ଆଖି ହେଉଛି ଆମର ଏକ ମୂଲ୍ୟବାନ ପ୍ରତ୍ୟଙ୍ଗ। ଆଖି ଲାଲ୍ ପଡ଼ିଯିବା, ପାଣି ଝରିବା, ଫୁଲିଯିବା ଓ କୁଣ୍ଡାଇହେବା ସଂକ୍ରମଣର ଲକ୍ଷଣ ହୋଇପାରେ। ଏଭଳି ଲକ୍ଷଣ ପରିଲକ୍ଷିତ ହେଲେ ତୁରନ୍ତ ଚକ୍ଷୁ ଚିକିତ୍ସକଙ୍କୁ ଦେଖାଇବା ଜରୁରି। ଚିକିତ୍ସା ସ୍ବରୂପ ଡାକ୍ତର ସାଧାରଣତଃ ଆଖିରେ ଆଣ୍ଟିବାୟୋଟିକ୍ ଡ୍ରପ୍ ପକାଇବାକୁ ପରାମର୍ଶ ଦେଇଥାନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ଦୈନିକ ନିର୍ଦ୍ଧାରିତ ଥର ପାଇଁ ନିର୍ଦ୍ଦିଷ୍ଟ ବୁନ୍ଦା ଆଣ୍ଟିବାୟୋଟିକ୍ ଡ୍ରପ୍ ଆଖିରେ ପକାଇବା ବିଧେୟ। ଆଉ କିଛି ସତର୍କତା ଅବଲମ୍ବନ କରିବା ମଧ୍ୟ ଜରୁରି।
ଆଖିରେ ଡ୍ରପ୍ ପକାଇବା ପୂର୍ବରୁ ହାତକୁ ଭଲରେ ଧୋଇ ବୀଜାଣୁମୁକ୍ତ କରନ୍ତୁ।
ଡ୍ରପର୍ର ଅଗ ଅର୍ଥାତ୍ ଯେଉଁ ବାଟେ ଔଷଧ ବାହାରିଥାଏ, ତାହାକୁ ଛୁଅଁନ୍ତୁ ନାହିଁ। ତାହା ଆଖି ବା ଶରୀରର ଯେକୌଣସି ସ୍ଥାନ ସଂସ୍ପର୍ଶରେ ଆସିଲେ ଅଣୁଜୀବ ଲାଖିଯିବାର ଆଶଙ୍କା ରହିଛି।
ଆଖିରେ ନିର୍ଦ୍ଧାରିତ ଥର ଓ ପରିମାଣଠାରୁ ଅଧିକ ଡ୍ରପ୍ ପକାନ୍ତୁ ନାହିଁ।
ପ୍ରତି ଥର ଆଖିରେ ଔଷଧ ପକାଇବା ପରେ କିଛି ସମୟ ପାଇଁ ଆଖିକୁ ବନ୍ଦ କରି ରଖିବା ଭଲ।
କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଥିଲେ, ଡ୍ରପ୍ ପକାଇବା ପୂର୍ବରୁ ତାହାକୁ କାଢ଼ିଦିଅନ୍ତୁ।
କିଛି ଦିନ ଔଷଧ ପକାଇ ଲକ୍ଷଣ ସବୁ ଅପସରିଗଲେ ମଧ୍ୟ ନିର୍ଦ୍ଧାରିତ ଦିନ ଯାଏ ଡ୍ରପ୍ ପକାଇବା ଜାରି ରଖନ୍ତୁ।
ଏକାଧିକ ଡ୍ରପ୍ ବ୍ୟବହାର କରୁଥିଲେ, ସେଗୁଡ଼ିକ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ରଖନ୍ତୁ।
ଡ୍ରପ୍ ବଳିଯାଇଥିଲେ ତାହାକୁ ଖୋଲାଯିବାର ୩୦ ଦିନ ପରେ ବ୍ୟବହାର କରନ୍ତୁ ନାହିଁ।
କେବେହେଲେ ମନକୁ ମନ କୌଣସି ଆଇଡ୍ରପ୍ ଚୟନ ନକରି ସର୍ବଦା ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/20/tuk46DAbQ0XX817aMUef.jpg)