ଓଲିଉଡ୍‌ର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ଅଧିକାଂଶ ସିନେମାରେ ମୁଖ୍ୟ ନାୟିକା ଭାବେ ନଜର ଆସିଛନ୍ତି। ୨୦୦୩ରେ ମୁକ୍ତିଲାଭ କରିଥିବା ବିନୟ ନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଏ ଯୁଗର କୃଷ୍ଣ ସୁଦାମା’ ଜରିଆରେ ସେ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ୩୦ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ସିନେମାରେ ମୁଖ୍ୟ ନାୟିକା ଭାବେ ନଜର ଆସିଛନ୍ତି। ତେବେ ସଞ୍ଜୟ ନାୟକ(ଟୁଟୁ)ଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ମୁଁ ତତେ ଲଭ୍‌ କରୁଚି’ରେ ବର୍ଷା ଅତିଥି କଳାକାର ଭୂମିକାରେ ଅଭିନୟ କରିଥିଲେ। ଏହି ସିନେମାରେ ସିଦ୍ଧାନ୍ତ ଓ ଅରିନ୍ଦମ ନାୟକ ଭୂମିକାରେ ଥିବା ବେଳେ ନମ୍ରତା ଥିଲେ ନାୟିକା। ସିନେମାର କ୍ଲାଇମାକ୍ସ ସିନ୍‌ରେ ହଠାତ୍ ବର୍ଷାଙ୍କର ଆବିର୍ଭାବ ଘଟିଥିଲା। ପରଦାରେ ପ୍ରିୟ ନାୟିକାଙ୍କୁ ଦେଖି ଦର୍ଶକ ତାଳିମାଡ଼ କରିଥିଲେ। ଶେଷରେ କାହାଣୀ‌ରେ ଟୁଇଷ୍ଟ ଆସିଥିଲା ଏବଂ ନମ୍ରତା ଅରିନ୍ଦମଙ୍କ ନାୟିକା ବନିଗଲେ। ଆଉ ସିଦ୍ଧାନ୍ତଙ୍କର ନାୟିକା ହେଲେ ବର୍ଷା ପ୍ରିୟଦର୍ଶିନୀ।

Advertisment

ତରଙ୍ଗ ସିନେ ପ୍ରଡକସନ୍ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ମିଷ୍ଟର ମଜନୁ’ରେ ବାବୁସାନ୍ ନାୟକ ଭୂମିକାରେ ଅଭିନୟ କରିଥିଲେ। ତିନିଜଣ ଯୁବତୀଙ୍କ ପ୍ରେମରେ ପଡ଼ି ସେ ହନ୍ତସନ୍ତ ହେଉଥିଲେ। ଫିଲ୍ମର କ୍ଲାଇମାକ୍ସ ସିନ୍‌ରେ ସେ ହସ୍ପିଟାଲ ବେଡ୍‌ରେ ଥାଆନ୍ତି। ଏହି ସମୟରେ ଜଣେ ସୁନ୍ଦରୀ ଡାକ୍ତରାଣୀ ତାଙ୍କୁ ଚିକିତ୍ସା କରିବାକୁ ଆସନ୍ତି। ତାଙ୍କୁ ଦେଖି ବାବୁସାନଙ୍କ ମନ ପୁଣି ଚହଲିଯାଏ। ହେଲେ ନିଜ ପରିସ୍ଥିତି ମନେପକାଇ ମନକୁ ସମ୍ଭାଳି ନିଅନ୍ତି। ଏହି ଡାକ୍ତରାଣୀ ଚରିତ୍ରରେ କେବଳ ଗୋଟିଏ ସିନ୍‌ରେ ଅତିଥି କଳାକାର ଭାବେ ଭୂମିକା ଦାଶଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। ଆଉ ଭୂମିକାଙ୍କୁ ସମର୍ଥନ ବି ଦେଇଥିଲେ । ଠିକ୍ ସେହିପରି ସେ ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ବାବୁ ଭାଇଜାନ୍’ରେ ବି ଅତିଥି କଳାକାର ବନିଥିଲେ। 
‘ଆଇ ଲଭ୍’ ୟୁ ଫେମ୍ ନାୟିକା ନମ୍ରତା ଥାପ୍ପା ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ଗଞ୍ଜା ଲଢ଼େଇ’ରେ ଅତିଥି କଳାକାର ବନିଥିଲେ। ଏଥିରେ ତାଙ୍କର ସମ୍ବିତଙ୍କ ସହ ଅଳ୍ପ କେତୋଟି ସିନ୍ ଏବଂ ଗୋଟିଏ ଗୀତ ଥିଲା।

ସିନେମାର କ୍ଲାଇମାକ୍ସ ସିନ୍ ଚାଲିଥିବ, ଏହି ସମୟରେ ପରଦାରେ ହଠାତ୍ ଜଣେ ନାମକରା ନାୟିକାଙ୍କର ଆବିର୍ଭାବ ହେବ। ନାୟିକା ଅତିଥି ଭୂମିକାରେ ଅଛନ୍ତି ବୋଲି ଆଗରୁ ଦର୍ଶକଙ୍କୁ ଜଣା ନଥିବ। ଆଉ ତା’ପରେ ତାଳିମାଡ଼ରେ ପ୍ରେକ୍ଷାଳୟ କମ୍ପିବ। ଦର୍ଶକଙ୍କୁ ଆକର୍ଷିତ କରିବା ଲାଗି ବେଶ୍ କେତୋଟି ଓଡ଼ିଆ ଚଳଚ୍ଚିତ୍ରରେ ଏମିତି କରାଯାଇଛି। ଆଉ ଏଥିଲାଗି ସଂପୃକ୍ତ ନାୟିକା ବି ଦର୍ଶକୀୟ ଆଦର ପାଇଛନ୍ତି। ଅତିଥି ଭୂମିକା ନିଭାଇ ଚର୍ଚ୍ଚାରେ ଥିବା ନାୟିକାଙ୍କ ସଂପର୍କରେ କିଞ୍ଚିତ୍...

ସେହିପରି ପିଙ୍କି ପ୍ରଧାନ ନିରଞ୍ଜନ ରଣାଙ୍କ ପ୍ରଯୋଜିତ ତଥା ଏସ୍ କେ ମୁରଲୀଧରନ୍‌ଙ୍କ ନିର୍ଦ୍ଦେଶିତ  ‘ଟାର୍ଗେଟ’ରେ ଅତିଥି କଳାକାର ବନିଥିଲେ। ଏଥିରେ ତାଙ୍କୁ ଜଣେ ଆଙ୍ଗ୍ରି ଆଇପିଏସ୍ ଅଧିକାରୀ ଭୂମିକା ମିଳିଥିଲା।  ଜଣାଶୁଣା ନାୟିକା ଜୀନା ବି ଶ୍ରୀବଳଦେବଜୀଉ ପ୍ରଡକସନ୍ ନିବେଦିତ ତଥା ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ରସିକ ନାଗର’ରେ ଅତିଥି କଳାକାର ଭାବେ ପରଦାରେ ଉଭା ହୋଇଥିଲେ। ଏଥିରେ ସିଦ୍ଧାନ୍ତଙ୍କ ସହ କେବଳ ଗୋଟିଏ ଗୀତ ଦୃଶ୍ୟରେ ନଜର ଆସିଥିଲେ ସେ। ଠିକ୍ ସେହିପରି ପୁପିନ୍ଦରଙ୍କ ପ୍ରଯୋଜିତ ତଥା ଜ୍ୟୋତି ଦାସଙ୍କ ନିର୍ଦ୍ଦେଶିତ ‘ଶୁଭବିବାହ’ରେ ଅତିଥି ଭୂମିକାରେ ନଜର ଆସିଥିଲେ ଜୀନା। ଅତିଶ ରାଉତଙ୍କ ପ୍ରଯୋଜିତ ତଥା ଦେବାଶିଷ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଭୋଟ୍’ରେ ପିଙ୍କି ପ୍ରିୟଦର୍ଶିନୀଙ୍କୁ  ଅତିଥି କଳାକାର ଭାବେ ଦେଖିବାକୁ ପାଇଥିଲେ ଦର୍ଶକ।। ତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଦେଖା ଦେଇଥିଲେ ନବାଗତ ସୁଶାନ୍ତ।

ଚଳିତ ବର୍ଷ ମୁକ୍ତିଲାଭ କରିଥିବା ‘ଟିକେ ଟିକେ ଅଚିହ୍ନା ତୁ’ରେ ଆଗଧାଡ଼ିର ନାୟିକା ସୂର୍ଯ୍ୟମୟୀଙ୍କୁ ମଧ୍ୟ ଅତିଥି ଭୂମିକା ମିଳିଥିଲା। ଏଥିରେ ସେ ନଜର ଆସିଥିବା ଗୀତ ‘ଯେଉଁ ଦିନ ତୁ ହଉଲୋ ସଜ…’ ବେଶ୍ ଲୋକପ୍ରିୟ ହୋଇଥିଲା। ଏଣେ ‘ଚାଲ୍ ଟିକେ ଦୁଷ୍ଟ ହେବା’ ଓ ‘ମନ ମ୍ୟୁଜିୟମ୍’ ଫେମ୍ ନାୟିକା ସାୟଲ୍ ବି ଗିରିଶ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଚୁମ୍‌କି ସେତ ପାଣିରେ ବୁଡ଼ିବ ନାହିଁକି’ରେ ଅତିଥି କଳାକାର ଭାବେ ନଜର ଆସିଥିଲେ। ଏବେ ମୁକ୍ତି ପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ନାୟିକା ପ୍ରିୟଙ୍କା ସାହୁଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ପାଇବେ ଦର୍ଶକ। ଏଥିରେ ତାଙ୍କ ଉପରେ ଏକ ଗୀତ ପିକଚରାଇଜେସନ୍ ହୋଇଛି। ଅନ୍ୟ ଏକ ରିଲିଜ୍ ଅପେକ୍ଷାରେ ଥିବା କୁହୁ ସିନେଫ୍ଲିକ୍ସ ଓ ଭଦ୍ର ମୋସନ୍ ଷ୍ଟୁଡିଓର ସିନେମା ‘ଖୋକା ଭାଇ ତମ ପାଇଁ’ରେ ଜଣାଶୁଣା ନାୟିକା ଅଙ୍କିତା ଦାଶଙ୍କୁ ସେହିଭଳି ଏକ ଭୂମିକାରେ ଭେଟିବେ ସିନେପ୍ରେମୀ। ଏଥିରେ ନାୟକ ସ୍ବରାଜଙ୍କ ସହ ତାଙ୍କର ଏକ ଗୀତ ଓ କିଛି ସିନ୍ ରହିଛି।