ଏବେ ମୌଳିକ କାହାଣୀକୁ ନେଇ ଓଡ଼ିଆ ସିନେମା ନିର୍ମାଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଆଉ ଏହି କାମରେ ନିଜକୁ ନିୟୋଜିତ କରି ବେଶ୍ ଚର୍ଚ୍ଚାରେ ଅଛନ୍ତି ପ୍ରତିଭାସଂପନ୍ନ ନିର୍ଦ୍ଦେଶକ ରାଜେନ୍ଦ୍ର ମହାନ୍ତ। ରାଜେନ୍ଦ୍ର ଲୋକପ୍ରିୟ ନିର୍ଦ୍ଦେଶକ ଅଶୋକ ପତିଙ୍କ ‘ସଂଜୁ ଆଉ ସଂଜନା’, ‘ଦିୱାନା’ ଓ ‘ଲୋଫର୍’ ଏବଂ ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ମୁଁ ପ୍ରେମୀ ମୁଁ ପାଗଳ’ ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବେ ପ୍ରାରମ୍ଭିକ ପର୍ଯ୍ୟାୟରେ କାମ କରିଥିଲେ। ପରେ ଦକ୍ଷ ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ ସହଯୋଗୀ ଭାବେ କ୍ରମାଗତ ‘ଲୁଚକାଳି’, ‘ମୋଷ୍ଟ ୱାଣ୍ଟେଡ୍’, ‘ଚକ୍‌ଲେଟ୍‌’, ‘କେହି ନୁହେଁ କାହାର’, ‘ହେଲୋ ଇନ୍ ଲଭ୍’, ‘ମୁଁ ଏକା ତୁମର’,  ଓ ‘ଲଭ୍ ୟୁ ଜେସିକା’ ସମେତ ୧୭ଟି ସିନେମାରେ ରାଜେନ୍ଦ୍ର କାମ କରିଥିଲେ।

Advertisment

ସ୍ବାଧୀନ ନିର୍ଦ୍ଦେଶକ ଭାବେ ରାଜେନ୍ଦ୍ରଙ୍କର ପ୍ରଥମ ଓଡ଼ିଆ ଛବି ହେଲା ‘ଅଦୃଶ୍ୟମ୍’। ଏଥିରେ ସାନୁ ଓ ଅଙ୍କିତା ମିଶ୍ର ମୁଖ୍ୟ ଭୂମିକାରେ ଥିଲେ। ତା’ପରେ ତାଙ୍କୁ ମିଳିଥିଲା ଆଉ ଏକ ସିନେମା ‘ହୁଇସିଲ୍’, ଏଯାଏ ଅବଶ୍ୟ ଏହା ପରଦାକୁ ଆସିନାହିଁ। ଏହି ସିନେମାରେ ସାନୁ, ଅନୁରାଧା ପାଣିଗ୍ରାହୀ ଓ ବୁଲୁ ପ୍ରମୁଖ ଅଭିନୟ କରିଛନ୍ତି। ତେବେ ତପନ କୁମାର ଦାଶଙ୍କ ପ୍ରଯୋଜିତ ‘ଚକ୍ଷୁବନ୍ଧନ’ ପାଇଁ ସବୁଠାରୁ ଅଧିକ ଚର୍ଚ୍ଚିତ ହୋଇଥିଲେ ରାଜେନ୍ଦ୍ର ମହାନ୍ତ। ରାଜ ରାଜେଶ, ଋଷି ଓ ଭୂମିକାଙ୍କ ଅଭିନୀତ ଏହି ରହସ୍ୟ ରୋମାଞ୍ଚଭରା ଓଡ଼ିଆ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମର୍ଯ୍ୟାଦାଜନକ ତରଙ୍ଗ ସିନେ ଆୱାର୍ଡ ଲାଭ କରିଥିଲେ। ଏହି ପୁରସ୍କାରଟି ସେ ତାଙ୍କର ଆଦ୍ୟଗୁରୁ ଅଶୋକ ପତିଙ୍କଠାରୁ ଗ୍ରହଣ କରିଥିଲେ। ଏଣେ ଚଳିତ ବର୍ଷ ରାଜେନ୍ଦ୍ରଙ୍କ ଅନ୍ୟ ଏକ ସିନେମା ‘ନିର୍ଣ୍ଣୟ’ ମୁକ୍ତିଲାଭ କରିଛି।

ଗତ କିଛି ବର୍ଷ ଭିତରେ ଓଡ଼ିଆ ସିନେଜଗତରେ ଜଣେ ନିଆରା ନିର୍ଦ୍ଦେଶକ ଭାବେ ପରିଚିତି ହାସଲ କରିଛନ୍ତି ରାଜେନ୍ଦ୍ର ମହାନ୍ତ। ମ୍ୟୁଜିକ୍ ଭିଡିଓ, ୱେବ୍ ସିରିଜ୍, ଟେଲି ସିନେମା ଓ ଓଡ଼ିଆ ଛବି ସବୁଠି ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି ସେ। ଓଲିଉଡ୍‌ରେ ତାଙ୍କର ଯାତ୍ରାକୁ ନେଇ ସାମାନ୍ୟ କଥନ।

ମୂଳତଃ ମୟୂରଭଞ୍ଜ ଜିଲ୍ଲା ଯଶିପୁରର ବାସିନ୍ଦା ରାଜେନ୍ଦ୍ର କିନ୍ତୁ ଯାଜପୁର ଜିଲ୍ଲା ସୁକିନ୍ଦାରେ ବହୁ ବର୍ଷ ଧରି ରହି ଆସୁଛନ୍ତି। ଏବେ ‘ଦି ମିଲେଟ୍ ଡାଏରି’ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସେ। ଏଥିରେ ସିଦ୍ଧାନ୍ତ, ଅଭିଷେକ ପଣ୍ଡା, ଶିବାନୀ, ଦୀପନ୍ବିତ, ପିଙ୍କି ପ୍ରଧାନ, ସନ୍ତୁ ଓ ସୁଶାନ୍ତ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏଣେ ସେ ନାୟକ ଅମ୍ଳାନଙ୍କୁ ନେଇ ବି ଏକ ନୂଆ ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଉଛନ୍ତି। ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ଛବି ହେଲା ‘ଝୁରେ ଝରଣା’, ଯାହା ଅବଶ୍ୟ ମୁକ୍ତିଲାଭ କରିନାହିଁ। ଏଥରେ ଦିବଂଗତ ଅଭିନେତ୍ରୀ ଝରଣା ଦାସ, ବୈଶାଳୀ ଓ ଚିନ୍ମୟ ଦାସ ପଟ୍ଟନାୟକ ପ୍ରମୁଖ ଅଭିନୟ କରିଛନ୍ତି। ଖାଲି ସେତିକି ନୁହେଁ, ସେ ତରଙ୍ଗର ‘ଛାଡ଼ପତ୍ର’ ଭଳି ୱେବ୍ ସିରିଜ୍ ଓ ‘ରସଗୋଲା କାହାର’ ପରି ଟେଲି ସିନେମାର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ତା’ଛଡ଼ା କେତେକ ମ୍ୟୁଜିକ୍ ଭିଡିଓର ବି ସେ ନିର୍ଦ୍ଦେଶକ। ଓଲିଉଡ୍‌ରେ ସେ ରାଜା ନାଆଁରେ ଅଧିକ ପରିଚିତ। ସବୁ ବେଳେ ଭିନ୍ନଭିନ୍ନ କଥାବସ୍ତୁକୁ ନେଇ ପରୀକ୍ଷାମୂଳକ ସିନେମା କରିବା ତାଙ୍କର ଇଚ୍ଛା ବୋଲି କହନ୍ତି ରାଜେନ୍ଦ୍ର।
- ଶିବଶଙ୍କର ଓଝା