ହରିଙ୍କ ‘ଧୋ ରେ ବାଇଆ ଧୋ’

ଭିନ୍ନ ସ୍ବାଦର ଚଳଚ୍ଚିତ୍ର ନେଇ ଆସୁଛନ୍ତି ହାସ୍ୟାଭିନେତା ହରିହର ମହାପାତ୍ର। ୮ ବର୍ଷ ପରେ ପୁଣି ତାଙ୍କୁ ଅଭିନେତା ଭୂମିକାରେ ‌ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ଶୀର୍ଷକ ରହିବ ‘ଧୋ ରେ ବାଇଆ ଧୋ’। ଚଳଚ୍ଚିତ୍ରର କାହାଣୀ ଚିରାଚରିତ କାହାଣୀ ସବୁରୁ ଭିନ୍ନ ହେବ ବୋଲି ଜଣାପଡ଼ିଛି। ଏହି ଚଳଚ୍ଚିତ୍ରର ପରିକଳ୍ପନା, କାହାଣୀ ଓ ସଂଳାପ ରଚନା ସହ ଏହାର ଚିତ୍ରନାଟ୍ୟ ହରି ନିଜେ ପ୍ରସ୍ତୁତ କରିଛନ୍ତି। ଏଯାଏଁ ଚଳଚ୍ଚିତ୍ରର ବିଷୟବସ୍ତୁ ସାମ୍‌ନାକୁ ଆସିନଥିଲେ ବି ଏହା ବୋଧେ ମା’ର ମମତାକୁ ନେଇ ପ୍ରସ୍ତୁତ ହେଉଛି ବୋଲି ଅନୁମାନ କରାଯାଉଛି। ତେବେ ଏହାକୁ ନେଇ କମେଡି ଷ୍ଟାର ହରି ରହସ୍ୟ ଉନ୍ମୋଚିତ କରି ନଥିବା ବେଳେ ଚଳଚ୍ଚିତ୍ରର କାହାଣୀକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ରୁମ୍‌କୁ ଝୁମାନା’ରେ ସେ ଶେଷଥର ପାଇଁ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏବେ ପୁଣି ଏହି ଚଳଚ୍ଚିତ୍ର ଜରିଆରେ ତାଙ୍କୁ ମୁଖ୍ୟ ଭୂମିକାରେ ‌ଦେଖିବାକୁ ମିଳିବ। ତାଙ୍କ ବିପକ୍ଷରେ ଅଭିନୟ କରିବେ ଓଲିଉଡ୍‌ ଚୁଲ୍‌ବୁଲି ନାୟିକା ଦିବ୍ୟା। ଅଭିନେତା ବବି ମିଶ୍ର, ପିଙ୍କି ପ୍ରଧାନ, ସାତ୍ତ୍ବକୀ ମିଶ୍ର, ହାଡ଼ୁ ଓ ଲିନା ପ୍ରମୁଖ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ନଜର ଆସିବେ। ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ସୁଟିଂ ଏବେ ବାରିପଦାରେ ଚାଲିଛି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଚଣ୍ଡୀ ପରିଜା ଦେଉଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେବେ ଅଭିଜିତ ମଜୁମ୍‌ଦାର୍‌।

ସମ୍ବନ୍ଧିତ ଖବର