ଭାରତୀୟ ସମାଜ ପରି ବଲିଉଡ୍ ଫିଲ୍ମଜଗତ ମଧ୍ୟ ପୁରୁଷପ୍ରଧାନ। ସେଠାରେ ସୁପରଷ୍ଟାର୍‌ମାନେ ରାଜ୍ କରିଆସିଛନ୍ତି। ଯଦିଓ ସୁପରହିଟ୍ ଫିଲ୍ମରେ ହିରୋଇନଙ୍କର ଚାହିଦା ବି ଆକାଶଛୁଆଁ। ଅନେକ ସମୟରେ ଗୀତ, ନାଚ, ଛୋଟ ଭୂମିକା ବା ଅଳ୍ପ ସଂଳାପରେ ସୋ’ପିସ୍ ପରି ସେମାନଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼େ, ପାରିଶ୍ରମିକ ବି କମ୍ ଥାଏ। ତେବେ କପୁର, କୁମାର, ବଚ୍ଚନ, ଖାନ୍‌ମାନଙ୍କ ଜମାନାରେ ବି ସମାନ୍ତରାଳ ଭାବରେ ନାୟିକାରାଜ୍ ଚାଲିଆସିଛି। ସୁନ୍ଦରୀ, ସୁବେଶା, ନୃତ୍ୟଗୀତନିପୁଣା ନାୟିକାମାନେ ଅନେକ ଚ୍ୟାଲେଞ୍ଜିଂ ଭୂମିକାରେ ଚଳଚ୍ଚିତ୍ର ତଥା ଧାରାବାହିକରେ ନିଜର ଜଲ୍‌ୱା ଦେଖାଉଛନ୍ତି। ସେମାନଙ୍କ ପାଇଁ ଦର୍ଶକଙ୍କ ହାତତାଳି, ଖାତାରେ ବି ‘ସୁପରହିଟ୍‌’ର ଲମ୍ବାଲିଷ୍ଟ୍...

Advertisment

publive-image ThePrint

ନାୟିକା ମାନିଆ

ନର୍ଗିସଙ୍କ ଅଭିନୀତ ‘ମଦରଇଣ୍ଡିଆ’କୁ ହିନ୍ଦୀ ସିନେମା ଯାତ୍ରାରେ ପ୍ରଥମ ନାରୀଭିତ୍ତିକ ଚଳଚ୍ଚିତ୍ର ହିସାବରେ ଗ୍ରହଣ କରାଯାଏ। ସେତେବେଳେ ଏହି କ୍ଲାସିକ୍ ଚଳଚ୍ଚିତ୍ରଟି ଓସ୍କାର ନୋମିନେସନ୍‌ ଦୌଡ଼ରେ ଥିଲା। ପରେ ମୀନାକୁମାରୀଙ୍କ ‘ପାକିଜା’, ‘ନୁର୍‌ଜାହାଁ’, ‘ସାହିବ ବିବି ଔର୍ ଗୁଲାମ୍’, ମଧୁବାଲାଙ୍କ ‘ମୁଗଲ୍-ଏ-ଆଜମ୍’ ପ୍ରଭୃତିର ସଫଳତା ଉଲ୍ଲେଖନୀୟ। ଏହି କ୍ରମରେ କ୍ରମଶଃ ଯୋଡ଼ିହେଲେ ମୁମ୍‌ତାଜ୍, ଶର୍ମିଲା ଟାଗୋର, ୱହିଦା ‌ରେହମନ୍‌, ହେମାମାଳିନୀ, ରେଖା, ଜିନତ୍‌ ଅମାନ, ସ୍ମିତା ପାଟିଲ, ସବାନା ଆଜମୀ, ଜୟପ୍ରଦା ପ୍ରମୁଖ ଅନେକ ଶକ୍ତିଶାଳୀ ଅଭିନେତ୍ରୀ। ଯେଉଁମାନଙ୍କୁ ଦେଖିବା ପାଇଁ ସିନେମା ହଲ୍‌ରେ ଭିଡ଼ ଜମୁଥିଲା। ମହିଳାଭିତ୍ତିକ ସିନେମାରେ ସେମାନଙ୍କର ଦମଦାର ଭୂମିକା ରହୁଥିଲା। ପ୍ରଥମ ଲେଡି ସୁପରଷ୍ଟାର ଭାବରେ ଉଭା ହେଲେ ଶ୍ରୀଦେବୀ।

ମାତ୍ର ଚାରିବର୍ଷ ବୟସରୁ ଶିଶୁକଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ଶ୍ରୀଦେବୀ ତେରବର୍ଷ ବେଳକୁ ଦକ୍ଷିଣ ଭାରତୀୟ ସିନେମାରେ ହିରୋଇନ୍ ଭାବେ ପଦାର୍ପଣ କଲେଣି। ପାଖାପାଖି ତିନିଶହ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶ୍ରୀଦେବୀଙ୍କ ସୁପରହିଟ୍ ଫିଲ୍ମ ତାଲିକା ବେଶ୍ ଲମ୍ବା। ସଦ୍‌ମା, ଚାନ୍ଦିନୀ, ନାଗିନ୍, ଲମହେ, ଯୁଦାଇ, ସୁହାଗନ୍, ତୋଫା, ଇଂଲିସ ଭିଂଲିସ୍, ମମ୍ ପ୍ରଭୃତି ମହିଳାଭିତ୍ତିକ ଚଳଚ୍ଚିତ୍ର। ସାଧାରଣ ଗୃହିଣୀଠୁ ନେଇ ଡାକୁରାଣୀ, ପୁଲିସ ଅଫିସରଠୁ ପକେଟ୍‌ମା‌ର, ଉଗ୍ର ଆଧୁନିକାଠୁ ଗାଉଁଲି ଝିଅ ସବୁ ଭୂମିକା ଖାପ୍ ଖାଏ ଶ୍ରୀଦେବୀଙ୍କୁ।

ସବୁଠୁ ଅଧିକ ଆୟ
ଦି କେରଲା ଷ୍ଟୋରୀ : ୧୩୬ କୋଟି
ଗଙ୍ଗୁବାଇ କାଠିଆୱାଡି: ୧୨୯.୧୦ କୋଟି
ରାଜି: ୧୨୪ କୋଟି
ମଣିକର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନ୍ସି : ୯୨.୧୯ କୋଟି
ବିରେ ଦି ୱେଡିଂ : ୮୩ କୋଟି
ଦି ଡାର୍ଟି ପିକ୍ଚର : ୮୦ କୋଟି
ନିରଜା: ୭୫.୬୫ କୋଟି
ଡିୟର ଜିନ୍ଦେଗି: ୬୮ କୋଟି
ମେରି କମ୍: ୬୪ କୋଟି
କୁଇନ୍: ୬୧ କୋଟି

ମାଧୁରୀଙ୍କ ନାଁ ନେଉ ନେଉ ଆଖି ସାମ୍ନାକୁ ଆସିଯାଏ ତାଙ୍କର ସୁନ୍ଦର ଚେହେରା, ଆକର୍ଷଣୀୟ ଅଙ୍ଗଭଙ୍ଗୀ, ନୃତ୍ୟନିପୁଣତା ଓ ବଳିଷ୍ଠ ଅଭିନୟ। ସାଜନ୍, ତେଜାବ, ଲଜ୍ଜା, ମୃତ୍ୟୁଦଣ୍ଡ, ହମ୍ ଆପକେ ହୈ କୌନ୍, ଦିଲ୍, ବେଟା, ଦିଲ୍ ତୋ ପାଗଲ୍ ହୈ, ରାମ୍ ଲଖନ୍, ଗୁଲାବଗ୍ୟାଙ୍ଗ୍ ପ୍ରଭୃତି ସତୁରିରୁ ଅଧିକ ଫିଲ୍ମ ବିପୁଳ ବ୍ୟବସାୟିକ ସଫଳତା ପାଇଛି। ଶ୍ରୀଦେବୀଙ୍କ ପରେ ଦ୍ବିତୀୟ ସୁପରଷ୍ଟାର ଭାବେ ଭାରତୀୟ ଜନତା ମାଧୁରୀଙ୍କୁ ଗ୍ରହଣ କରନ୍ତି।

publive-image Photo Credit: Instagram

ବିଶିଷ୍ଟ ବ୍ୟାଡମିଣ୍ଟନ୍ ତାରକା ପ୍ରକାଶ ପାଦୁକୋନଙ୍କ ଝିଅ ଦୀପିକା ପାଦୁକୋନ ରାକେଟ୍ ଛାଡ଼ି ଫିଲ୍ମ ଦୁନିଆରେ ପ୍ରବେଶ କରି ଆଜିକା ଦିନରେ ସବୁଠୁ ଅଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀ। ଓମ୍ ଶାନ୍ତି ଓମ୍ ପରି ସୁପରହିଟ୍ ଫିଲ୍ମରୁ ଯାତ୍ରା ଆରମ୍ଭ କରି ଚେନ୍ନାଇ ଏକ୍ସପ୍ରେସ, ବାଜିରାଓ ମସ୍ତାନୀ, ୟେ ଜୱାନି ହୈ ଦିୱାନି, ପିକୁ, ପଠାନ୍ ପ୍ରଭୃତି ସୁପରହିଟ୍‌ ଫିଲ୍ମ ମଧ୍ୟରୁ ଅନେକ ଶହେରୁ ପାଞ୍ଚଶହ କୋଟିର ବ୍ୟବସାୟ କରିଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ଜଗତରେ ବିଭିନ୍ନ ନାରୀ ଚରିତ୍ରକୁ ନେଇ ପରୀକ୍ଷାନିରୀକ୍ଷା କରୁଥିବା ଅଭିନେତ୍ରୀଙ୍କ ମଧ୍ୟରେ ବିଦ୍ୟାବାଲାନ୍‌ଙ୍କ ନାମ ନିଶ୍ଚୟ ଆସିବ। ପରିଣୀତା, କହାନୀ, ଶେର୍‌ନୀ, ବେଗମ୍ ଜାନ୍, ମିସନ୍ ମଙ୍ଗଲ୍, ନୋ ୱାନ୍ କିଲ୍‌ଡ୍‌ ଜେସିକା, ଡାର୍ଟି ପିକ୍‌ଚର, ତୁମ୍‌ହାରି ସୁଲୁ, ଇସ୍କିୟାଁ, ପା’ ପ୍ରଭୃତି ଭିନ୍ନସ୍ବାଦର ସିନେମାରେ ଅଭିନୟ କରିବା ପାଇଁ ତଥାକଥିତ ଜିରୋ ଫିଗର୍ ଛାଡ଼ି ଓଜନ ବଢ଼ାଇବାକୁ ପଛାଇନାହାନ୍ତି। ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ୭୫ଟି ଅସଫଳ ଅଡିସନ୍ ପରେ ସଫଳ ହୋଇଥିଲେ ସେ। ତାଙ୍କ ପାଇଁ ସଫଳତା ଏତେ ସହଜରେ ଆସିନାହିଁ ବୋଲି ତ ବାରବାର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତା ହୋଇଛନ୍ତି ବିଦ୍ୟା।

publive-image

ବର୍ତ୍ତମାନ ହିନ୍ଦୀ ସିନେମା ଜଗତରେ କଙ୍ଗନା ରାଣାୱତ୍ ନିଜର ସାହସ, ବଳିଷ୍ଠ ଅଭିନୟ ତଥା ରୋକ୍‌ଠୋକ୍‌ କଥା ପାଇଁ ପରିଚିତା। କୁଇନ୍‌, ତନୁ ୱେଡ୍‌ସ୍‌ ମନୁ, ରିଭଲ୍‌ଭର୍‌ ରାନୀ, ରଙ୍ଗୁନ୍‌, ସିମ୍‌ରନ୍‌, ଥଲାଇଭି, ମଣିକର୍ଣ୍ଣିକା, ଧାକଡ୍‌ ଆଦି ନାରୀଧର୍ମୀ ଚଳଚ୍ଚିତ୍ରରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି କଙ୍ଗନା। କିଛି ନାରୀକୈନ୍ଦ୍ରିକ ଫିଲ୍ମ ପାଇଁ କଙ୍ଗନାଙ୍କୁ ଦେଖି ସ୍ବତନ୍ତ୍ର ସ୍କ୍ରିପ୍ଟ ଲେଖାଯାଉଛି।

ବିଶ୍ବସୁନ୍ଦରୀଐଶ୍ବର୍ଯ୍ୟା ରାୟ ବଲିଉଡ ଆକାଶରେ ସୌନ୍ଦର୍ଯ୍ୟ ଓ ଅଭିନୟ ଦକ୍ଷତାରେ ନକ୍ଷତ୍ର ପରି ଝଟକିଛନ୍ତି। ତାଲ୍, ଆ ଅବ୍ ଲୌଟ୍ ଚଲେ, ମୋହବତେଁ, ଯୋଦ୍ଧା ଆକବର୍, ଗୁରୁ, ଜଜ୍‌ବା, ୟେ ଦିଲ୍ ହୈ ମୁସ୍କିଲ୍, ସରବଜିତ୍‌ ପରି ଆହୁରି ଅନେକ ହିଟ୍ ସିନେମାର ନାୟିକା ସାଜିଛନ୍ତି ଐଶ୍। ଦେଶବିଦେଶରେ ମଧ୍ୟ ବେଶ୍ କେତୋଟି ଫିଲ୍ମ ଫେଷ୍ଟିଭାଲରେ ଭାରତକୁ ପ୍ରତିନିଧିତ୍ବ କରିଆସୁଛନ୍ତି।

ଦକ୍ଷିଣୀ ସିନେମା ଜଗତରୁ ନିଜର କ୍ୟାରିଅର୍‌ ଆରମ୍ଭ କରିଥିବା ଉଚ୍ଚଶିକ୍ଷିତା ତାପସୀ ପନ୍ନୁ ବଲିଉଡ୍‌ରେ ନିଜର ଦମ୍‌ଦାର ଅଭିନୟ ପାଇଁ ବର୍ତ୍ତମାନ ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଭାବେ ଗଣା ହେଉଛନ୍ତି। ବେବି, ପିଙ୍କ୍‌, ନାମ୍‌ ସବାନା, ସୁର୍‌ମା, ଥାପଡ୍‌, ବଦ୍‌ଲା, ମିସନ୍‌ ମଙ୍ଗଲ୍‌, ହସିନ୍‌ ଦିଲ୍‌ରୁବା, ସାବାସ୍‌ ମିଠୁ ଆଦି ସୁପର୍‌ହିଟ୍‌ ଫିଲ୍ମରେ ତାପସୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ପିଙ୍କ୍‌ର ନା କହୁଥିବା ନାରୀ, ଥପଡ୍‌ର ସ୍ବାଭିମାନୀ ପତ୍ନୀ, ବଦ୍‌ଲାର ବୁଦ୍ଧିମତୀ ବ୍ୟବସାୟୀ, ସାବାସ୍ ମିଠୁର କ୍ରିକେଟ୍ ଖେଳାଳି ପରି ଭୂମିକାକୁ ନିଜର ଅଭିନୟଚାତୁରିରେ ଜୀବନ୍ତ କରିପାରିଛନ୍ତି।

publive-image

ଜଣେ ଷ୍ଟାର୍ କିଡ୍ ଭାବରେ ପଦାର୍ପଣ କରି ଖୁବ୍‌ଶୀଘ୍ର ଅନେକ ହିଟ୍ ଫିଲ୍ମ ଦେବାରେ ଆଲିଆ ଭଟ୍ଟଙ୍କ ଜବାବ ନାହିଁ। ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍, ହାଇୱେ, ଉଡ୍‌ତା ପଞ୍ଜାବ, ଡିଅର୍ ଜିନ୍ଦେଗୀ, ଗଙ୍ଗୁବାଇ କାଠିଆୱାଡି, ରାଜି, କଳଙ୍କ ପ୍ରଭୃତିରେ ସେ ବେଶ୍ ପରିପକ୍ବ ଅଭିନୟ କରିଛନ୍ତି। ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍‌ର ଅପରିପକ୍ବ କଲେଜ ଛାତ୍ରୀ ଭୂମିକାଠୁ ଗଙ୍ଗୁବାଇର ସ୍ଥିର ପରିପକ୍ବ ଅଭିନୟ ଆଲିଆଙ୍କୁ ଦର୍ଶକଙ୍କ ଡାର୍ଲିଂ ସଜାଇଛି।

ଅଳ୍ପଦିନ ଭିତରେ ସୌନ୍ଦର୍ଯ୍ୟ ନୁହେଁ ନିଜର ଅଭିନୟ ଦକ୍ଷତାରେ ସମସ୍ତଙ୍କୁ ବେଶ୍ ପ୍ରଭାବିତ କରିପାରିଛନ୍ତି ଭୂମି ପେଡନେକର୍। ଦମ୍ ଲଗାକେ ହୈସା (୨୦୧୫) ଜରିଆରେ ପଦାର୍ପଣ କରି ପରେ ଟଏଲେଟ୍-ଏକ ପ୍ରେମ୍ କଥା, ଶୁଭ୍ ମଙ୍ଗଲ ସାବଧାନ, ଷାଣ୍ଢ କି ଆଁଖ୍, ସୋନ୍ ଚିଡିୟାଁ, ବଧାଇ ଦୋ, ଦୁର୍ଗାମତୀ ପ୍ରଭୃତି ତାଙ୍କ ଅଭିନୀତ ନାରୀକୈନ୍ଦ୍ରିକ ଫିଲ୍ମ। ସମାଜସେବା କ୍ଷେତ୍ରରେ ସକ୍ରିୟ ଏହି ଅଭିନେତ୍ରୀ ଜଳବାୟୁ ପରିବର୍ତ୍ତନ ସଚେତନତା ପାଇଁ କାମ କରୁଛନ୍ତି।

publive-image Wikipedia

ତେବେ ମୁଖ୍ୟସ୍ରୋତର ବଲିଉଡ୍ ସିନେମାରେ ତବୁ, ପ୍ରିୟଙ୍କା ଚୋପ୍ରା, ରାଣୀ ମୁଖାର୍ଜୀ, କ୍ୟାଟ୍ରିନା କୈଫ, କରିନା କପୁର, ଅନୁଷ୍କା ଶର୍ମା, ସୋନାକ୍ଷୀ ସିହ୍ନା, କୀର୍ତ୍ତି ସାନନ୍, ଶ୍ରଦ୍ଧା କପୁର, ୟାମି ଗୌତମ, ଦିଶା ପଟ୍‌ନି, ଇଲିଆନା ଡି କ୍ରୁଜ୍, ସାରା ଅଲ୍ଲୀ ଖାନ୍, କିଆରା ଆଡ୍‌ଭାନୀ ପ୍ରମୁଖ ଦମଦାର ମହିଳା ଚରିତ୍ରରେ ଅଭିନୟ କରି ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ବିପୁଳ ଲୋକପ୍ରିୟତା, ଉଚ୍ଚ ପାରିଶ୍ରମିକ, ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର, ଲୋକପ୍ରିୟ ବ୍ରାଣ୍ଡ୍‌ମାନଙ୍କର ବିଜ୍ଞାପନ, ଦର୍ଶକଙ୍କ ହାତତାଳି ପାଇ ‘ନାୟିକାରାଜ୍’ କରୁଛନ୍ତି।