ବାସ୍ତବ ଘଟଣା ଉପରେ ଆଧାରିତ ବଲିଉଡ୍‌ ସିନେମାର ଯେଉଁ ଏକ ଧାରା ନିକଟ ଅତୀତରେ ଦେଖିବାକୁ ମିଳିଛି, ସେଥିରୁ ଅଧିକାଂଶରେ କଳାତ୍ମକ ଅଭିବ୍ୟକ୍ତିର କମ୍ ଓ ପ୍ରୋପାଗଣ୍ଡାର ଅଧିକ ଆଭାସ ମିଳିଥାଏ। ‘ହକ୍‌’ ସେହି ଧାରାର ଏକ ବ୍ୟତିକ୍ରମ। ଏକ ଐତିହାସିକ ଆଇନ ଲଢ଼େଇର ଅବତାରଣାରେ ସଂଯମ ରକ୍ଷା କରି ଏହା ନାରୀ ଅଧିକାର ସପକ୍ଷରେ ଏକ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଛି। ‘ଶାହ ବାନୋ’ ମାମଲାକୁ ନେଇ ନିର୍ମିତ ଏହି ସିନେମାଟି ବିଭିନ୍ନ ଦୃଷ୍ଟିରୁ ଅଭିନବ।ଚିରାଚରିତ ନିର୍ଦେଶକ ଓ ଲେଖକ ଯେଉଁ କାହାଣୀରେ ପୁରୁଷ ଚରିତ୍ରକୁ ସିଧାସଳଖ ଖଳନାୟକ ଭାବେ ଉପସ୍ଥାପନ କରନ୍ତେ, ସୁପର୍ଣ୍ଣ ବର୍ମା ତାହା ନ କରି ତାକୁ ଏକ ଯୁକ୍ତିନିଷ୍ଠ, ସଂସ୍କୃତିପ୍ରିୟ ପୁରୁଷ ଭାବରେ ଅବତାରଣା କରିଛନ୍ତି, ଯାହା ବାସ୍ତବଧର୍ମୀ ହେବା ସଙ୍ଗେ ସଙ୍ଗେ କୋର୍ଟରୁମ୍‌ ଲଢ଼େଇକୁ ଶେଷ ପର୍ଯ୍ୟନ୍ତ ରୋମାଞ୍ଚକର କରି ରଖିଛି। ‘ହକ୍‌’ରେ ଭାରତୀୟ ମୁସଲମାନ ସଂସ୍କୃତି ଓ ଆଇନ ସମ୍ପର୍କରେ ଆଲୋକପାତ କରାଯାଇଛି ସତ, ହେଲେ ଏହାର ଆବେଦନ ସବୁ ବର୍ଗର ଦର୍ଶକଙ୍କ ହୃଦୟ ସ୍ପର୍ଶ କରିବା ସୁନିଶ୍ଚିତ। 

Advertisment

ଚଳଚ୍ଚିତ୍ର ଆରମ୍ଭରେ ସାଜିୟା ବାନୋ (ୟାମୀ ଗୌତମ) ପଛକୁ ଫେରି ତାଙ୍କ ସଂଘର୍ଷର କାହାଣୀ ବ୍ୟାଖ୍ୟା କରୁଛନ୍ତି। ଓକିଲ ଅବ୍ବାସ ଖାଁ (ଇମରାନ ହାଶମୀ)ଙ୍କ ସହିତ ବିବାହ କରିବା ପରେ ସାଜିୟା ସୁଖଦ ଜୀବନ କାଟୁଛନ୍ତି, ସେମାନଙ୍କର ତିନିଟି ସନ୍ତାନ ଜନ୍ମ ହେଉଛନ୍ତି। ତେବେ ଅବ୍ବାସ ଦିନେ ହଠାତ୍‌ ଦ୍ବିତୀୟ ପତ୍ନୀଙ୍କୁ ଧରି ଘରେ ପହଞ୍ଚିବା ପରେ ସାଜିୟାଙ୍କ ପାଦ ତଳୁ ମାଟି ଖସିଯାଉଛି। ସ୍ବାମୀଙ୍କ ପ୍ରତାରଣା ଦ୍ବାରା ମର୍ମାହତ ସାଜିୟା ତଥାପି ଏ ପରିସ୍ଥିତି ସହ ସାଲିସ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ହେଲେ ସର୍ବନିମ୍ନ ସମ୍ମାନର ଅଭାବ ତାଙ୍କୁ ଘର ଛାଡ଼ି ବାପଘରକୁ ଯିବା ପାଇଁ ବାଧ୍ୟ କରୁଛି। ପିଲାଙ୍କ ପ୍ରତିପୋଷଣ ପାଇଁ ମାସକୁ ୪୦୦ ଟଙ୍କା ଦେବାର ପ୍ରତିଶ୍ରୁତିରେ ଅବ୍ବାସ ଖିଲାପ କରିବା ପରେ ସାଜିୟା କୋର୍ଟର ଆଶ୍ରୟ ନେଉଛନ୍ତି। ଏଥିପାଇଁ ତାଙ୍କୁ ସାମାଜିକ ବାସନ୍ଦ, ଆକ୍ରମଣ, ରକ୍ଷଣଶୀଳ ଧର୍ମଗୁରୁମାନଙ୍କ ଭର୍ତ୍ସନା ସହିବାକୁ ପଡୁଛି। ପୁରୁଷତାନ୍ତ୍ରିକ ବିଚାର ଓ ଅହଂକାର ଦ୍ବାରା କବଳିତ ଅବ୍ବାସ ପ୍ରଥମେ ସାଜିୟାଙ୍କୁ ‘ତିନି ତଲାକ୍‌’ ଦେଉଛନ୍ତି ଏବଂ କୋର୍ଟରେ ଏହି ଲଢ଼େଇକୁ ଧର୍ମ ବନାମ ଧର୍ମନିରପେକ୍ଷତାର ଏକ ପ୍ରସଙ୍ଗରେ ପରିଣତ କରୁଛନ୍ତି। ହେଲେ ସାଜିୟା ନିଜ ‘ହକ୍‌’ ବା ଅଧିକାର ଦାବିରେ ଅଟଳ ରହୁଛନ୍ତି।

ଏହି ଚଳଚ୍ଚିତ୍ର ଉଭୟ ଅଭିନୟ ଓ ବୈଷୟିକ ଦୃଷ୍ଟିରୁ ଉତ୍କୃଷ୍ଟ। ଏହାର ପୃଷ୍ଠଭୂମି ସଂଗୀତ ଓ ଗୀତଗୁଡ଼ିକ ଦୃଶ୍ୟର ଆବେଗ ସହିତ ଖୁବ୍ ଭଲଭାବେ ଖାପ ଖାଇଥାଏ। ୟାମୀ ଏହି ସିନେମାରେ ଅଭିନୟ ଦକ୍ଷତାର ପରାକାଷ୍ଠା ଦେଖାଇଛନ୍ତି। ଶ୍ରେଷ୍ଠ ଅଭିନୟ ପାଇଁ ତାଙ୍କୁ ଆଗାମୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଇମରାନ ମଧ୍ୟ ତାଙ୍କ ଚରିତ୍ରକୁ ଜୀବନ୍ତ ଢଙ୍ଗରେ ନିର୍ବାହ କରିଛନ୍ତି। ୧୯୮୦ ଦଶକର ଦୃଶ୍ୟଗୁଡ଼ିକୁ ନିଖୁଣ ଭାବେ ପ୍ରସ୍ତୁତ ଓ ଉତ୍ତୋଳନ କରାଯାଇଛି। ଅପେକ୍ଷାକୃତ ଦୀର୍ଘ ଅବଧିର ସଂଳାପ ଓ ଦୃଶ୍ୟ ‘ହକ୍‌’ର ଅନ୍ୟତମ ବୈଶିଷ୍ଟ୍ୟ। ଆରମ୍ଭରୁ ୨୦ ମିନିଟ ପରର ଗୋଟିଏ ଦୃଶ୍ୟର ‘ବ୍ଲକିଂ’ (ଦୃଶ୍ୟ ସୁଟିଂ ବେଳେ ଅଭିନେତାମାନଙ୍କୁ କେଉଁ ସ୍ଥାନରେ ଓ କ୍ୟାମେରାକୁ କେଉଁ ସ୍ଥାନରେ ରଖାଯିବ ସେହି କୌଶଳକୁ ‘ବ୍ଲକିଂ’ କୁହାଯାଏ) ନିର୍ଦେଶକଙ୍କ ବିଚକ୍ଷଣତାର ଏକ ଉଦାହରଣ। ସେହି ଦୃଶ୍ୟରେ ଡାହାଣ ପଟେ ସମ୍ମୁଖରେ ଅବ୍ବାସ ଛିଡ଼ା ହୋଇଛନ୍ତି, ତାଙ୍କ ପଛକୁ ତଥା ମଝିରେ ଅଛନ୍ତି ସାଜିୟା ଏବଂ ସାଜିୟାଙ୍କ ପଛରେ ଅଛନ୍ତି ତାଙ୍କ ଶାଶୂ। ଏମାନଙ୍କ ଛଡ଼ା ଅବ୍ବାସଙ୍କ ଦ୍ବିତୀୟ ପତ୍ନୀ ଦୂରରେ ଥାଇ ଅସ୍ପଷ୍ଟ ଦିଶୁଛନ୍ତି। ଦ୍ବିତୀୟ ପତ୍ନୀଙ୍କୁ ଘରକୁ ଆଣିବା ପରେ ମର୍ମାହତ ସାଜିୟା ନିଜ ସ୍ବାମୀଙ୍କୁ କୈଫିୟତ ମାଗୁଛନ୍ତି। ଏହି ଗୋଟିଏ ଦୃଶ୍ୟରେ ଏକାସମୟରେ ବିତୃଷ୍ଣା, ହତାଶା, ପ୍ରତିରୋଧ ଓ ଜିଜ୍ଞାସା ଭଳି ଭାବନା ପ୍ରଦର୍ଶିତ ହୋଇଛି।

ଶାହ ବାନୋ ମାମଲାରେ ସୁପ୍ରିମ୍ କୋର୍ଟରୁ ଯେଉଁ ଆଇନଗତ ନିଷ୍କର୍ଷ ମିଳିଥିଲା ତାହା ଆମ ଦେଶର ରାଜନୀତି ଓ ନାରୀ ଅଧିକାରକୁ ଏକ ଗୁରୁତ୍ବପୂର୍ଣ୍ଣ ମୋଡ଼ ପ୍ରଦାନ କରିଥିଲା। ସେହି ଇତିହାସକୁ ଜାଣିବା ଏବଂ ଗୋଟିଏ ଭଲ ଚଳଚ୍ଚିତ୍ରକୁ ସମର୍ଥନ କରିବା ଲାଗି ସବୁ ସିନେପ୍ରେମୀ ‘ହକ୍‌’ ଦେଖିବା ଉଚିତ।

‘ହକ୍‌’
ନିର୍ଦେଶକ: ସୁପର୍ଣ୍ଣ ବର୍ମା
ମୁଖ୍ୟ ଚରିତ୍ରରେ: ୟାମୀ ଗୌତମ, ଇମରାନ ହାଶମୀ