ମୁମ୍ବାଇ: ବିମାନ ପରିଚାରିକା ପରି ସୁଖଦ କ୍ୟାରିୟର ଆରମ୍ଭ କରିଥିବା ଦୀପିକା କକ୍କର (ଫୈଜା ଇବ୍ରାହିମ୍) ଠିକଣା ସମୟରେ ପଟ ପରିବର୍ତ୍ତନ କରି ଅଭିନୟକୁ ଆଦରି ନେଇଥିଲେ। ଫଳରେ ତିରିଶରୁ ଅଧିକ ଧାରାବାହିକ ଓ ପାଞ୍ଚଟି ସଂଗୀତ ଭିଡିଓରେ ସେ ଦର୍ଶକଙ୍କ ମନଜିଣି ଜୀବନର ଅସଲ ଆନନ୍ଦ ଚାଖି ପାରିଥିବାର ସ୍ବୀକାର କରିଛନ୍ତି। ମହାରାଷ୍ଟ୍ରର ପୁଣେଠାରେ ୧୯୮୬ ଅଗଷ୍ଟ ୬ରେ ଜନ୍ମିତ ଦୀପିକା ସ୍ନାତକ ଡିଗ୍ରି ହାସଲ କରିବା ପରେ ମୁମ୍ବାଇରେ ଜଣେ ବିମାନ ପରିଚାରିକା ଭାବେ ନିଯୁକ୍ତି ପାଇଥିଲେ।
ଦୀର୍ଘ ତିନି ବର୍ଷ ଧରି ଯାତ୍ରୀମାନଙ୍କୁ ଏହି ସେବା ଯୋଗାଇବା ପରେ ଅଭିନୟରେ କିଛି କରି ଦେଖାଇବା ପାଇଁ ସେ ମନ ବଳାଇଥିଲେ। ସୌଭାଗ୍ୟକୁ ୨୦୧୦ରେ ‘ନୀର ଭରେ ତେରା ନୈନା ଦେବୀ’ରେ ପ୍ରଥମ ପଦାର୍ପଣ କରି ସେ ଲକ୍ଷ୍ମୀ ଭୂମିକାରେ ଅନ୍ୟମାନଙ୍କୁ ବେଶ୍ ଆକୃଷ୍ଟ କରିପାରିଥିଲା। ତହିଁ ପରବର୍ଷ ‘ଅଗଲେ ଜନମ ମୋହେ ବିଟିୟା ହି କିଜୋ’ରେ ମଧ୍ୟ ତାଙ୍କ ରେଖାପ୍ରସାଦ ଭୂମିକାକୁ ଦର୍ଶକ ଖୁବ୍ ପ୍ରଶଂସା କରିଥିଲେ। ତେବେ ୨୦୧୧ରୁ ୨୦୧୭ ଯାଏ କଲର୍ସ ଟିଭିରେ ପ୍ରସାରିତ ‘ଶଶୁରାଲ ସିମର କା’ରେ ଦୀପିକାଙ୍କ ଶୀର୍ଷକ ଚରିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇବା ସହ ଉଭୟ ଖ୍ୟାତି ଓ ପ୍ରତିଷ୍ଠା ଦେଇଥିଲା। ଏହି ଅବସରରେ ‘ଝଲକ ଦିଖଲା ଯା-୮’, ‘ନଚ୍ ବଲିୟେ-୮’, ‘ଏଣ୍ଟରଟେନମେଣ୍ଟ୍ କି ରାତ୍’ ଓ ‘ବକ୍ସ କ୍ରିକେଟ୍ ଲିଗ୍-୩’ ପରି ବାସ୍ତବଧର୍ମୀ ଧାରାବାହିକରେ ତାଙ୍କୁ ଦେଖିବାକୁ ମିଳିଥିଲା। ୨୦୧୮ରେ ସେ ‘ବିଗ୍ ବସ-୧୨’ର ଜଣେ ପ୍ରତିଯୋଗୀ ସାଜି ତାହାର ବିଜୟିନୀ ମୁକୁଟ ପିନ୍ଧିବା ସହ ପ୍ରଶଂସକମାନଙ୍କୁ ମୁଗ୍ଧ କରିଥିଲେ।
‘ରିସ୍ତୋଁ ସେ ବଡ଼ି ପ୍ରଥା’, ‘ନା ବୋଲେ ତୁମ୍ ନା ମୈନେ କୁଛ କହା’, ‘ବାଳିକା ବଧୂ’, ‘କୁଣ୍ଡଲି ଭାଗ୍ୟ’, ‘କୟାମତ୍ କି ରାତ’, ‘କୁମ୍କୁମ୍ ଭାଗ୍ୟ’, ‘ୟେ ହୈ ଚାହତେଁ’ ପରି ଧାରାବାହିକରେ ସ୍ବତନ୍ତ୍ର ଚରିତ୍ରରେ ବାହାରି ସେ ପ୍ରଶଂସକମାନଙ୍କ ମନରେ ନିଜର ସ୍ଥିତିକୁ ବଜାୟ ରଖିଥିଲେ। ଏଥି ସହିତ ‘ୟାର ଦୁଆ’, ‘ଟୁଟା ତାରା’ ଓ ‘ଧଡ଼କନ’ ପରି ସଂଗୀତ ଭିଡିଓରେ ସେ ଭରପୂର ମନୋରଞ୍ଜନ ଯୋଗାଇଛନ୍ତି। ତେବେ ଅଭିନୟରେ ଏତେ ଲୋକପ୍ରିୟତା ହାସଲ କରିଥିବା ଦୀପିକାଙ୍କର କିନ୍ତୁ ଦାମ୍ପତ୍ୟ ଜୀବନ ସେତେ ମନଲାଖି ହୋଇପାରିନାହିଁ। ୨୦୧୧ରେ ପ୍ରଥମେ ବିବାହ କରିଥିବା ରୌନକ ସାମସନ୍ଙ୍କ ସହ ୨୦୧୫ରେ ତାଙ୍କର ବିଚ୍ଛେଦ ଘଟିଥିଲା।
ଏହାପରେ ୨୦୧୮ ଫେବ୍ରୁଆରିରେ ସେ ‘ଶଶୁରାଲ ସିମର କା’ର ସହଅଭିନେତା ସୋଏବ ଇବ୍ରାହିମ୍ଙ୍କୁ ବିବାହ କରିଥିଲେ। ଏହାପରେ ସେ ଇସଲାମ ଧର୍ମ ଗ୍ରହଣ କରି ନିଜ ନାମ ଫୈଜାକୁ ପରିବର୍ତ୍ତନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/1.jpg)