ୟ ଥିବା ଆଶା ଭୋନ୍‌ସଲେ, ମୋହନଲାଲ, ସୁଭାଷ ଘାଇ, ବିଶ୍ବଜିତ ଚାଟର୍ଜୀ ଓ ଶଙ୍କର ମହାଦେବନ୍‌ଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ଏହ ଖବର ପ୍ରଚାର ମାତ୍ରେ ରଜନୀକାନ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅସଂଖ୍ୟ ପ୍ରଶଂସକ, ସମର୍ଥକ ଓ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇଛନ୍ତି। ରଜନୀକାନ୍ତ ମଧ୍ୟ ଏଥିପାଇଁ କୃତଜ୍ଞତା ଜଣାଇବା ସହ ତାଙ୍କର ଏହି ବିରଳ କୃତିତ୍ବର ଶ୍ରେୟ, ଅତୀତରେ ସେ ବସ୍‌ କଣ୍ଡକ୍ଟର ଥିଲା ବେଳେ ତାଙ୍କ ଅଭିନୟ ଚାତୁରୀକୁ ଠଉରେଇ ପାରିଥିବା ବସ୍‌ ଚାଳକ, ବନ୍ଧୁ ରାଜ ବାହାଦୂର ଏବଂ ତାଙ୍କ ସଂଘର୍ଷମୟ ଦାରିଦ୍ର୍ୟ ବେଳେ ଅନେକ କିଛି ଉତ୍ସର୍ଗ କରିଥିବା ଭାଇ ସତ୍ୟନାରାୟଣ ରାଓ ଗାଇକ୍ବାଡ଼ଙ୍କୁ ଦେଇଛନ୍ତି। ସେହିପରି ତାଙ୍କୁ ଜଣେ ଦକ୍ଷ ଅଭିନେତା ଭାବେ ପ୍ରତିଷ୍ଠିତ କରାଇଥିବା ଗୁରୁ କେ ବାଲଚନ୍ଦରଙ୍କ ସମେତ ବିଭିନ୍ନ ପ୍ରଯୋଜକ, ନିର୍ଦ୍ଦେଶକ, ବିତରକ, ଗଣମାଧ୍ୟମ ଓ ତାମିଲ ଲୋକଙ୍କୁ ସେ ବଧେଇ ଜଣେଇଛନ୍ତି। ସ୍ମରଣଯୋଗ୍ୟ, ୧୯୭୫ ମସିହାରେ କେ ବାଲଚନ୍ଦରଙ୍କ ତାମିଲ ସିନେମା ଅପୂର୍ବ ରାଗାଙ୍ଗଲରେ ପ୍ରଥମେ ପଦାର୍ପଣ କରିଥିବା ରଜନୀକାନ୍ତ ପରେ ନିଜ ବଳିଷ୍ଠ ଅଭିନୟ କଳାରେ ହିନ୍ଦୀ ସିନେମାର ସୁପରଷ୍ଟାର ପାଲଟି ଯାଇଥିଲେ। ତାଙ୍କ ଅଭିନୟ ଜୀବନ ଭିତରେ ସେ ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ସମ୍ମାନ, ୨୦୦୦ରେ ପଦ୍ମଭୂଷଣ ଏବଂ ୨୦୧୬ ମସିହାରେ ପଦ୍ମବିଭୂଷଣ ସମ୍ମାନ ପ୍ରାପ୍ତ ହୋଇଥିଲେ। ଏଥି ସହତ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବର ୪୫ ତମ ସଂସ୍କରଣରେ ସେ ଶ୍ରେଷ୍ଠ ଭାରତୀୟ ଅଭିନେତା ଭାବେ ଶତବାର୍ଷିକୀ ସମ୍ମାନ ଲାଭ କରିଥିଲେ।

.jagran.com

ପୁରସ୍କାରର ଲମ୍ବା ତାଲିକା
ଭାରତୀୟ ତଥା ତାମିଲ୍‌ ଚଳଚ୍ଚିତ୍ର ଜଗତର ମହାନ କଳାକାର ରଜନୀକାନ୍ତଙ୍କ ସଫଳତା ଯେମିତି ଆକାଶଛୁଆଁ, ପୁରସ୍କାରର ଫର୍ଦ୍ଦ ବି ସେତିକି ଅଧିକ। ତାଙ୍କ ନାମରେ ରହିଛି ଭାରତର ଦୁଇ ଦୁଇଟି ବେସାମରିକ ସମ୍ମାନ ‘ପଦ୍ମ ବିଭୂଷଣ’ ଓ ‘ପଦ୍ମ ଭୂଷଣ’। ଏଥିସହ ୪ଟି ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ‌ଶ୍ରେଷ୍ଠ ଅଭିନେତା ସମ୍ମାନ, ଗୋଟିଏ ଫିଲ୍ମ ଫେୟାର ଶ୍ରେଷ୍ଠ ତାମିଲ ଅଭିନେତା ସମ୍ମାନ। ଏହାବ୍ୟତୀତ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସେ ଅନେକ ପୁରସ୍କାରର ହକ୍‌ଦାର ହୋଇଛନ୍ତି। ଏଥିସହ ଦିଗ୍‌ଗଜ୍‌ ଅଭିନେତା ଏମ୍‌.ଜି ରାମଚନ୍ଦ୍ରନ୍‌ଙ୍କ ପରେ ତାମିଲ୍‌ ଚଳଚ୍ଚିତ୍ର ଜଗତର ସବୁଠାରୁ ଦାମୀ ଅଭିନେତା ହେଉଛନ୍ତି ରଜନୀକାନ୍ତ।

‘ବାସା‌’ ଚଳଚ୍ଚିତ୍ର ତାଙ୍କୁ ଭଗବାନ କରି ଦେଇଥିଲା
୧୯୭୫ ମସିହାରେ ‘ଅପୂର୍ବା ରାଗାଙ୍ଗଲ’ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିବା ରଜନୀକାନ୍ତ ଜୀବନରେ ବହୁ ଘାତପ୍ରତିଘାତର ସମ୍ମୁଖୀନ ହୋଇଛନ୍ତି। ସେ ବହୁ ଭାଷାରେ ଚଳଚ୍ଚିତ୍ର କରିଥିବା ବେଳେ ୧୯୯୫ ମସିହାର ସୁରେଶ କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ବାସା’ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା। ଏହା ବକ୍ସ-ଅଫିସ୍‌ରେ ଧମାକା କରିଥିବା ବେଳେ ରଜନୀଙ୍କୁ ଏହି ଚଳଚ୍ଚିତ୍ର ତାମିଲ ଚଳଚ୍ଚିତ୍ର ଜଗତର ଭଗବାନ କରି ଦେଇଥିଲା। ଏହାପରେ ୨୦୦୭ ମସିହାରେ ‘ଶିବାଜୀ’ ବହୁ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିବା ସହ ତୃତୀୟ ୧୦୦ କୋଟି ଟଙ୍କାରୁ ଊର୍ଧ୍ବ ଆୟ କରିଥିବା ଚଳଚ୍ଚିତ୍ରରେ ପରିଣତ ହୋଇଥିଲା। ଏହି ଚଳଚ୍ଚିତ୍ର ପାଇଁ ରଜନୀ ୨୬କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ, ଯାହାକି ସେ ସମୟର ସର୍ବାଧିକ ପାରିଶ୍ରମିକ ଥିଲା। ଏହା ପରେ ବିଜ୍ଞାନ ପରିକଳ୍ପିତ ଚଳଚ୍ଚିତ୍ର ‘‌ରୋବଟ୍‌’ ଓ ଏହାର ସିକ୍ବେଲ ‘୨.୦’ ସେ ସମୟର ସବୁଠୁ ଦାମୀ ଚଳଚ୍ଚିତ୍ର ଥିଲା। ଚଳଚ୍ଚିତ୍ର ନିର୍ମାଣରେ ଖୁବ୍‌ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବକ୍ସ ଅଫିସ୍‌ରେ ଚଳଚ୍ଚିତ୍ରଗୁଡ଼ିକ ବେଶ୍‌ ଭଲ ଆୟ ମଧ୍ୟ କରିଥିଲେ।

କା‌ବେରୀ ନଦୀ ଜଳ ପାଇଁ ଗୋଟିଏ ଦିନର ଅନଶନ
ରଜନୀକାନ୍ତ ନିଜ ସଂଳାପ ଓ ନିଆରାଶୈଳୀ ଯୋଗୁଁ ‌ବେଶ୍‌ ଲୋକପ୍ରିୟ। ଏଥିସହ ନିଜ ରାଜନୈତିକ ମନ୍ତବ୍ୟ ଓ ଲୋକପକାର ପାଇଁ ବି ସେତିକି ଚର୍ଚ୍ଚିତ। ତାମିଲନା‌ଡ଼ୁକୁ କାବେରୀ ନଦୀ ପାଣି ନ ଛାଡ଼ିବାକୁ ନେଇ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ୨୦୦୨ ମସିହାରେ ରଜନୀ ଦିନିକିଆ ଅନଶନରେ ବସିଥିଲେ। ଏଥିସହ ଭାରତୀୟ ନଦୀଗୁଡ଼ିକର ଅନ୍ତଃସଂଯୋଗ ଯୋଜନା ପାଇଁ ସେ ୧୦ ମିଲିଅନ୍‌ ଟଙ୍କାର ଅନୁଦାନ ରାଶି ବି ପ୍ରଦାନ କରିଥିଲେ।

ସିବିଏସ୍‌ସି ପାଠ୍ୟକ୍ରମରେ ରଜନୀକାନ୍ତ
ସିବିଏସ୍‌ସି ପାଠ୍ୟକ୍ରମରେ ସ୍ଥାନ ପାଇଥିବା ପ୍ରଥମ ଓ ଏକମାତ୍ର ଅଭିନେତା ହେଉଛନ୍ତି ରଜନୀକାନ୍ତ। ସିବିଏସ୍‌ସି ସିଲାବସ୍‌ରେ ଗୋଟିଏ ବିଷୟ ରହିଛି ‘ଫ୍ରମ୍‌ ବସ୍‌ କଣ୍ଡକ୍ଟର୍‌ ଟୁ ସୁପରଷ୍ଟାର୍‌’ ଅର୍ଥାତ୍‌ ‘ବସ୍‌ କଣ୍ଡକ୍ଟରରୁ ସୁପର୍‌ଷ୍ଟାର୍‌’ ଯାହାକି ରଜନୀକାନ୍ତଙ୍କ ଜୀବନୀ ଉପରେ ଆଧାରିତ। ଏଥିସହ ତାଙ୍କ ଦର୍ଶକୀୟ ଆଦୃତିକୁ ନେଇ ଚଳଚ୍ଚିତ୍ର ‘ଫର୍‌ ଦ ଲଭ୍‌ ଅଫ୍‌ ଏ ମ୍ୟାନ୍‌’ର ପ୍ରିମିଅର୍‌ ୭୧ତମ ଭେନିସ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା।

ସମ୍ବନ୍ଧିତ ଖବର