ଭୁବନେଶ୍ୱର: କିଛି ହାତଗଣତି ହାସ୍ୟାଭିନେତା ଗତ କିଛି ବର୍ଷ ହେବ ଖୁବ୍ ଲୋକପ୍ରିୟତା ସାଉଁଟିଛନ୍ତିି।ଏମାନଙ୍କ ଭିତରୁ କେତେଜଣ ପରଦାରେ ନାୟକ ଭୂମିକା ନିଭାଉଛନ୍ତି। ଆଉ ସେମାନଙ୍କ ଭିତରୁ ସବୁଠୁଁ ନାୟକ ଭାବେ ଅଧିକ ସଫଳତା ହାସଲ କରିଥିବା କମେଡ଼ିଆନ୍ ଜଣକ ହେଲେ ପପୁ ପମ୍ପମ୍।
୨୦୦୭ରେ ରିଲିଜ୍ ହୋଇଥିବା ‘ତୁ ମୋ’ ଆଖିର ତାରା’ଜରିଆରେ ଓଲିଉଡ଼୍ରେ କମେଡ଼ିଆନ୍ ଭାବେ ଏଣ୍ଟ୍ରି ନେଇଥିଲେ ପପୁ ପମ୍ପମ୍। ଏଥିରେ ତାଙ୍କର ଭୂମିକାଟି ଖୁବ୍ ସଂକ୍ଷିପ୍ତ ଥିଲା।ଏହାପରେ ପପୁଙ୍କୁ ସଂଜୁ ଆଉ ସଂଜନା,ମେଘ ସବାରିରେ ଆସିବ ଫେରି,ମୋଷ୍ଟ ଓ୍ଵାଣ୍ଟେଡ଼୍, ଛାତିରେ ଲେଖିଛି ତୋ’ରି ନାଆଁ,ବାଳୁଙ୍ଗା ଟୋକା ଓ କେବେ ତୁମେ ନାହଁ କେବେ ମୁଁ ନାହିଁ, ଆଦି ଓଡ଼ିଆ ଛବିରେ ଦର୍ଶକ ମୁଖ୍ୟତଃ କମେଡ଼ିଆନ୍ ରୂପେ ଦେଖିବାକୁ ପାଇଥିଲେ।
ହେଲେ ୨୦୧୨ରେ ମୁକ୍ତି ଲାଭ କରିଥିବା ‘ରଙ୍ଗିଲା ଟୋକା’ରେ ପପୁଙ୍କର ଅବତାର ଏକଦମ୍ ଭିନ୍ନ ଥିଲା। ଏଥିରେ ତାଙ୍କ ଅଭିନୀତ ଚରିତ୍ରଟି ଥିଲା ନାୟକର ।ଏହି ସିନେମାରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ଶିବୁ ପ୍ରଧାନ। ଓସ୍କାର ମୁଭିଜ୍ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିଲେ ମୁରଲୀ କ୍ରିଷ୍ଣା। ଏହି ସିନେମାରେ ପପୁ ପମ୍ପମ୍ ବନିଥିଲେ ନାୟକ ଓ ତାଙ୍କ ବିପକ୍ଷରେ ନାୟିକା ବନିଥିଲେ ଗ୍ଲାମରସ୍ ଦେବଯାନୀ। ହିରୋଭାବେ ପ୍ରଥମ ସିନେମାରେ ପପୁ ପମ୍ପମ୍ଙ୍କୁ ମିଳିଥିଲା ଢ଼େର ସଫଳତା।
ତା’ପରେ ସେ ପୁଣି ‘ଚଉକା ଛକା’ଓ ‘ଆମେ ତ ଟୋକା ଷଣ୍ଢମାର୍କା’ରେ ନାୟକ ବନିଥିଲେ।ଏଥି ମଧ୍ୟରୁ ‘ଚଉକା ଛକା’ରେ ତାଙ୍କର ନାୟିକା ସାଜିଥିଲେ ଲଭ୍ଲି ଓ ‘ଆମେ ତ ଟୋକା ଷଣ୍ଢମାର୍କା’ରେ କୋଏଲ୍ । ହେଲେ ଏ ଦୁଇଟି ସିନେମାକୁ ଆଶାନୁରୂପ ବ୍ୟାବସାୟିକ ସଫଳତା ମିଳିନଥିଲା।୨୦୧୫ରୁ ଏଯାବତ୍ ପପୁଙ୍କୁ ଅନ୍ୟ କୌଣସି ଓଡ଼ିଆ ସିନେମାରେ ହିରୋ ରୋଲ୍ରେ ଦେଖିବାକୁ ମିଳିନାହିଁ।