ନୂଆଦିଲ୍ଲୀ: ନିକଟରେ ମୁକ୍ତିଲାଭ କରିଥିବା ନିର୍ଦ୍ଦେଶକ କରଣ ଜୋହରଙ୍କ ଫିଲ୍ମ ‘ରକି ଔର୍ ରାନୀ କି ପ୍ରେମ କହାନୀ’ ପ୍ରଶଂସକଙ୍କ ପ୍ରଶଂସା ସାଉଁଟି ଚାଲିଛି। ଏହାରି ମଧ୍ୟରେ ସବୁଠାରୁ ଅଧିକ ଟ୍ରେଣ୍ଡ୍ କରୁଛି ଧର୍ମେନ୍ଦ୍ର ଓ ଶବାନା ଆଜ୍ମୀଙ୍କ ଚୁମ୍ବନ ଦୃଶ୍ୟ। ଏହି ଦୃଶ୍ୟକୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇସାରିଛି। ଏହି ଦୃଶ୍ୟକୁ ଜବରଦସ୍ତ ଚଳଚ୍ଚିତ୍ରରେ ରଖାଯାଇଛି ବୋଲି କେହି କେହି କହୁଥିବା ବେଳେ ପରିଣତ ବୟସରେ ଏପରି ଦୃଶ୍ୟ କରିବା ଅନୁଚିତ ବୋଲି ମଧ୍ୟ କେହି କେହି ପରାମର୍ଶ ଦେଇଛନ୍ତି।
ଏହି ସମୟରେ ଧର୍ମେନ୍ଦ୍ରଙ୍କ ପତ୍ନୀ ହେମା ମାଳିନୀ ଜମ୍ମୁରେ ଥିବା ବେଳେ ଶବାନାଙ୍କ ସହ ସ୍ବାମୀଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କି ‘ମୁଁ ଏପର୍ଯ୍ୟନ୍ତ ଦେଖିନାହିଁ। ମୁଁ ନିଶ୍ଚିତ ଯେ ଲୋକେ ତାଙ୍କୁ ଏହି ଫିଲ୍ମରେ ଖୁବ୍ ଭଲପାଇବା ଦେଇଥିବେ। ମୁଁ ଧରମଜୀଙ୍କ ପାଇଁ ବହୁତ ଆନନ୍ଦିତ। କାରଣ ସେ ସବୁବେଳେ କ୍ୟାମେରା ସାମ୍ନାରେ ରହିବାକୁ ଖୁବ୍ ଭଲପାଆନ୍ତି। କ୍ୟାମେରା ବିନା ସେ ବଞ୍ଚିପାରିବେ ନାହିଁ।’ ହେମା ଆହୁରି ବି କହିଛନ୍ତି ଅନେକ ସମୟରେ ଧରମଜୀ ଘରେ ବି ବସି ବସି ନିଜର ପୁରୁଣା ଭିଡିଓ ଦେଖି ମୋତେ ପଚାରନ୍ତି କି ମୁଁ କିପରି ଦିଶୁଛି ବୋଲି।
ଏହି ଚୁମ୍ବନ ସଂପର୍କରେ ଗତ ସପ୍ତାହରେ ଏକ ସାକ୍ଷାତ୍କାରେ ଧର୍ମେନ୍ଦ୍ର କହିଥିଲେ, ‘ଏହା ତ ମୋ ବାମ ହାତର ଖେଳ ଥିଲା। ଖୁବ୍ ମଜା ଆସିଲା। ମୋତେ ମୌକା ମିଳିଲେ ମୁଁ ଚୌକା ମାରିଦିଏ।’ ସୁଯୋଗ ପାଇଲେ ଏପରି ଦୃଶ୍ୟକୁ ଖୁବ୍ ଉପଭୋଗ କରି କରନ୍ତି ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଥିଲେ। ଧର୍ମେନ୍ଦ୍ର ୧୯୮୦ ମସିହାରେ ହେମାମାଲିନୀଙ୍କୁ ବିବାହ କରିଥିଲେ।