‘ପଦ୍ମାବତ୍‌’ ନାମରେ ରିଲିଜ ହେବ ସଂଜୟ ଲୀଲା ଭଂସାଲିଙ୍କ ବହୁଚର୍ଚ୍ଚିତ ଛବି ‘ପଦ୍ମାବତୀ’, ସିବିଏଫସି ଦେଲା ସବୁଜ ସଂକେତ

ନୂଆଦିଲ୍ଲୀ: ସେନ୍‌ସର୍‌ ବୋର୍ଡ ସବୁଜ ସଙ୍କେତ ଦେଲା ‘ପଦ୍ମାବତୀ’କୁ । ସିବିଏଫସିର ବିଚାରକ ମଣ୍ଡଳୀ ସଞ୍ଚୟଲୀଲା ଭଂସାଲି ବହୁଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତୀ’କୁ ଦେଖିବା ପରେ ଏହାର ନାମ ପରିବର୍ତ୍ତନ ଲାଗି ସୁପାରିଶ କରିଛନ୍ତି। ଫିଲ୍ମର ନାମ ପଦ୍ମାବତୀ ବଦଳରେ ‘ପଦ୍ମାବତ’ ରଖିବାକୁ ପରାମର୍ଶ ଦେଇଛନ୍ତି।

ଡିସେମ୍ବର ୨୮ ତାରିଖ ଦିନ ସିବିଏଫସିର ବିଚାରକ ମଣ୍ଡଳୀ ଏଥିଲାଗି ଏକ ସ୍ୱତନ୍ତ୍ର ବୈଠକରେ ଏକତ୍ରୀତ ହୋଇ ‘ପଦ୍ମାବତୀ’କୁୁ ୟୁ/ଏ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ତେବେ ଶନିବାର ଅନୁଷ୍ଠିତ ଚୂଡାନ୍ତ ବୈଠକରେ ବିଚାରକ ମଣ୍ଡଳୀଙ୍କ ସହ ସିବିଏଫସିର କର୍ମକର୍ତ୍ତା, ଅଧ୍ୟକ୍ଷ ପ୍ରସୂନ୍‌ ଯୋଶୀ ଏବଂ ‘ପଦ୍ମାବତୀ’ର ସେନ୍‌ସର୍‌ ଲାଗି ଗଠିତ ସ୍ୱତନ୍ତ୍ର ପରାମର୍ଶଦାତା ମଣ୍ଡଳୀର ସଦସ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ସିନେମାର ନାମ ପରିବର୍ତ୍ତନ ସହ ବିବାଦୀୟ ‘ଘୁମର୍‌’ ଗୀତରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଫିଲ୍ମର କାହାଣୀରେ ‘ସତୀ’ ପ୍ରଥାକୁ ଗୌରାବାନ୍ଵିତ କରିବା ଭଳି ଦୃଶ୍ୟ ଏବଂ ସଂଳାପକୁ ବାଦ ଦେବାକୁ ସୁପାରିଶ କରାଯାଇଛି।

ଦୀପିକା ପାଦୁକୋନ୍‌ ରଣବୀର ସିଂ ଓ ସାହିଦ୍‌ କପୁର ଅଭିନୀତ ତଥା ସଂଜୟ ଲୀଲା ଭସାଂଲୀଙ୍କ ନିର୍ଦ୍ଦେଶିତ ‘ପଦ୍ମାବତୀ’ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ବିବାଦ ଘେରରେ ରହି ଆସିଛି। ସିବିଏଫସିଙ୍କ ଏହି ପଦକ୍ଷେପ ପରେ ବିବାଦର ଅନ୍ତ ଘଟିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର