ବାପାମା’ ଚାହୁଁଥିଲେ ପୁଅ ୟଶ୍ ଇଞ୍ଜିନିୟର୍ ନହେଲେ ଓଏଏସ୍ କି ଆଇଏଏସ୍ ହେଉ। ଆଇଏଏସ୍ କୋଚିଂ ଲାଗି ବି ପୁଅକୁ ଦିଲ୍ଲୀ ପଠାଇଥିଲେ। କିନ୍ତୁ ଦିଲ୍ଲୀରେ ବର୍ଷେ ପାଖାପାଖି କୋଚିଂ ନେବାପରେ ୟଶ୍ ଅନୁଭବ କଲେ ଯେ ତାଙ୍କ ଅନ୍ତରାତ୍ମା କହୁଛି ସେ ସିନେନିର୍ଦ୍ଦେଶକ ହେବେ। ଅନ୍ତରାତ୍ମାର ଡାକ ଶୁଣି ଦିଲ୍ଲୀ ଛାଡ଼ି ସେ ଘରକୁ ଫେରିଆସିଲେ। ନିଜ ସ୍ବପ୍ନକୁ ସାକାର କରିବା ଲାଗି ଚାଲିଲା ପରୀକ୍ଷାନିରୀକ୍ଷା। ବେଶ୍ କିଛିଦିନର ସଂଘର୍ଷ ପରେ ମଲ୍ଟିଷ୍ଟାରର୍ ସିନେମା ‘ଚନ୍ଦ୍ରବଂଶୀ’ ଜରିଆରେ ଓଲିଉଡ୍ରେ ନିର୍ଦ୍ଦେଶକ ଭାବେ ପଦାର୍ପଣ କଲେ ମୟୂରଭଞ୍ଜ ଜିଲ୍ଲା ବେତନଟୀର ୟଶ୍ ଓରଫ ୟଶବର୍ମନ ପଣ୍ଡା।
ଦିଲ୍ଲୀରୁ ବେତନଟୀ ଫେରିଆସି କ୍ୟାମେରାଟିଏ କିଣି ସାନ୍ତାଳୀ ଭାଷାର ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତିରେ ଲାଗିପଡ଼ିଲେ ୟଶ୍। ୨୬ଟି ସାନ୍ତାଳୀ ଓ ଝୁମର ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା, ଚିତ୍ରୋତ୍ତୋଳନ ଓ ସଂପାଦନା କରିବା ପରେ ଭୁବନେଶ୍ବରକୁ ନିଜର କର୍ମକ୍ଷେତ୍ର ରୂପେ ବାଛିଲେ। ୧୭ଟି ଓଡ଼ିଆ ମ୍ୟୁଜିକ୍ ଭିଡିଓ କରିବା ପରେ ୨୦୨୨ରେ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କଲେ। ଏହାପରେ ‘ଲଭ୍ ଡାଏରି’ ଶୀର୍ଷକରେ ସର୍ଟଫିଲ୍ମଟିଏ ବି କରିଥିଲେ ସେ।
ଦିଲ୍ଲୀରେ ଆଇଏଏସ୍ କୋଚିଂ ନେବା ସମୟରେ ହଠାତ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ହେବାର ଇଚ୍ଛା ଜାଗ୍ରତ ହେଲା। ପାଠରେ ଡୋରି ବାନ୍ଧି ଘରକୁ ଫେରି ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ମନୋନିବେଶ କରିଛନ୍ତି ‘ଚନ୍ଦ୍ରବଂଶୀ’ର ଅନ୍ୟତମ ନିର୍ଦ୍ଦେଶକ ୟଶ୍ବର୍ମନ ପଣ୍ଡା।
ଆକସ୍ମିକ ଭାବେ କେନ୍ଦୁଝର ଜିଲ୍ଲା ବସନ୍ତପୁର ଗ୍ରାମରେ ଚୁକ୍ତିଭିତ୍ତିକ ଶିକ୍ଷକ ଭାବେ କାମ କରୁଥିବା ସୁବାସ ମୁଦୁଲିଙ୍କ ସହ ତାଙ୍କର ଦେଖାହୁଏ। ସେଇଠି ଆରମ୍ଭ ହୁଏ ସିନେମା ‘ମାଷ୍ଟୂର’ର ଯୋଜନା। ଏଥିରେ ଏନ୍ଏସ୍ଡି ପଢ଼ୁଆ ସୁନୀଲ କୁମାର ସାହୁଙ୍କୁ ୟଶ୍ ନିଜର ଯୋଡ଼ି ବନାନ୍ତି। ୟଶ୍-ସୁନୀଲ ଯୋଡ଼ିର ପ୍ରଥମ ଫିଲ୍ମ ‘ମାଷ୍ଟୂର’ର କାମ ଆରମ୍ଭ ହୁଏ। ନୂଆ ନିର୍ଦ୍ଦେଶକ ଯୋଡ଼ିର କାମ ଦେଖି ପ୍ରଯୋଜକ କୁମାର ପ୍ରୀତମ୍ ସାହୁ ଉଭୟଙ୍କୁ ବଡ଼ ବଜେଟ୍ର ସିନେମା ‘ଚନ୍ଦ୍ରବଂଶୀ’ର ନିର୍ଦ୍ଦେଶନା ଦାୟିତ୍ବ ଦିଅନ୍ତି। ଆଉ ଏହି ଦାୟିତ୍ବକୁ ବି ସୁଚାରୁ ରୂପେ ତୁଲାଇ ଚଳଚ୍ଚିତ୍ର ଶିଳ୍ପର ଦୃଷ୍ଟି ଆକର୍ଷଣ କରନ୍ତି ୟଶ୍-ସୁନୀଲ।
ଏବେ ୟଶ୍-ସୁନୀଲଙ୍କ ହାତରେ ରହିଛି ତିନି ତିନିଟି ସିନେମା। ଓଡ଼ିଆ ଛବି ‘କାଳଭା’, ‘ସ୍କାମ୍-୯୯’ ଓ ହିନ୍ଦୀ ସିନେମା ‘ଲେଟର୍ ଟୁ ପିଏମ୍’। ଆଦ୍ୟ ସଫଳତା ପରେ ବି ୟଶ୍ଙ୍କ ବଡ଼ ଦୁଃଖ ହେଉଛି ତାଙ୍କ ବାପା କିନ୍ତୁ ପୁଅ ଉପରେ ସନ୍ତୁଷ୍ଟ ନୁହନ୍ତି। ୟଶ୍ କହନ୍ତି, ‘‘ସର୍ବଶିକ୍ଷା ଅଭିଯାନ ଉପରେ ଆଧାରିତ ଆମ ସିନେମା ‘ମାଷ୍ଟୂର’ଦେଖିବା ପରେ ବାପାଙ୍କ ମନ ବଦଳିଯିବ ବୋଲି ମୁଁ ଭାବୁଛି।’’
-ଶିବଶଙ୍କର ଓଝା