ସମସ୍ତଙ୍କୁ ମୁଁ ପାଇଥିବା ଟ୍ରଫି ସହ ଫଟୋ ଦରକାର ମୋ ସହ ନୁହେଁ: ଗୁନୀତ୍ ମୋଙ୍ଗା

ନୂଆଦିଲ୍ଲୀ: ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ କମାଲ କରିଥିଲା ଭାରତ। ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିବା ସହ କାର୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କ ‘ନେଟ୍‌ଫ୍ଲିକ୍ସ୍‌’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିଲା। ଏହି ସଫଳତା ପରେ ଗୁନୀତଙ୍କ ଲୋକପ୍ରିୟତା ବଢ଼ିଥିଲେ ବି କେହି ତାଙ୍କ ସହ ଫଟୋ ଉଠାଇବାକୁ ଚାହୁନଥିବା କହିଛନ୍ତି ଗୁନୀତ୍।

ଦ କପିଲ ଶର୍ମା ସୋ’କୁ ଆସି ଗୁନୀତ୍ ଏଭଳି କହିଥିବା ଜଣାପଡ଼ିଛି। କପିଲ ଶର୍ମା ଗୁନୀତ୍ ମୋଙ୍ଗାଙ୍କୁ ପଚାରିଥିଲେ ଯେ ଯେତେବେଳେ ଆପଣ ଓସ୍କାର ଜିତିବା ପରେ ଭାରତ ଫେରିଲେ, ସେତେବେଳେ ଆପଣଙ୍କ ସମ୍ପର୍କୀୟମାନେ ଆପଣଙ୍କ ସହ ଫଟୋ ଉଠାଇଥିଲେ ନା ଟ୍ରଫି ସହ? ଏହାର ଜବାବ ଦେଇ ଗୁନୀତ୍ କହିଥିଲେ ଯେ ଟ୍ରଫି ସହିତ। ମୁଁ ଭାବୁନାହିଁ ଯେ ମୋ ସହିତ କେହି ଫଟୋ ଉଠାଇବାକୁ ଚାହୁଛନ୍ତି। ସମସ୍ତେ ମୁଁ ପାଇଥିବା ଟ୍ରଫିକୁ ନେଇ ଟ୍ରଫି ସହିତ ଫଟୋ ଉଠାନ୍ତି।

ତେବେ ଓସ୍କାର ମିଳିବା ପରେ ମଞ୍ଚ ଉପରେ କହିବାର ସୁଯୋଗ ନମିଳିବାରୁ ନିରାଶ ହୋଇଥିବା କହିଥିଲେ ମୋଙ୍ଗା। ଅତୀତରେ ଏକ ସାକ୍ଷାତକାରରେ ସେ କହିଥିଲେ, ମୋତେ କହିବାର ସୁଯୋଗ ନମିଳିବାର ଦୁଃଖ ମୋ ମୁହଁରେ ସ୍ପଷ୍ଟ ଦେଖାଯାଉଥିଲା। ଏହା ଭାରତ ପାଇଁ ଗୌରବର ମୁହୂର୍ତ୍ତ ଥିଲା, ଯାହା ମୋଠାରୁ ଛଡ଼ାଇ ନିଆଯାଇଥିଲା। ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ ଭାରତୀୟ ପ୍ରଯୋଜନା ସଂସ୍ଥା ଦ୍ବାରା ନିର୍ମିତ ପ୍ରଥମ ଫିଲ୍ମ, ଯାହା ଓସ୍କାର ଜିତିଛି। ମୁଁ ଏହାକୁ ହାଇଲାଇଟ କରିବାକୁ ଚାହୁଁଥିଲି। ହେଲେ ମୋତେ ସୁଯୋଗ ମିଳିଲା ନାହିଁ।

ସମ୍ବନ୍ଧିତ ଖବର