ପ୍ରକୃତ ନାଁ ଅଭୀପ୍ସା ଆକୃତି। ହେଲେ ଓଲିଉଡ୍‌ରେ ତାଙ୍କୁ ସମସ୍ତେ ‘ଗୁଞ୍ଜନ’ ନାଆଁରେ ଜାଣନ୍ତି। ଆଉ ତାଙ୍କ ସ୍କ୍ରିନ୍ ନାଆଁ ବି ଗୁଞ୍ଜନ। ଏବେ ତାଙ୍କ ଅଭିନୀତ ତିନିଟି ଓଡ଼ିଆ ସିନେମା ମୁକ୍ତି ପ୍ରତୀକ୍ଷାରେ ରହିଥିବା ବେଳେ ଗୋଟିଏ ଫ୍ଲୋର୍‌ରେ ରହିଛି। ‘ଚନ୍ଦ୍ରବଂଶୀ’ ଫେମ୍ ୟଶ୍-ସୁନୀଲ (ୟଶବର୍ମନ ପଣ୍ଡା ଓ ସୁନୀଲ କୁମାର ସାହୁ)ଙ୍କ ନିର୍ଦ୍ଦେଶିତ ଛବି ‘ମାଷ୍ଟୂର’ରେ ଗୁଞ୍ଜନଙ୍କୁ ଦର୍ଶକ ଜଣେ ଆଦିବାସୀ ଯୁବତୀ ଭୂମିକାରେ ଦେଖିବାକୁ ପାଇବେ। ଏଥିରେ ତାଙ୍କ ଅଭିନୀତ ଚରିତ୍ର ରୂପା ପାଠପଢ଼ିବାକୁ ଚାହେ, ମାତ୍ର ପାରିବାରିକ କାରଣରୁ ତାହା ସମ୍ଭବ ହୁଏନାହିଁ। ମାତ୍ର ଜଣେ ଯୁବଶିକ୍ଷକ ତାଙ୍କ ଗାଁକୁ ଆସିବା ପରେ ରୂପା ପାଠ ପଢ଼ିଛି। ହେଲେ ଲୋକେ ଉଭୟଙ୍କ ସଂପର୍କକୁ ଖରାପ ନଜରରେ ଦେଖନ୍ତି, କିନ୍ତୁ ଶେଷରେ ଜଣାଯାଏ ଯେ ଉଭୟଙ୍କ ଭିତରେ କେବଳ ଶିକ୍ଷକ-ଛାତ୍ରୀର ଅନାବିଳ ସଂପର୍କ ରହିଛି। ଏଥିରେ ନବାଗତ ସୁବାସ ଶୀର୍ଷକ ଭୂମିକା ନିଭାଇଛନ୍ତି।

Advertisment

‘ମାଷ୍ଟୂର’ର କାହାଣୀ ଓ ଚିତ୍ରନାଟ୍ୟ ଦାୟିତ୍ବରେ ବି ଅଛନ୍ତି ୟଶ୍-ସୁନୀଲ ଯୋଡ଼ି। ରଶ୍ମିରଞ୍ଜନ ମହାପାତ୍ର ଓ ପ୍ରଜ୍ଞା ପାରମିତା ଏହାର ପ୍ରଯୋଜନା କରିଛନ୍ତି। ଫିଲ୍ମର ଅଧିକାଂଶ ସୁଟିଂ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଲୋକେସନ୍‌ରେ କରାଯାଇଛି। ସେହି ଅଞ୍ଚଳରେ କିପରି ବିକାଶ ହୋଇପାରିନାହିଁ, ଲୋକେ ଏବେ ବି ଅସୁବିଧାରେ ଅଛନ୍ତି, ତାହା ‘ମାଷ୍ଟୂର’ରେ ଦର୍ଶାଯାଇଛି। ଏହି ଚରିତ୍ରକୁ ନେଇ ବେଶ୍‌ ଖୁସି ଜାହିର କରିଛନ୍ତି ଗୁଞ୍ଜନ। ସେ କହନ୍ତି, ‘‘ପ୍ରଥମ ଥର ଲାଗି ମୋତେ ଜଣେ ଆଦିବାସୀ ଯୁବତୀ ଭୂମିକା ମିଳିଛି। ଏଥିଲାଗି ଖୁବ୍ ପରିଶ୍ରମ କରିବାକୁ ପଡ଼ିଛି।’’