ମୁମ୍ବାଇ: ବଲିଉଡର ଡ୍ରଗ୍ସ କନେକ୍ସନକୁ ନେଇ ଦେଶର ସଂସଦରେ ସଂଗ୍ରାମ ଆରମ୍ଭ ହୋଇସାରିଛି । ପ୍ରଥମେ ବିଜେପି ସାଂସଦ ତଥା ବଲିଉଡ ଅଭିନେତା ରବି କିଷନ ଏହି ପ୍ରସଙ୍ଗରେ ତଦନ୍ତ ଦାବି କରିଥିଲେ । ଆଉ ପରେ ସମାଜବାଦୀ ପାର୍ଟି ସାଂସଦ ତଥା ବିଗତ ଦିନରେ ବଲିଉଡ ଆକ୍ଟ୍ରେସ ଥିବା ଜୟା ବଚ୍ଚନ ଅସନ୍ତୋଷ ଜାହିର କରିଥିଲେ । ଆଜି ଜୟାଙ୍କ ବୟାନକୁ ସମର୍ଥନ କରିଛନ୍ତି ଡ୍ରିମ ଗାର୍ଲ ତଥା ସାଂସଦ ହେମା ମାଳିନୀ | ବଲିଉଡରେ ଡ୍ରଗ୍ସ ମାଫିଆକୁ ସେ ଫାଲତୁ କଥା ବୋଲି କହିବା ସହ ଟ୍ୟାଲେଂଟ ଥିଲେ କେହି ରୋକିପାରିବେନି ବୋଲି ମତ ଦେଇଛନ୍ତି ।
ଏଥିପାଇଁ ସେ ଶାହରୁଖ ଖାନ ଓ ଅଜୟ ଦେବଗନଙ୍କ ଉଦାହରଣ ଦେଇଛନ୍ତି । ଶାହାରୁଖଙ୍କ ପଛରେ କେହି ନଥିବାବେଳେ ସେ ଆଜି ସଫଳତାର ଶିଖରରେ ପହଂଚିଛନ୍ତି । ସେହିପରି ଅଜୟ ଦେବଗନଙ୍କ ଭଳି କଳାକାର ନିଜ ପରିଶ୍ରମରେ ଆଜି ଏହି ପ୍ରତିଷ୍ଠା ପାଇଛନ୍ତି ବୋଲି କହି ବଲିଉଡରେ ନେପୋଟିଜିମ କଥାକୁ ବାଏଁ ବାଏ ଉଡାଇ ଦେଇଛନ୍ତି । ଡ୍ରଗ୍ସ ଲିଙ୍କ ଭଳି ଅଭିଯୋଗ ଆଣି ବଲିଉଡକୁ ବଦନାମ କରାଯାଉଥିବା ସେ ଯୁକ୍ତି ରଖିଛନ୍ତି ।
ସେହିପରି ପ୍ରାୟ ୪୦ ବର୍ଷ ହେଲା ବଲିଉଡରେ ସକ୍ରିୟ ଥିବା ଉର୍ମିଲା ମାତୋଣ୍ଡକର ମଧ୍ୟ ଅଯଥାରେ ବଲିଉଡକୁ ବଦନାମ କରାଯାଉଥିବା କଥା କହିଛନ୍ତି । ଏଠାରେ ସୂଚନା ଥାଉ କି ବଲିଉଡରେ ଡ୍ରଗ୍ସ କାରବାର ସଂପର୍କରେ ଅଭିନେତା ତଥା ବିଜେପି ସାଂସଦ ରବି କିଶନ ଦେଇଥିବା ମନ୍ତବ୍ୟ ଉପରେ ସମାଜବାଦୀ ପାର୍ଟିର ସଦସ୍ୟ ଜୟା ବଚ୍ଚନ ମଙ୍ଗଳବାର ଦିନ ରାଜ୍ୟସଭାରେ କହିଥିଲେ; କେବଳ କିଛି ଲୋକଙ୍କ ପାଇଁ ଆପଣ ସମଗ୍ର ବଲିଉଡ୍ ଶିଳ୍ପକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ … ଯେଉଁ ଥାଳିରେ ଖାଉଛ ସେ ଥାଳିରେ ଛେପ ପକାଅ ନାହିଁ।