୧୯୬୫ ମସିହାର କଥା। ତତ୍କାଳୀନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ନୂଆଦିଲ୍ଲୀଠାରେ ପ୍ରଥମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ଉଦ୍ଘାଟନ ସମାରୋହରେ ତାଙ୍କ ପୂର୍ବସୂରୀଙ୍କ ପ୍ରୋଟୋକଲ୍ ଭାଙ୍ଗି ଯୁଦ୍ଧ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ‘ହକୀକତ୍’ର ପୂରା ସ୍କ୍ରିନିଂ ବସି ଦେଖିଥିଲେ। ସ୍କ୍ରିନିଂ ପରେ ଡ. ରାଧାକ୍ରିଷ୍ଣନ୍ କାନ୍ଦି ପକାଇଥିଲେ ଏବଂ ଲେଖକ, ନିର୍ଦ୍ଦେଶକ ଓ ପ୍ରଯୋଜକ ଚେତନ ଆନନ୍ଦଙ୍କୁ ପ୍ରଶଂସା କରିଥିଲେ।
ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ଯୁଦ୍ଧଭିତ୍ତିକ ଚଳଚ୍ଚିତ୍ର ‘ହକୀକତ୍’ ପ୍ରଦର୍ଶିତ ହେବାର ୬୦ ବର୍ଷ ବିତିଗଲାଣି। କିନ୍ତୁ, ଏବେ ମଧ୍ୟ ଏହା ଦର୍ଶକମାନଙ୍କ ଦ୍ୱାରା ଆଦୃତ ହେଉଛି। ‘ହକୀକତ୍’ ପୂର୍ବରୁ ବି ୧୯୬୧ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ହମ୍ ଦୋନୋ’ରେ ଗୋଟିଏ ଚମତ୍କାର ଯୁଦ୍ଧ ଦୃଶ୍ୟ ଥିଲା, କିନ୍ତୁ ଏହା ସମ୍ପୂର୍ଣ୍ଣରୂପେ ଯୁଦ୍ଧ ଉପରେ ଆଧାରିତ ଚଳଚ୍ଚିତ୍ର ନ ଥିଲା।
୧୯୬୨ରେ ହୋଇଥିବା ଭାରତ-ଚୀନ୍ ଯୁଦ୍ଧର ପୃଷ୍ଠଭୂମିରେ ଭାରତୀୟ ଯବାନଙ୍କ ଜୀବନୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚେତନ ଆନନ୍ଦ ମନ ବଳାଇଥିଲେ। ଏଥିପାଇଁ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହର୍ଲାଲ୍ ନେହେରୁଙ୍କ ସହଯୋଗ ଚାହିଁଥିଲେ। ୮ ବର୍ଷ ଅକ୍ଲାନ୍ତ ପରିଶ୍ରମ କରି ଚେତନ ଆନନ୍ଦ ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରତାପ ସିଂ କିରଣ ଓ ପ୍ରଧାନମନ୍ତ୍ରୀ ନେହେରୁଙ୍କଠାରୁ ଆର୍ଥିକ ଏବଂ ଅନ୍ୟାନ୍ୟ ସହାୟତା ପାଇଥିଲେ। ଏହି ଫିଲ୍ମର ସୁଟିଂ ଚେତନ ଆନନ୍ଦ ଲଦାଖ ଏବଂ ହିମାଳୟ ସୀମାରେ କରିଥିଲେ, ଯେଉଁଠାରେ ପ୍ରକୃତ ଯୁଦ୍ଧ ହୋଇଥିଲା। ଚେତନଙ୍କ ମୁଖ୍ୟ ସହାୟକ ତଥା କଳା ନିର୍ଦ୍ଦେଶକ ଏମ୍. ଏସ୍. ସଥ୍ୟୁ କହନ୍ତି, “ଚେତନ ଏହି ଚଳଚ୍ଚିତ୍ରରେ ପ୍ରତିଟି ଚରିତ୍ର ଓ ଦୃଶ୍ୟକୁ ଜୀବନ୍ତ କରିବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ। ଏଥିପାଇଁ ତାଙ୍କୁ ବହୁ ଶ୍ରମ ସ୍ୱୀକାର କରିବାକୁ ପଡ଼ିଥିଲା। ଯୁଦ୍ଧରେ ସାମିଲ ହୋଇଥିବା ଅନେକ ସୈନିକଙ୍କୁ ବହୁବାର ଭେଟି ସେ ଆଲୋଚନା କରୁଥିଲେ। ଚେତନଙ୍କ ଏହି ଚଳଚ୍ଚିତ୍ର ପରବର୍ତ୍ତୀ ସମୟରେ ସମାନ୍ତରାଳ ସିନେମା ଆନ୍ଦୋଳନରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା।’’
ଫିଲ୍ମର ଅନ୍ୟତମ ଅଭିନେତା ଧର୍ମେନ୍ଦ୍ର ୬୦ ବର୍ଷ ତଳର ସେ ଅଭୁଲା କଥା ବଖାଣି କହନ୍ତି, “ଆମେ ଅନେକ ଦିନ ଧରି ପେଟପୂରା ନ ଖାଇ ଓ ଆବଶ୍ୟକ ପରିମାଣ ଜଳ ବିନା ସୁଟିଂ କରିଥିଲୁ। ଚେତନ ଆନନ୍ଦଙ୍କ ନିଷ୍ଠା ଓ ସମର୍ପଣ ଦେଖି ଏତେ ଉତ୍ସାହିତ ହୋଇଥିଲୁ ଯେ, ଆମେ ସାଧ୍ୟମତେ ଶ୍ରେଷ୍ଠ ଅଭିନୟ ପରାକାଷ୍ଠା ଦେଖାଇଥିଲୁ। ତେଣୁ, ଚଳଚ୍ଚିତ୍ର ଆଶାତୀତ ସଫଳତା ପାଇଥିଲା।’’
ଅନ୍ୟତମ ପ୍ରମୁଖ ଅଭିନେତା ସଞ୍ଜୟ ଖାନ୍ କହନ୍ତି, ‘‘ମୁଁ ଅଭିନୟ କରିଥିବା ଚଳଚ୍ଚିତ୍ର ମଧ୍ୟରେ ସବୁଠୁ ଅଧିକ ଲୋକପ୍ରିୟତା ହାସଲ କରିଛି ‘ହକୀକତ୍’। ଫିଲ୍ମର ଅନ୍ତର୍ଜାତୀୟ ସ୍କ୍ରିନିଂ ପରେ ଚେତନ ସାହେବ୍ ଫେରି ଆସି ମୋତେ ଜଣାଇଥିଲେ ଯେ ମୋର ଅଭିନୟ ପ୍ରଶଂସିତ ହୋଇଛି। ଏହାହିଁ ଥିଲା ମୋ ପାଇଁ ଅବିସ୍ମରଣୀୟ କଥା।’’ କୈଫୀ ଆଜ୍ମୀଙ୍କ ଗୀତ ଏବଂ ମଦନମୋହନଙ୍କ ସଂଗୀତ ସଙ୍ଗକୁ ମହମଦ୍ ରଫି ଓ ଲତା ମଙ୍ଗେସ୍କର୍ଙ୍କ ଯାଦୁକରୀ କଣ୍ଠସ୍ୱର ଏହି ଚଳଚ୍ଚିତ୍ରକୁ ଅଧିକ ଭାବ ଉଦ୍ରେକକାରୀ କରିଥିଲା। ଭୂପିନ୍ଦର ସିଂଙ୍କୁ ଏହି ଚଳଚ୍ଚିତ୍ରରେ ଚେତନ ଆନନ୍ଦ ଅଭିନେତା ତଥା ଗାୟକ ଭାବରେ ପରିଚିତ କରାଇଥିଲେ। ‘ହକୀକତ୍’ ଚଳଚ୍ଚିତ୍ରରେ କେତେକ ନିର୍ଦ୍ଦେଶନାଗତ ତ୍ରୁଟି ଓ କାଳ୍ପନିକ ବର୍ଣ୍ଣନା ବି ଥିଲା। ଏହାକୁ ନେଇ ବିବାଦ ଉପୁଜିଥିଲା। ‘ପିପୁଲ୍ସ ଲିବରେସନ୍ ଆର୍ମି’ର ସୈନିକମାନେ ଅବାସ୍ତବ ଦେଖାଯାଉଥିଲେ। ଜଣେ ଭାରତୀୟ ସୈନିକ ବାୟୋନେଟ୍ରେ ମାଓ ସେ ତୁଙ୍ଗଙ୍କ ‘ଲାଲ୍ ପୁସ୍ତକ’ରେ ଛିଦ୍ର କରୁଥିବାର ଦୃଶ୍ୟ ଅନେକଙ୍କୁ ବିରକ୍ତ କରିଥିଲା। ଭାରତ-ଚୀନ ଯୁଦ୍ଧର ବାସ୍ତବତା ବିଷୟରେ ଯଥେଷ୍ଟ ପ୍ରମାଣ ପ୍ରଦାନ କରିଥିବା ନେଭିଲ୍ ମ୍ୟାକ୍ସୱେଲ୍ଙ୍କ ପୁସ୍ତକ ‘ଇଣ୍ଡିଆଜ୍ ଚାଇନା ୱାର୍’ର ଘଟଣାବଳୀ ‘ହକୀକତ୍’ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇ ନ ଥିଲା। ସେତେବେଳେ କଂଗ୍ରେସ ସରକାର ଏହି ପୁସ୍ତକକୁ ନିଷିଦ୍ଧ ଘୋଷଣା କରିଥିଲେ।