ମହାଶ୍ବେତାଙ୍କ ପ୍ରସ୍ତୁତ ଓଡ଼ିଆ ସଂଗୀତ ଭିଡିଓରେ ଡ୍ରିମଗର୍ଲ ହେମାମାଳିନୀ

ଭୁବନେଶ୍ବର: ପୁଣି ଗାଁ’ରେ ଗୋଧୂଳି ଉଡ଼ିବ। ପୁଣି ସହରରେ ଗାଡ଼ି ଗଡ଼ିବ। ଏକାଠି ଚଳିବା ସମସ୍ତେ। ହେବା ସାଙ୍ଗ ସାଥୀ ନମସ୍ତେ। ପୁଣି ମେଳା ମହୋତ୍ସବ ଲାଗିବ। ପୁଣି ରାସ୍ତାରେ ବୁଲିବା ନାଚିବା। ଖୁସିର ଜୀବନ ବଞ୍ଚିବା। କରୋନା ଭୂତାଣୁ ଆଗେ ସମଗ୍ର ମାନବ ଜାତି ଯେପରି ନିଃସହାୟ ପାଲଟି ଯାଇଛି, ସେଇ ମଣିଷମାନଙ୍କ ହୃଦୟରେ ଆଶା ଜାଗି ଦେବା ପାଇଁ ଓଲିଉଡ୍‌ର ଲୋକପ୍ରିୟ ନାୟିକା ମହାଶ୍ବେତା ରାୟ ଭେଟି ଦେଇଛନ୍ତି ଏକ ସଂଗୀତ ଭିଡିଓ। ଅଭିନୟ ଭିତରେ ସୀମିତ ଥିବା ଏହି ଅଭିନେତ୍ରୀ ଓଡ଼ିଆ ଦର୍ଶକଙ୍କ ପାଇଁ ନେଇ ଆସିଛନ୍ତି ଆଶାର ସଂଗୀତ ‘ଜୟ ଜୟ ହୋ ଓଡ଼ିଶା…। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ମହାଶ୍ବେତାଙ୍କ ଅନୁରୋଧରେ ଏହି ଓଡ଼ିଆ ସଂଗୀତ ଭିଡିଓରେ ଓଡ଼ିଶୀ ମୁଦ୍ରାରେ ଅଭିନୟ କରିଛନ୍ତି ବଲିଉଡ୍‌ର ଡ୍ରିମଗର୍ଲ ହେମାମାଳିନୀ। ସେ ଓଡ଼ିଶୀ ମୁଦ୍ରାରେ ନିଜକୁ ଉପସ୍ଥାପିତ କରିଥିବା ବେଳେ ଓଡ଼ିଆ ଗୀତର ଧାଡ଼ିକୁ ଉଚ୍ଚାରଣ କରିଛନ୍ତି।

ଏଥିସହ ‘ମହାଶ୍ବେତା ରାୟ ଅଫିସିଆଲ’ ନାମରେ ଅଭିନେତ୍ରୀ ମ‌ହାଶ୍ବେତା ନିଜର ଏକ ୟୁ-ଟ୍ୟୁବ ଚ୍ୟାନେଲ୍‌ର ଶୁଭାରମ୍ଭ କରିଛନ୍ତି। ନିର୍ମିତ ହୋଇଥିବା ଏହି ସଂଗୀତ ଭିଡିଓରେ ହେମାମାଳିନୀଙ୍କ ସମେତ ମହାଶ୍ବେତା ରାୟ, ଅପରାଜିତ ମହାନ୍ତି, ଉତ୍ତମ ମହାନ୍ତି, ମିହିର ଦାସ, ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର, ପ୍ରସିଦ୍ଧ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର, ମୀରା ଦାସ, ଅଭିନେତା ବୁଦ୍ଧାଦିତ୍ୟ ପ୍ରମୁଖ ଅଭିନୟ କରିଛନ୍ତି। ୩ମିନିଟ୍‌ ୧୭ ସେକେଣ୍ଡର ଏହି ସଂଗୀତ ଭିଡିଓରେ ଜଣାଶୁଣା ସଂଗୀତ ନିର୍ଦେଶକ ପ୍ରେମାନନ୍ଦ ସଂଗୀତ ନିର୍ଦେଶନା ଦେଇଥିବା ବେଳେ ଗୀତଟି ଲେଖିଛନ୍ତି ବସନ୍ତ ରାଜ। ସବିଶେଷ, ଦୀପ୍ତିରେଖା ଓ ବିଶ୍ବଜିତ କଣ୍ଠଦାନ କରିଛନ୍ତି। ବିଜୟ ଦାସ ଭିଡିଓର ସମ୍ପାଦନା କରିଛନ୍ତି।

ସମ୍ବନ୍ଧିତ ଖବର