ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ଗୁରମିତ ଚୌଧୁରୀ ଏକ ବଡ଼ କାମ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସିନେମାରେ ତ ଆପଣ ‌ଅନେକ ହିରୋଙ୍କୁ ଦେଖିଥିବେ। ମାତ୍ର ଗୁରମିତଙ୍କ ପରି ବାସ୍ତବ ହିରୋଙ୍କୁ ଆପଣ ଖୁବ୍‌ କମ୍‌ ଦେଖିଥିବେ। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଚାଲିଛି। ଭାଇରାଲ୍‌ ଭିଡିଓରେ ସେ ମୁମ୍ବାଇର ରାସ୍ତାରେ ପଡ଼ିଥିବା ଜଣେ ଅଚେତ ଲୋକଙ୍କୁ ସିପିଆର୍‌ ଦେଉଥିବାର ନଜର ଆସିଛନ୍ତି।

Advertisment

ଗୁରମିତ୍‌ ପ୍ରଥମେ ଅଚେତ ହୋଇ ପଡ଼ିଥିବା ବ୍ୟକ୍ତି ଜଣଙ୍କ ଛାତିକୁ ଚାପିବା ସହ ସେଠାରେ ଥିବା ଅନ୍ୟ ଜଣେ ଲୋକଙ୍କୁ ଅଚେତ ବ୍ୟକ୍ତିଙ୍କ ପାଦ ରଗଡ଼ିବାକୁ କହୁଛନ୍ତି। କିଛି ସମୟ ପ‌ରେ ସେ ଆମ୍ବୁଲାନ୍ସ ଡକାଇ ଅଚେତ ହୋଇଥିବା ଲୋକଙ୍କୁ ହସ୍ପିଟାଲ୍‌ ବି ପଠାଇଥିଲେ।

ଜଣେ ନିଃସହାୟ ଲୋକଙ୍କୁ ଅଭିନେତାଙ୍କର ଏପରି ସାହାଯ୍ୟ କରିବା ଗୁଣକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଗୁରମିତଙ୍କ ଏହି ଭିଡିଓ ଦେଖି କେହି କେହି ତାଙ୍କୁ ଖୁବ୍‌ ଆଶୀର୍ବାଦ ବି କରୁଛନ୍ତି। ତାଙ୍କର ଏହି ଉଦାରତା ପରେ ଗୁରମିତଙ୍କୁ ଲୋକେ ‘ରିୟଲ୍‌ ହିରୋ’ ବୋଲି ‌ସମ୍ବୋଧନ କରୁଛନ୍ତି।

ଗୁରମିତଙ୍କୁ ପୌରାଣିକ ଧାରାବାହିକ ‘ରାମାୟଣ’ରୁ ବହୁ ଲୋକପ୍ରିୟତା ମିଳିଛି। ସୋ’ରେ ସେ ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଭୂମିକା ନିଭାଇଥିଲେ। ସେ ‘ଗୀତ ହୁୟି ସବ୍‌ସେ ପରାୟି’, ‘ପୁନଃ ବିବାହ’ ପରି ଲୋକପ୍ରିୟ ଧାରାବାହିକରେ ବି ନଜର ଆସିସାରିଛନ୍ତି। ଏହା ଛଡ଼ା ସେ ‘ଝଲକ୍‌ ଦିଖ୍‌ଲା ଜା ୫’, ‘ନଚ୍‌ ବାଲିଆଁ ୬’ ଓ ‘ଖତରୋଁ କେ ଖିଲାଡ଼ି ୫’ରେ ବି ଦେଖିବାକୁ ମିଳିଥିଲେ।