ରାଜେନ୍ଦ୍ର ମହାନ୍ତଙ୍କ ନିର୍ଦ୍ଦେଶିତ ‘ଦି ମିଲେଟ୍ ଡାଏରୀ’ ଜରିଆରେ ନବାଗତ ନାୟକ ଅଭିଷେକ ପଣ୍ଡା ଓଲିଉଡ୍ରେ ପଦାର୍ପଣ କରିଥିଲେ। ତେବେ ରାଜା ଡି.ଙ୍କ ନିର୍ଦ୍ଦେଶିତ ‘ଘମାଘୋଟ୍’ ହେଉଛି ଅଭିଷେକଙ୍କ ଅଭିନୀତ ପ୍ରଥମ ମୁକ୍ତିପ୍ରାପ୍ତ ସିନେମା। ଏହା ଚଳିତ ବର୍ଷ ମୁକ୍ତିଲାଭ କରିଥିଲା। ଏଥିରେ ଜଣେ ଲୋଭୀ ଯୁବକ ଅବିନାଶ ପଣ୍ଡା ଚରିତ୍ରରେ ନଜର ଆସିଥିଲେ ଅଭିଷେକ। ପ୍ରଥମ ଛବିରେ ସଂପୂର୍ଣ୍ଣ ଭିନ୍ନ ଧରଣର ଚରିତ୍ରରେ ଆସି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସେ।
ଏହାପରେ ଅଭିଷେକ ଅଶ୍ବିନ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ମଟର ସାଇକେଲ୍’ରେ ଅନ୍ୟତମ ନାୟକ ଭାବେ ଅଭିନୟ କରିଛନ୍ତି। ଏଥିରେ ତାଙ୍କୁ ଗାଁର ଜଣେ ଲଫଙ୍ଗା ଟୋକା ଭୂମିକାରେ ଦେଖିବାକୁ ମିଳିବ। କିନ୍ତୁ ଏହି ହାଲ୍କା ଚରିତ୍ରଟି ପରବର୍ତ୍ତୀ ସମୟରେ କାହାଣୀର ମୋଡ଼ ବଦଳାଉଛି। ଯୌତୁକ ପ୍ରଥା ଉପରେ ଆଧାରିତ କମେଡି ଫିଲ୍ମ ‘ମଟର ସାଇକେଲ୍’ରେ ପୁଣି ଏକ ଭିନ୍ନ ଧରଣର ଭୂମିକା ମିଳିଥିବାରୁ ସେ ଆତ୍ମସନ୍ତୋଷ ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି ଅଭିଷେକ।