ପ୍ରଚଣ୍ଡ ଗ୍ରୀଷ୍ମର ତାଡ଼ନାରେ ଅତିଷ୍ଠ ଧରାକୁ ଶୀତଳତାର ସ୍ପର୍ଶ ଦିଏ ମୌସୁମୀର ପହିଲି ବର୍ଷାଛିଟା। ବର୍ଷାର ସ୍ପର୍ଶରେ ଧରଣୀ କୋଳରେ ନବସୃଜନ ହୁଏ। ଗଛରେ ନୂଆପତ୍ର କଅଁଳେ। ମାଟି ପୁଷ୍ପବତୀ ହୁଏ ଏବଂ ଶୁଷ୍କ ଜଳାଶୟ ପୁଣି ପୂର୍ଣ୍ଣଗର୍ଭା ହୋଇ ଶୋଭା ଫେରିପାଏ। ବର୍ଷା ଦେଖି ମୟୂର ନାଚେ, ଲାଲ୍‌ ଟୁକୁଟୁକୁ ସାଧବବୋହୂ ଘାସ ଗାଲିଚାରେ ପାଦଚଳାଏ ଏବଂ ବେଙ୍ଗର କଟରକଟର ରଡ଼ି ନିଶବ୍ଦତାକୁ ଚିରି ପକାଏ। ଖାଲି କ’ଣ ସେତିକି? ବର୍ଷା ପାଛୋଟି ଆଣେ ପର୍ବର ସମ୍ଭାର। ଅକ୍ଷୟତୃତୀୟାରୁ ଆରମ୍ଭ ହୋଇ ରଜ, ଚିତାଲାଗି ଅମାବାସ୍ୟା, ଗହ୍ମାପୂର୍ଣ୍ଣିମା, ନୂଆଁଖାଇ ଆଦି କୃଷିଭିତ୍ତିକ ପର୍ବ ଜନଜୀବନକୁ ଚଳଚଞ୍ଚଳ କରେ। ହେଲେ ଏବେ ବଦଳି ଯାଇଛି ଋତୁଚକ୍ର। ଖୋଜିଲେ ବି ଶରତ, ହେମନ୍ତ ଓ ବସନ୍ତ ଋତୁଙ୍କର ଦେଖା ମିଳୁନି । ଜଳବାୟୁ ପରିବର୍ତ୍ତନର କୋପରେ ସେମାନେ ନିରୁଦ୍ଦିଷ୍ଟ। ତେଣେ ବର୍ଷା ବି ବଦଳାଇ ଦେଇଛି ତା’ର ମିଜାଜ। କେବେ ଅତିବୃଷ୍ଟି ହେତୁ ବନ୍ୟା ହେଉଛି ତ ପୁଣି ଅନାବୃଷ୍ଟି ଆମନ୍ତ୍ରଣ କରୁଛି ମରୁଡ଼ିକୁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ହାହାକାର କରୁଥିବା ପ୍ରାଣୀକୁଳ ପ୍ରତି ବେଦରଦୀ ପାଲଟିଯାଇଛି ବର୍ଷା। କିନ୍ତୁ କାହିଁକି? କ’ଣ ରହିଛି କାରଣ?
ଉପସ୍ଥାପନା: ସସ୍ମିତା ସାହୁ ପ୍ରଗତି ସାହୁ ପ୍ରଜ୍ଞା ନିବେଦିତା

Advertisment

‘‘ଆଠ ଦୁମୁକାଣି ଷୋଳ ଅସରା,
ବତିଶ ଝିପିଝିପି ଚଉଷଠି କୁଣ୍ଡାଝରା,
ତେବେ ଯାଇ ଚାଷୀର ପେଟ ହେବ ପୂରା।’’

ବର୍ଷାକୁ ନେଇ ଓଡ଼ିଆ ଜନଜୀବନରେ ପ୍ରଚଳିତ ଏଇ ଲୋକବାକ୍ୟଟିର ଅର୍ଥ ହେଲା, ଦୁମୁକାଣି ବର୍ଷା ଆଠ ଦିନ, ଅସରା ଅସରା ବର୍ଷା ଷୋଳ ଦିନ, ଝିପିଝିପି ବର୍ଷା ବତିଶ ଦିନ ଏବଂ କୁଣ୍ଡାଝରା ବର୍ଷା ଚଉଷଠି ଦିନ- ଏହିପରି ମୋଟ ୧୨୦ ଦିନ (ଚାରିମାସ) ବର୍ଷା ହେଲେ ଭଲ ଫସଲ ହୁଏ। ଏବେ ବର୍ଷା ଅଭିଧାନରୁ ଯେମିତି ଝିପିଝିପି, କୁଣ୍ଡାଝରା ଭଳି ଶବ୍ଦ ଧୀରେ ଧୀରେ ନିଖୋଜ ହେବାରେ ଲାଗିଛି। ଗତ କିଛି ବର୍ଷ ହେଲା ଦେଖାଯାଉଥିବା ଦୁମ୍‌ଦୁମ୍‌ ବର୍ଷାରେ ଯେମିତି ଅତୀତରେ ବର୍ଷା ଛାଡ଼ିଯାଇଥିବା ମିଠା ମିଠା ଅନୁଭୂତିର ପଦଚିହ୍ନ ଧୋଇ ହୋଇଯାଉଛି। ଇନ୍ଦ୍ରଦେବତା କେଉଁଠି ମେଞ୍ଚେ ବର୍ଷା ଢାଳୁଛନ୍ତି ତ କେଉଁଠି କେଞ୍ଚେ। ନା ଏ ବର୍ଷାରେ ଉନ୍ମାଦନା ଅଛି ନା ଭିଜିବାର ଆନନ୍ଦ, ବରଂ ବର୍ଷା ଖେଳାଉଛି ଆତଙ୍କ! ନା ମୌସୁମୀର ପ୍ରଥମ ଛିଟା ଦେହକୁ ଆନମନା କରୁଛି ନା ମେଘ ମହ୍ଲାର ମନକୁ ଉଲ୍ଲସିତ କରୁଛି। ଗାଁଗଣ୍ଡାର ବର୍ଷୀୟାନ୍ ପୁରୁଣା ସ୍ମୃତି ସାଉଁଟି କହନ୍ତି, ‘‘କାହିଁ ଗଲା ସେ ଦିନ? ଆମ ପିଲାଦିନର ସେ ଝଡ଼ିବର୍ଷା ନାହିଁ କି ସାଧବବୋହୂର ଦେଖାନାହିଁ। ବର୍ଷାରାତିରେ ବେଙ୍ଗର କେଁ କଟର ଶୁଭୁନି କି ଜୁଳୁଜୁଳିଆଙ୍କ ରୋଶଣି ଦିଶୁନି।’’

କାହିଁ ଗଲା ତୁହାକୁ ତୁହା ଝଡ଼ିବର୍ଷା?
‘‘ବର୍ଷାରେ ଆଷାଢ଼ ଶ୍ରାବଣ
ମେଘ ବରଷେ ଘନଘନ।।’’
ଘନଘନ ବା ତୁହାକୁ ତୁହା ବର୍ଷା ଏବେ ଯେମିତି ପିଲାଦିନର କଥା ବା ସେକାଳ ପଖାଳ ପାଲଟିଛି। ଝଡ଼ିବର୍ଷା ଆଉ ଆଷାଢ଼, ଶ୍ରାବଣରେ ଦେଖାଯାଉନି। ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ଯେମିତି ସମଗ୍ର ଜୀବଜଗତ ଗୋଟାଏ ତତଲା ତାୱାରେ ପଡ଼ି ସନ୍ତୁଳି ହେଉଛି। କିଛି ଦଶନ୍ଧି ତଳର ସେ ଉପଭୋଗ୍ୟ ବର୍ଷା ଏବେ ସାତସପନ। ଏମିତି କାହିଁକି ହେଉଛି? ଏହା ପଛରେ କି ବୈଜ୍ଞାନିକ କାରଣ ରହିଛି? ସୋଆ ସିଇସି (ସୋଆ ସେଣ୍ଟର୍‌ ଫର୍‌ ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ୍‌ କ୍ଲାଇମେଟ୍‌)ର ନିର୍ଦ୍ଦେଶକ ଶରତଚନ୍ଦ୍ର ସାହୁ କହନ୍ତି, ‘‘ପୃଥିବୀର ବିକିରଣ ପ୍ରକ୍ରିୟା ଧୀର ହେଲେ ବାୟୁମଣ୍ଡଳର ତଳଭାଗରେ ଜଳକଣା ଏକତ୍ର ହୋଇ ବାଦଲ ସୃଷ୍ଟି କରନ୍ତି। ଫଳରେ ବର୍ଷା ତୁହାକୁ ତୁହା ହେବା ସହ ସେହି ବର୍ଷାକୁ ବେଶ୍‌ ଉପଭୋଗ କରିହୁଏ। ଯାହାକି ଆମେ ପିଲାଦିନେ ଦେଖୁଥିଲେ। ସେତେବେଳେ ବର୍ଷା ଦିନେ ତାତି ବଢୁ ନଥିଲା କି ତତଲା ହାୱା ବହୁ ନଥିଲା। ବର୍ଷାଋତୁରେ ଅଧିକାଂଶ ଦିନ ଆକାଶ ମେଘାଚ୍ଛନ୍ନ ରହୁଥିଲା। ଓଡ଼ିଶାରେ ହାରାହାରି ତାପମାତ୍ରା ୩୨ ଡିଗ୍ରି ମଧ୍ୟରେ ରହୁଥିଲା। ତାତି କମ୍‌ ଯୋଗୁଁ ବିକିରଣ ପ୍ରକ୍ରିୟା ଧୀର ଗତିରେ ହେଉଥିଲା ଏବଂ ଭୂପୃଷ୍ଠରୁ ୨ରୁ ୩ କି.ମି. ଉଚ୍ଚତାରେ ବାଦଲ ସୃଷ୍ଟି ହେଉଥିଲା ଏବଂ ଝଡ଼ିବର୍ଷା ଲାଗିରହୁଥିଲା। ଆଜିକା ଭଳି ଏକାଥରେ ଦୁମ୍‌ ଦୁମ୍‌ ହୋଇ ବର୍ଷା ଅଜାଡ଼ି ହୋଇପଡୁ ନଥିଲା।’’

ଶ୍ରୀ ସାହୁ ପୁଣି କହନ୍ତି, ‘‘ଏବେ କିନ୍ତୁ ଏହି ତାପମାତ୍ରା ବଢ଼ି ୩୫ ଡିଗ୍ରିକୁ ଗଲାଣି। ବର୍ଷା ଦିନେ ଗ୍ରୀଷ୍ମର ତାତି ଅନୁଭୂତ ହେଉଛି। ତାପମାତ୍ରା ବଢ଼ିବା ଫଳରେ ପୃଥିବୀର ବିକିରଣ ଦ୍ରୁତଗତିରେ ହେବା ସହ ଜଳକଣା ସବୁ ବାୟୁମଣ୍ଡଳର ଉପରିଭାଗକୁ ଚାଲିଯାଇ ବାଦଲ ବା ମେଘଖଣ୍ଡ ସୃଷ୍ଟି କରୁଛି। ଫଳରେ ମେଘ ଅଧିକ ଉଚ୍ଚତାରେ ରହୁଛି। ୩ କି.ମି. ଉଚ୍ଚତାରେ ରହୁଥିବା ବାଦଲ ଏବେ ୭ରୁ ୧୦ କି.ମି. ଉଚ୍ଚତାକୁ ଚାଲିଯାଉଛି, ଯାହାକି ଖରା ଦିନେ କାଳବୈଶାଖୀ ସମୟରେ ଦେଖାଯାଇଥାଏ। ମେଘର ଉଚ୍ଚତା ବଢ଼ିବା ଫଳରେ ବାୟୁମଣ୍ଡଳର ବିଯୁକ୍ତ ତାପମାତ୍ରାରେ ମେଘ ରହେ। ଫଳସ୍ବରୂପ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୁଏ। ଏହି କାରଣରୁ କମ୍‌ ସମୟ ମଧ୍ୟରେ ଏବେ ଅଧିକ ବର୍ଷା ଅଜାଡ଼ି ହୋଇପଡୁଛି। ଏଥିଯୋଗୁଁ ବର୍ଷା ସହ ବଜ୍ରପାତ ବଢ଼ିଚାଲିଛି। ସାଧାରଣତଃ ପୂର୍ବରୁ ବର୍ଷା ଦିନେ ବାୟୁମଣ୍ଡଳର ତଳଭାଗରେ ମେଘଖଣ୍ଡ ରହିବା ଯୋଗୁଁ ତୁହାକୁ ତୁହା ବର୍ଷା ହେଉଥିଲେ ବି ଚାଷୀ ବିଲରେ କାମ କରିପାରୁଥିଲେ। କିନ୍ତୁ ଏବେ ବଜ୍ରପାତ ଯୋଗୁଁ ବର୍ଷା ସମୟରେ ଚାଷୀ ବିଲରେ କାମ କରିବା ସମ୍ଭବ ହେଉନାହିଁ।’’

‘ବାତ୍ୟା’ ବଦଳାଇ ଦେଇଛି ବର୍ଷାର ମିଜାଜ!
୨୦୦୯ ମସିହା ପରଠାରୁ ଓଡ଼ିଶାରେ ବର୍ଷାର ମିଜାଜ ବଦଳିଥିବା ପାଣିପାଗବିଜ୍ଞାନୀମାନେ ଆକଳନ କରିଛନ୍ତି। ପୂର୍ବରୁ ସାଧାରଣତଃ ଅକ୍ଟୋବର ମାସ ଆଡ଼କୁ ‘ବାତ୍ୟା’ ସୃଷ୍ଟି ହେଉଥିଲା। ତାହା ପୁଣି ୧୦ରୁ ୧୫ ବର୍ଷ ବ୍ୟବଧାନରେ। ଏବେ କିନ୍ତୁ ଏପ୍ରିଲ୍‌, ମେ ମାସରେ ‘ବାତ୍ୟା’ ସୃଷ୍ଟି ହେଉଛି।

ପୁଣି ବାତ୍ୟା ସୃଷ୍ଟିରେ ଦୀର୍ଘ ବ୍ୟବଧାନ ମଧ୍ୟ ରହୁନାହିଁ। ପ୍ରାୟତଃ ପ୍ରତିବର୍ଷ ବଙ୍ଗୋପସାଗରରେ ‘ବାତ୍ୟା’ ସୃଷ୍ଟି ହେବା ଫଳରେ ଏହା ମୌସୁମୀକୁ ଦୁର୍ବଳ କରିଦେଉଛି। ଅନ୍ୟପଟେ ପୂର୍ବରୁ ଯେତେବେଳେ ଏପ୍ରିଲ୍‌ ବା ମେ’ ମାସରେ ‘ବାତ୍ୟା’ ସୃଷ୍ଟି ହେଉ ନଥିଲା, ଜୁନ୍‌ ଓ ଜୁଲାଇରେ ବହୁ ସଂଖ୍ୟାରେ ଲଘୁଚାପ ସୃଷ୍ଟି ହେଉଥିଲା। ବଙ୍ଗୋପସାଗରର ୨୦୦ରୁ ୩୦୦ କି.ମି. ଦୂରତାରେ ଲଘୁଚାପ ସୃଷ୍ଟି ହେବା ଫଳରେ ଏହା ସ୍ଥଳଭାଗକୁ ଆସିବାକୁ ୨ରୁ ୩ ଦିନ ସମୟ ଲାଗୁଥିଲା। ଫଳରେ ସେହି ସମୟରେ ଝିପିଝିପି ବର୍ଷା ଲାଗି ରହୁଥିଲା। ଏବେ କିନ୍ତୁ ସମୁଦ୍ର ଉପକୂଳରୁ ଦୂରରେ ଲଘୁଚାପ ସୃଷ୍ଟି ନ ହୋଇ, ବେଶ୍‌ ନିକଟରେ ସୃଷ୍ଟି ହେଉଥିବାରୁ ଏହା ସଙ୍ଗେ ସଙ୍ଗେ ବର୍ଷା କରାଉଛି ଓ ଅାଭ୍ୟନ୍ତର ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ ହୋଇ ଦିଲ୍ଲୀ ପର୍ଯ୍ୟନ୍ତ ବର୍ଷା ହୋଇଯାଉଛି କିନ୍ତୁ ସାରା ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ହେଉନାହିଁ।

ଏକ ସମୟରେ ଖରା, ବର୍ଷା
କେମିତି ହୁଏ?
‘ଖରା ହେଉଛି ବର୍ଷା ହେଉଛି ବିଲୁଆନନା ବାହା ହେଉଛି…।’ ଖରା ଜୋର୍‌ରେ ହେଉଥିବା ସମୟରେ ବର୍ଷା ପଡ଼ିଲେ ଏହି ଉକ୍ତି ପ୍ରାୟ ସମସ୍ତଙ୍କ ପାଟିରୁ ଆପେ ବାହାରି ଆସେ। ବାସ୍ତବରେ ଖରା ଓ ବର୍ଷା ଏକାଥରେ ହେବାକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ‌ରେ ‘ସନ୍‌ସାୱାର୍‌’ ବୋଲି କୁହାଯାଇଥାଏ। ବର୍ଷାଝଡ଼ ସହ ଜଡ଼ିତ ପବନ କେବେ କେବେ ବହୁ ଦୂରକୁ ବର୍ଷାକଣିକା ଉଡ଼ାଇ ନେଇଥା’ନ୍ତି। ଏଣୁ ସେହି ଅଞ୍ଚଳରେ ମେଘ ଖଣ୍ଡ ନଥାଇ ଖରା ପଡ଼ୁଥିଲେ ବି ଉତ୍ତାପର ସଂସ୍ପର୍ଶରେ ଆସି ଜଳକଣିକାଗୁଡ଼ିକ ଭୂପୃଷ୍ଠକୁ ଖସିପଡ଼ନ୍ତି। ଫଳରେ ବର୍ଷା ହୋଇଥାଏ।
ବେଳେ ବେଳେ ମେଘ ଖଣ୍ଡ ଆକାଶରେ ଘୂରିବୁଲୁଥିବା ବେଳେ ସୂର୍ଯ୍ୟକିରଣ ତା’ ଉପରେ ପଡ଼ିବା ଫଳରେ ମେଘ ଖଣ୍ଡ ତରଳି ବର୍ଷା ହୋଇଯାଏ। ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌, ଆୟର୍‌ଲ୍ୟାଣ୍ଡ୍‌ ଓ ୟୁକେରେ ଏହାକୁ ‘ସନ୍‌ ସାୱାର୍‌’ ବୋଲି କୁହାଯାଇଥାଏ। କିନ୍ତୁ ଅଧିକାଂଶ ଲୋକ-ସାହିତ୍ୟରେ ଏଭଳି ବର୍ଷାକୁ କୌଣସି ଚତୁର ପଶୁ ବା ଡାହାଣୀ, ପିଶାଚମାନଙ୍କ ବିବାହର ସଙ୍କେତ ଭାବେ ବିବେଚନା କରାଯାଇଛି। ଯେମିତି କି, ଓଡ଼ିଶାରେ ଖରା-ବର୍ଷା ଏକସଙ୍ଗେ ହେଲେ ବିଲୁଆନନା ବାହା ହେବାର ଲୋକବିଶ୍ବାସ ରହିଛି।
ମେଘ କେବେ କଳା ତ କେବେ ଧଳା!
‘‘ଅଇଲାଣି ମେଘ କଳାହାଣ୍ଡିଆ ଲୋ
ବରଷି ଦେଲାଣି ପାଣି।
ସାରୁପତ୍ର ଛତା ଧରି ବସିଲେ ଲୋ
ବେଙ୍ଗ ସଙ୍ଗେ ବେଙ୍ଗରାଣୀ।।’’
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏ କବିତା ଯେକୌଣସି ସମୟରେ ଆମକୁ କଳ୍ପନା ରାଇଜକୁ ପାଛୋଟି ନେଇପାରେ। କଳାହାଣ୍ଡିଆ ମେଘ ଦେଖିଲେ ମନ ପ୍ରଫୁଲ୍ଲିତ ହୋଇଉଠେ। ଭଲ ଅସରାଏ ବର୍ଷା ହେବ ବୋଲି ମନେହୁଏ। ହେଲେ କିଛି ମେଘ ଧଳା ହୋଇଥିବା ବେଳେ କିଛି ମେଘ କଳା କେମିତି? ମେଘର ସାନ୍ଦ୍ରତା ଓ ଗଭୀରତ‌ା ବୃଦ୍ଧି ପାଇଲେ, ସୂର୍ଯ୍ୟକିରଣ ଏହା ମଧ୍ୟ ଦେଇ ଅତିକ୍ରମ କରି ଭୂପୃଷ୍ଠରେ ପଡ଼ିପାରେ ନାହିଁ। ଫଳରେ ମେଘର ଗଭୀରତାରୁ ମେଘ ଖଣ୍ଡ କଳା ଦେଖାଯାଇଥାଏ।
ପବନ ପ୍ରବାହ ଯୋଗୁଁ ‘ଭସା ବାଦଲ’
‘‘ଭସା ବାଦଲକୁ କି ଅବା ଭରସା
ଏବେ ଅଛି ଏବେ ନାହିଁ।।’’
ଭସା ବାଦଲକୁ ନେଇ କବି କଲମରୁ ଏମିତି କେତେ କ’ଣ ଝରିପଡ଼ିଛି। ଭସା ବଉଦକୁ ଦେଖି ଭାରି ଖୁସି ଲାଗେ। ହେଲେ ଆକାଶରେ ମେଘ ଏମିତି ଭାସେ କାହିଁକି? ବାସ୍ତବରେ ବାୟୁମଣ୍ଡଳରେ ପ୍ରବାହିତ ପବନ କାରଣରୁ ମେଘଖଣ୍ଡ ପବନରେ ଦୋହଲିଥା’ନ୍ତି। ବାୟୁମଣ୍ଡଳର ପ୍ରତିଟି ସ୍ତରରେ ମେଘଖଣ୍ଡ ଥାଏ। ବାୟୁମଣ୍ଡଳର ୨ରୁ ୩ କି.ମି. ଉପରଠାରୁ ଆରମ୍ଭ କରି ଜୁମ୍ବୋ ଜେଟ୍‌ ଉଡ଼ୁଥିବା ଉଚ୍ଚତାଯାଏ ମେଘ ଖଣ୍ଡ ଦେଖାଯା’ନ୍ତି। ବାୟୁମଣ୍ଡଳର ତଳ ଭାଗରେ ବାୟୁପ୍ରବାହ ହେଉଥିଲେ ସେଠାରେ ଥିବା ମେଘଖଣ୍ଡ ଚଳମାନ ହୁଅନ୍ତି। ଏହାକୁ ଆମେ ଦେଖି ଭସା ବାଦଲ ବା ଚଲା ବାଦଲ କହୁ। ସେହିଭଳି ବେଳେ ବେଳେ ବାୟୁମଣ୍ଡଳର ତଳ ସ୍ତରରେ ବାୟୁପ୍ରବାହ ନଥାଏ। ଏଣୁ ସେଠାରେ ମେଘ ଖଣ୍ଡ ସ୍ଥିର ଥା’ନ୍ତି। କିନ୍ତୁ ଏହାର ଉପର ସ୍ତରରେ ପବନ ପ୍ରବାହ ଯୋଗୁଁ ଉପରର ମେଘଖଣ୍ଡ ଚଳମାନ ହୋଇଥାଏ।

ବର୍ଷାର ବିଳମ୍ବିତ, ଅନିୟମିତ ଆଚରଣ
ବିଳମ୍ବିତ ମୌସୁମୀ, ଦୁର୍ବଳ ମୌସୁମୀ ଆଦି ଶବ୍ଦ ଏବେ ପ୍ରାୟ ଅଧିକାଂଶ ସମୟ ଗଣମାଧ୍ୟମ ପୃଷ୍ଠାମଣ୍ଡନ କରୁଥିବା ଆମେ ଦେଖିବାକୁ ପାଉଛେ। ବିଳମ୍ବ ଓ ଅନିୟମିତ ବର୍ଷା ଏବେ ରାଜ୍ୟର କୃଷି ଓ ଅର୍ଥନୀତି ପାଇଁ ସବୁଠାରୁ ବଡ଼ ସମସ୍ୟା ଭାବେ ଦଣ୍ଡାୟମାନ। ପାଣିପାଗ ବିଜ୍ଞାନୀଙ୍କ ମତରେ ବାୟୁମଣ୍ଡଳର ତାପମାତ୍ରା ୧ ଡିଗ୍ରି ସେଲ୍‌ସିଅସ୍ ବୃଦ୍ଧି ପାଇଲେ ବାୟୁମଣ୍ଡଳର ଜଳୀୟବାଷ୍ପ ଧାରଣ କ୍ଷମତା ୭.୫ ଗୁଣ ବଢ଼ିଯାଏ। ବାୟୁମଣ୍ଡଳରେ ଜଳୀୟବାଷ୍ପ ଧାରଣ କ୍ଷମତାରେ ପରିପୂର୍ଣ୍ଣତା ନ ଆସିଲେ ବର୍ଷା ହୁଏ ନାହିଁ। ସଂପ୍ରତି ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଇ ଚାଲିଥିବାରୁ ଜଳୀୟବାଷ୍ପ ପରିପୂର୍ଣ୍ଣତା ଲାଭ କରିବା ପାଇଁ ଅଧିକ ସମୟ ଆବଶ୍ୟକ ପଡ଼ୁଛି। ତେଣୁ ବର୍ଷା ହେବାରେ ବିଳମ୍ବ ସହ ଅନିୟମିତତା ଦେଖାଯାଉଥିବା କୁହାଯାଉଛି।
ଇଉରୋପର ରିଡିଂ ବିଶ୍ବବିଦ୍ୟାଳୟର ଗବେଷଣା ଅନୁଯାୟୀ, ୨୦୦୦ ମସିହା ପରଠାରୁ ଓଡ଼ିଶା ବାୟୁମଣ୍ଡଳର ତାପମାତ୍ରା ଆଶାତୀତ ଭାବେ ବୃଦ୍ଧିପାଇଛି। ୨୦୧୨ ମସିହା ବେଳକୁ ବାୟୁମଣ୍ଡଳର ତାପମାତ୍ରା ପ୍ରାୟ ୨ ଡିଗ୍ରି ବୃଦ୍ଧି ପାଇଥିଲା ବେଳେ ୨୦୨୨ ମସିହା ବେଳକୁ ୫ରୁ ୬ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧିପାଇଛି। ସେହି ଦୃଷ୍ଟିରୁ ବିଚାର କଲେ, ୨୦୧୨ ମସିହାରେ ବାୟୁମଣ୍ଡଳର ଜଳୀୟବାଷ୍ପ ଧାରଣ କ୍ଷମତା ୧୫ ଗୁଣ ବୃଦ୍ଧି ପାଇଥିଲା ବେଳେ ୨୦୨୨ ମସିହାରେ ଏହି କ୍ଷମତା ୩୭.୫ ଗୁଣରୁ ୪୫ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
ଏ‌ପଟେ ଜଳୀୟବା‌ଷ୍ପ ଧାରଣ କ୍ଷମତା ବୃଦ୍ଧି ପାଇଥିବା ବେଳେ ସେପଟେ କିନ୍ତୁ ଆର୍ଦ୍ରଭୂମି ହ୍ରାସ ଓ ନଦୀ ଶୁଖିଲା ପଡ଼ିଥିବାରୁ ବାୟୁମଣ୍ଡଳର ଜଳୀୟବାଷ୍ପ ପରିପୂର୍ଣ୍ଣତା ଆସିବାରେ ବିଳମ୍ବ ଘଟୁଛି। ତେଣୁ ବିଳମ୍ବରେ ବର୍ଷା ହେବା ବା ଅନିୟମିତ ବୃଷ୍ଟିପାତ ସ୍ବାଭାବିକ ହୋଇ ପଡ଼ିଛି। ରାଜ୍ୟରେ ବ୍ୟାପକ ଖଣିଜ ସମ୍ପଦ ଉତ୍ତୋଳନ, ଉଦ୍ୟୋଗୀକରଣ ଓ ଭିତ୍ତିଭୂମିଗତ ବିକାଶ ପାଇଁ ବ୍ୟାପକ ସଂଖ୍ୟାରେ ଗଛ କଟାଯିବା, ଯ‌ାନବାହନ ସଂଖ୍ୟା ବହୁଗୁଣିତ ହେବା, କଂକ୍ରିଟ୍‌ ଜଙ୍ଗଲ ସୃଷ୍ଟି ହେବା ଓ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ହଜାର ହଜାର ଟନ୍‌ କୋଇଲା ଜଳାଯିବା, ବହୁ ସଂଖ୍ୟାରେ ଶୀତତାପ ନିୟନ୍ତ୍ରକ ଯନ୍ତ୍ର ବ୍ୟବହାର କରାଯିବା ଭଳି ବିଭିନ୍ନ କାରଣ ପାଇଁ ତାପମାତ୍ରାରେ ବୃଦ୍ଧି ଘଟିଛି। ତା’ ସହ ଆର୍ଦ୍ରଭୂମିର ଆୟତନରେ ହ୍ରାସ, ବାୟୁମଣ୍ଡଳକୁ ଯେମିତି ଶୀତଳ କରିବା କଥା, ତାହା କରୁନାହିଁ। ଏହାର ପ୍ରଭାବରେ ମୌସୁମୀ ଲାଗି ଆବଶ୍ୟକ ପାରିପାର୍ଶ୍ବିକ ଅବସ୍ଥା ସୃଷ୍ଟି ହୋଇ ପାରୁନାହିଁ।

ନେଇ ଯା’ରେ ମେଘ ମୋତେ... ମୋ ପ୍ରିୟ ପାଶେ

ବର୍ଷା ସଭିଁଙ୍କ ମନକୁ ଅଚିରେ ଭିଜାଏ। କେବେ କେବେ ବର୍ଷାଛିଟା ପ୍ରେମୀଯୁଗଳଙ୍କୁ ମତୁଆଲା କରେ ତ ପୁଣି କେବେ ବିରହ ନିଆଁରେ ଜା‌ଳେ। ବର୍ଷା କେବେ କେବେ ରୋମାଣ୍ଟିକ୍‌ ହୋଇ ମିଳନର ଗାଥା ଗାଏ ତ ପୁଣି କାହା ପାଇଁ ବିଚ୍ଛେଦ ଆଣେ। ବର୍ଷା ବିଭିନ୍ନ ଭାଷାର ସାହିତ୍ୟରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛି। ସେମିତି ବର୍ଷାକୁ ନେଇ ତିଆରି ହୋଇଛି ଅନେକ କାଳଜୟୀ ଗୀତ। ସେଇ ଗୀତଗୁଡ଼ିକ ସାଜିଛନ୍ତି ଗୀତିଧାରାରେ ଗୋଟିଏ ଗୋଟିଏ ମାଇଲ୍‌ଖୁଣ୍ଟ। ସେମିତି କିଛି ବର୍ଷାଭିଜା ଗୀତକୁ ଆସନ୍ତୁ ମନେପକାଇବା।
‘ଶେଷ ଶ୍ରାବଣ’ ଚଳଚ୍ଚିତ୍ରର ‘ମେଘ ବରଷିଲା ଟୁପୁରୁ ଟାପୁରୁ, କେଶୁର ମାଇଲା ଗଜା...’ ଓ ‘ହାଏରେ ହାଏ ଗରଜେ ମେଘ ଘୁମ୍‌ଘୁମ୍‌...’ ଏବଂ ‘ଡୋରା’ ଚଳଚ୍ଚିତ୍ରର ‘ଟପ୍‌ ଟପ୍‌ ଝିପ୍‌ ଝିପ୍‌ ଝର୍‌ ଝର୍‌ ଝମ୍‌ ଝମ୍‌, ବରଷା ରାଣୀର ପାଉଁଜି ଛମ୍‌ ଛମ୍‌...’ ଗୀତ ତିନିଟି ଓଡ଼ିଆ ସିନେମା ଇତିହାସର ବର୍ଷା ସଂଗୀତରେ ରେକର୍ଡ ସୃଷ୍ଟି କରିଛନ୍ତି। ଜଣେ ବିରହିଣୀ ପ୍ରେମିକାର ନିଜ ପ୍ରିୟ ପାଖକୁ ଯିବାର ବେଦନାଭରା ଅଭିଳାଷକୁ ମେଘ ପାଖରେ ଗୀତ ମାଧ୍ୟମରେ ବ୍ୟକ୍ତ କରିଛି ‘ବଳିଦାନ’ ଚଳଚ୍ଚିତ୍ରର ନାୟିକା- ‘ନେଇ ଯା’ରେ ମେଘ ମୋତେ, ଦେ ଛାଡ଼ି ସେଇ ଦେଶେ, ମୋ ପ୍ରିୟ ପାଶେ…’। ଏହି ଚିରସବୁଜ ଗୀତକୁ ଯେବେ ବି ଶୁଣିଲେ ଦେହରେ ଶିହରଣ ସୃଷ୍ଟି ହୁଏ।
ତେବେ ୧୯୫୯ର ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା’ର ‘ଆକାଶରେ କେତେ ବିଜୁଳି ଚମକ…’ଗୀତଟିକୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ବର୍ଷାଗୀତ ବୋଲି କୁହାଯାଏ।
ସେହିପରି ଆଉ କେତେକ ମନଜିଣା ବର୍ଷା ଆଧାରିତ ଗୀତ‌ ଭିତରେ ଆସେ ‘ଅରୁନ୍ଧତୀ’ ଚଳଚ୍ଚିତ୍ରର ‘ମୟୂରୀ ଗୋ ତୁମ ଆକାଶ ମୁଁ ଦିନେ ମହ୍ଲାରେ ମେଘ ସାଜିଲି…’ ଓ ‘ଲକ୍ଷ୍ମୀ’ ଚଳଚ୍ଚିତ୍ରର ‘ବାରିଦରେ ତୁ ଯା ନା..’। ‘କି ହେବ ଶୁଆ ପୋଷିଲେ’ଚଳଚ୍ଚିତ୍ରର ‘ବର୍ଷା ପଡ଼ିଲାଣି କେମିତି ଯିବା…’ ଓ ‘ସାକ୍ଷୀ ରହିବ ଏ ଶଙ୍ଖାସିନ୍ଦୂର’ ଚଳଚ୍ଚିତ୍ରର ‘ବର୍ଷା କମି ନ ଯାଉ, ପ୍ରେମ ଥମି ନ ଯାଉ’ ଶ୍ରୋତାଙ୍କୁ ବିଭୋର କରେ। ସେମିତି, ଟିପ୍‌ଟିପ୍‌ ଟିପ୍‌ଟିପ୍‌ ବର୍ଷା ପଡ଼େ… (କାଳୀଶଙ୍କର), ‘ଯା ଦେବୀ ସର୍ବ ଭୁତେଷୁ’ ର ‘ଭାରି ଭଲ ଲାଗେ ବର୍ଷା ଯଦି ଟାପୁରୁ ଟୁପୁରୁ ପଡ଼େ...’
‘ବର୍ଷା ମାଇଁ ଡାର୍ଲିଂ’ ଚଳଚ୍ଚିତ୍ରର ‘ବର୍ଷା ରାଣୀ ବର୍ଷା ରାଣୀ ତୁ ଝରି ଝରି ଆ...’
‘ହିରୋ ପ୍ରେମ୍‌ କଥା’ ର ‘ମୁଁ ତୋ ହିରୋ ଗୋରି ତୁ ହିରୋଇନ୍‌, ଟୁପୁରୁ ଟୁପୁରୁ ବର୍ଷା ନାଚେ ରିମ୍‌ଝିମ୍‌...’ ବର୍ଷା ଆକାଶର ବର୍ଷା... (ଗପ ହେଲେ ବି ସତ), ମେଘରୁ ତୁ ଝରିଲୁ… (ପ୍ରେମ ଅଢ଼େଇ ଅକ୍ଷର), ବର୍ଷାର ମଜା ବର୍ଷାର ଭିଜା… (କଥା କହିବ ମୋ ମଥା ସିନ୍ଦୂର), ବର୍ଷା ବର୍ଷା ମାଇଁ ଲଭ୍‌ ବର୍ଷା…(ଗପ ହେଲେ ବି ସତ), ରିମ୍‌ଝିମ୍‌ ରିମ୍‌ଝିମ୍‌ ବର୍ଷା… (ପାଗଳ କରିଚି ପାଉଁଜି ତୋର), ଜ୍ୟୋତ୍ସ୍ନାରେ ଭିଜିଥିଲେ… (ମୋ ମନ ଖାଲି ତୋରି ପାଇଁ), ବର୍ଷା ହେବ ଛତା ନାହିଁ, ଓଢ଼ଣି ତଳକୁ ଆ… (ଲଭ୍‌ ଡଟ୍‌ କମ୍‌) ଆଦି ଗୀତ ବେଶ୍ ଶ୍ରୋତାପ୍ରିୟ।
ସେମିତି ଓଡ଼ିଆ ଆଲ୍‌ବମ୍‌ ଶିଳ୍ପ ମଧ୍ୟ କିଛି କମ୍‌ ମନଛୁଆଁ ବର୍ଷାଗୀତ କରିନାହିଁ। ସେଥିମଧ୍ୟରୁ ‘ସେଇ ବର୍ଷା... ସେଇ ରାତି ମନେପଡ଼େ...’ (ସେଇ ବର୍ଷା), ହାଏରେ ହାଏ ଏ ଅଦିନ ମେଘ... (ଅଦିନ ମେଘ), ଝିପି ଝିପି ମେଘରେ ଚାଲିଗଲା ଆଗରେ (ଝିପି ଝିପି ମେଘ), ଆ ବର୍ଷା ଆ ପ୍ରିୟାକୁ ଭିଜେଇ ଦେଇ ଯା... (ଆ ବର୍ଷା ଆ) ଓଡ଼ିଆ ଶ୍ରୋତାମନକୁ ଭିଜାଇଛି। ‘ବରଷି ଯା ମେଘ ତୁ ବରଷି ଯା…’, ‘ବାଟରେ ବର୍ଷା ହେଲା, ହାତରେ ଛତା ନଥିଲା...’, ‘ତୁ ମେଘ ହେଇଯା ମତେ ସାଥେ ନେଇଯା..’, ‘ବର୍ଷା ଠାରୁ ବେଶି ମିଠା ଏଇ ବର୍ଷା ଛିଟା...’ ଆଦି ଆଲ୍‌ବମ୍‌ ଗୀତ ଯୁବପିଢ଼ିଙ୍କର ବେଶ୍‌ ପସନ୍ଦ। କେବଳ ଏତିକି ନୁହେଁ, ଆହୁରି ଅନେକ ବର୍ଷା ଆଧାରିତ ଗୀତ ଓଡ଼ିଆ ସଂଗୀତ ଭଣ୍ଡାରରେ ରହିଛି, ଯାହା ଏଇ ଧାରାକୁ ପରିପୁଷ୍ଟ କରିଛି।

ଚଉରା ମୂଳେ ସାଧବବୋହୂ, ଅନ୍ଧାରୀ ଅଗଣାରେ ଜଳୁଜୁଳିଆ

ବର୍ଷା ଜୀବନର ସଙ୍କେତ ହେଲେ ଆଷାଢ଼ ତା’ର ଯୌବନ, ଶ୍ରାବଣ ତା’ର ସ୍ପନ୍ଦନ। ଏବେ କିନ୍ତୁ ଯୌବନକୁ ଗ୍ରାସ କରିଛି ଅକାଳ ବାର୍ଦ୍ଧକ୍ୟ। ବିରହୀ ଆଷାଢ଼ରେ ସେ ଉନ୍ମାଦନା ଆଉ ନାହିଁ, ଯାହା ଦିନେ କବି କଳ୍ପନାକୁ ରସାଣିତ କରୁଥିଲା? ଏବେ ସେ ଆଷାଢ଼ ଅଛି କିନ୍ତୁ ସେ ବର୍ଷା ନାହିଁ। ସେ ଶ୍ରାବଣ ଅଛି, ମୁଷଳ ଧାରାରେ ବର୍ଷା ନାହିଁ। ଏହି ବିଲକ୍ଷଣ ସହ ଧୀରେ ଧୀରେ ହଜିଯାଉଛି ଚଉହଦିର ଚତୁଃରଙ୍ଗ। ଚଉରାମୂଳେ କ୍ବଚିତ୍‌ ଦେଖିବାକୁ ମିଳୁଛି ସାଧବବୋହୂ, ଆଉ ଘର ଅଗଣାରେ ଅନ୍ଧାରର ଛାତି ଚିରି ଚିକ୍‌ଚିକ୍ କରୁଥିବା ଜୁଳୁଜୁଳିଆ ପୋକ ବି ଦିଶୁଛନ୍ତି କାଁ ଭାଁ।
ବର୍ଷା ଛୁଆଁରେ ମାଟି ଓ ପବନ ଶୀତଳ ହେଲେ ବାହାରି ଆସନ୍ତି ସାଧବବୋହୂ। ଚାଷବନ୍ଦି ଘରେ ଲୋକ କହନ୍ତି, ସାଧବବୋହୂ ଦେଖା ଦେଲାଣି ଏ ସନ ଭଲ ବର୍ଷା ହେବ। କିନ୍ତୁ ଏବେ ପୂର୍ବ ଭଳି ବର୍ଷା ନାହିଁ। ବର୍ଷା ଚାରିମାସରୁ ଦୁଇମାସ ଅକ୍ତିଆର କଲାଣି ଖରା। ଫଳରେ କୁନି ସାଧବବୋହୂଟି ଅଣ୍ଡା ଦେଇ ବଂଶ ବିସ୍ତାର କରିପାରୁ ନାହିଁ। ମାଟିରେ ମିଶି ରହିଥିବା ଅଣ୍ଡାରୁ ଛୁଆ ଫୁଟିବା ଲାଗି ଅନୁକୂଳ ବାତାବରଣ ପାଉନାହିଁ। ଜଳବାୟୁ ପରିବର୍ତ୍ତନ ସେମାନଙ୍କ ବଂଶ ବିସ୍ତାରରେ ସାଜିଛି ବଡ଼ ବାଧକ।
ସାଧବବୋହୂ ଓଡ଼ିଆ ସାହିତ୍ୟ ଓ ପରମ୍ପରା ସହ ଜଡ଼ିତ। ସଧବା ଧରଣୀର ମଥାର ସିନ୍ଦୂର ଟିପା ଭାବରେ ଏହାକୁ ବର୍ଣ୍ଣନା କରାଯାଏ। ତା’ର ଆକର୍ଷଣୀୟ ରଙ୍ଗ ଓ ଆକୃତିକୁ ନେଇ ଅନେକ କବିତା ବି ରଚିତ ହୋଇଛି। ପୁଣି ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି। ମୃତ ସାଧବବୋହୂକୁ ଖରାରେ ଶୁଖାଇ ଛତିଶଗଡ଼ର ଲୋକେ ଏକ ତୈଳ ତିଆରି କରନ୍ତି, ଯାହା ପକ୍ଷାଘାତ ଉପଶମ କରେ।
ବର୍ଷାଦିନେ ଅନ୍ଧାର ରାତିରେ ନୀଳରଙ୍ଗର ଆଲୁଅ ଜାଳି ଏ ଗଛରୁ ସେ ଗଛ ଉଡ଼ିବୁଲୁଥାଏ ଜୁଳୁଜୁଳିଆ ପୋକ। ଜୁଳୁଜୁଳିଆ ରାତି ହେଲେ ଦେଖାଯାଆନ୍ତି। ସବୁ ଋତୁରେ ଦେଖା ଯାଉଥିଲେ ହେଁ ବର୍ଷାଋତୁ‌ରେ ଅଧିକ ମାତ୍ରାରେ ଦେଖିବାକୁ ମିଳେ ଏମାନଙ୍କ ରୋଶଣି। ଲୋକବିଶ୍ବାସ ରହିଛି, ଯଦି ଜୁଳୁଜୁଳିଆ ବର୍ଷାରାତିରେ ଅଧିକ ଉଜ୍ଜ୍ବଳ ଆଲୋକ ପ୍ରଦାନ କରେ, ତେବେ ଭଲ ବର୍ଷା ହେବା ସହିତ ଫସଲ ମଧ୍ୟ ଭଲ ହୋଇଥାଏ। ବିଜ୍ଞାନ କହେ, ଜୁଳୁଜୁଳିଆ ପୋକ ରାତିରେ ଆଲୋକ ବିକିରଣ କରିବାର ମୁଖ୍ୟ କାରଣ ଖାଦ୍ୟ ଅନ୍ୱେଷଣ ଏବଂ ନିଜର ସାଥୀକୁ ଆକର୍ଷିତ କରିବା।
ଏ ପ୍ରସଙ୍ଗରେ ପରିବେଶବିତ୍‌ ତଥା ପ୍ରାଣୀବିଜ୍ଞାନୀ ଡ. ବିଶ୍ବଜିତ ପଣ୍ଡା କହନ୍ତି, ‘‘ବର୍ଷା ହେଉ ବା ଖରା କି ଶୀତ; ପ୍ରକୃତି କୋଳରେ ଦେଖାଯାଉଥିବା କ୍ଷୁଦ୍ରରୁ କ୍ଷୁଦ୍ରାତିତମ ପ୍ରାଣୀ ହେଉଛନ୍ତି ଜଣେ ଜଣେ ‘ଜୈବିକ ସଙ୍କେତକ’। ଋତୁଚକ୍ର ଠିକ୍‌ ଭାବେ ପରିଚାଳିତ ହେଉଛି କି ନାହିଁ, ପରିବେଶ ଉପରେ ପଡୁଥିବା ପ୍ରଭାବ ତଥା ପରିବେଶରେ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ଏହି ସବୁ ଜୀବ ଆମକୁ ସଙ୍କେତ ଦେଇଥାନ୍ତି। ତେବେ ଏମିତି ନୁହେଁ ଯେ ସାଧବବୋହୂ ଏବେ ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହୋଇଯାଇଛନ୍ତି। ମୟୂରଭଞ୍ଜ, ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳ, ନୀଳଗିରି, ଦକ୍ଷିଣ ଓଡ଼ିଶାର ଜଙ୍ଗଲିଆ ପରିବେଶରେ ଏବେ ବି ପର୍ଯ୍ୟାପ୍ତ ସଂଖ୍ୟାରେ ସାଧବବୋହୂ ଦେଖାଯାଆନ୍ତି। ତେବେ ଶିଳ୍ପାଞ୍ଚଳ, ପ୍ରଦୂଷିତ ପରିବେଶରେ ସାଧବବୋହୂ ଦେଖିବାକୁ ମିଳୁ ନଥିବାରୁ ଅଧିକାଂଶ ସହରାଞ୍ଚଳରେ ସାଧବବୋହୂ ଏବେ ନିଖୋଜ।’’

କାହିଁକି ଜଳେ ଜୁଳୁଜୁଳିଆ
ପ୍ରଥମେ ତ ସମସ୍ତେ ଭାବୁଥିଲେ ଜୁଳୁଜୁଳିଆ ପୋକ ଶରୀରରେ ଫସଫରସ୍‌ ଅଛି। ସେଥିପାଇଁ ଏହା ରାତିରେ ଆଲୋକିତ ହୁଏ। ତେବେ ବୈଜ୍ଞାନିକମାନେ ଏହା ଉପରେ ଅନେକ ଗବେଷଣା କରିବା ପରେ ଜାଣିବାକୁ ପାଇଲେ ଯେ ଫସ୍‌ଫରସ୍‌ ପାଇଁ ନୁହେଁ ବରଂ ତା’ ପେଟର ସ୍ବତନ୍ତ୍ର ଅଙ୍ଗରେ ଥିବା ଲୁସିଫେରିନ୍‌ ନାମକ ପ୍ରୋଟିନ୍‌ ପାଇଁ ଉକ୍ତ ପୋକର ପେଟରୁ ଆଲୋକ ନିସୃତ ହୋଇ ଚକମକ ଦେଖାଯାଏ। ଏହି ଲୁସିଫେରିନ୍‌, ଅମ୍ଳଜାନ ଓ ଲୁସିଫେରେଜ ନାମକ ଏନ୍‌ଜାଇମ୍‌ ସଂସ୍ପର୍ଶରେ ଆସିଲେ ରାସାୟନିକ ପ୍ରତିକ୍ରିୟା ଘଟି ସେମାନଙ୍କ ପେଟ ଆଲୋକିତ ହୋଇଥାଏ। ଜୁଳୁଜୁଳିଆ ପୋକର ପେଟ କେବଳ ରାତିରେ ଆଲୋକିତ ହୋଇ ନ ଥାଏ, ବରଂ ଦିନରେ ବି ତା’ର ପେଟରୁ ଆଲୋକ ନିସୃତ ହୁଏ। ଦିନରେ ଅଧିକ ଆଲୋକ ଥିବାରୁ ତା’ର ସ୍ବଳ୍ପ ଆଲୋକ ଜଣାପଡ଼େ ନାହିଁ। ଏହି ଆଲୋକକୁ ବୈଜ୍ଞାନିକମାନେ ‘କୋଲ୍ଡ ଲାଇଟ୍‌’ ବା ‘ଶୀତଳ ଆଲୋକ’ ବୋଲି କହନ୍ତି। ପୋକଟିର ଶତପ୍ରତିଶତ ଊର୍ଜା ଏହି ଆଲୋକ ଦ୍ୱାରା ନିସୃତ ହୋଇଥାଏ। ହେଲେ ଏହି ଆଲୋକରୁ ଉତ୍ତାପ ବାହାରି ନ ଥାଏ। ଜୁଳୁଜୁଳିଆ ପୋକମାନେ ଏହା ମାଧ୍ୟମରେ ପରସ୍ପର ସହ ଭାବର ଆଦାନ ପ୍ରଦାନ କରନ୍ତି।