ଓଟିଟି ମଞ୍ଚରେ ଚହଳ ପକାଉଛନ୍ତି ନାୟିକା କୀର୍ତ୍ତି

ବିଗତ ତିନି-ଚାରି ବର୍ଷ ହେଲା ଓଟିଟି ମଞ୍ଚରେ ଜଣେ ଅଗ୍ରଣୀ ଅଭିନେତ୍ରୀ ଭାବେ ଚହଳ ପକାଇଥିବା କୀର୍ତ୍ତି କୁହ୍ଲାରିଙ୍କର ହିନ୍ଦୀ ସିନେମାରେ ଉପସ୍ଥିତି ମଧ୍ୟ ବେଶ୍‌ ପ୍ରଭାବଶାଳୀ। ଦୁଇ ଥର ଜାତୀୟ ସ୍ତରର ସମ୍ମାନ ହାସଲ କରି ଦର୍ଶକ ଓ ସମୀକ୍ଷକମାନଙ୍କର ସମର୍ଥନ ହାସଲ କରିବାରେ ସେ ସକ୍ଷମ ହୋଇପାରିଛନ୍ତି। ଅପରପକ୍ଷେ, ମାତ୍ର ପାଞ୍ଚ ବର୍ଷର ଦାମ୍ପତ୍ୟ ଜୀବନ କଟାଇବା ପରେ ଗତବର୍ଷ ସ୍ବାମୀ ତଥା ଅଭିନେତା ସାହିଲ୍‌ ସେହଗାଲ୍‌ଙ୍କ ଠାରୁ ବିବାହ ବିଚ୍ଛେଦ ନେଇଥିବା କୀର୍ତ୍ତିଙ୍କ ମନ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।

ତଥାପି ଜୀବନର ଏହି ଉଠାପକା ଖେଳକୁ ଧୈର୍ଯ୍ୟର ସହ ମୁକାବିଲା କରି ସେ ଚଳିତବର୍ଷ ପ୍ରାରମ୍ଭରୁ ପୁଣି ଅଭିନୟ ଜଗତରେ ନିଜକୁ ସାମିଲ କରି ଅତୀତର ଦୁଃଖ ଭୁଲିବାକୁ ଚେଷ୍ଟା କରିଛନ୍ତି। ମୁମ୍ବାଇରେ ୧୯୮୬ ମେ’ ୩୦ରେ ଜନ୍ମିତା କୀର୍ତ୍ତିଙ୍କର ପିତା ଭାରତୀୟ ନୌସେନାର ଜଣେ କମାଣ୍ଡର ଥିଲେ। ତାଙ୍କ ଭାଇ ମଧ୍ୟ ଭାରତୀୟ ନୌସେନାର ଜଣେ କ୍ୟାପ୍‌ଟେନ୍‌ ଓ ଭଉଣୀ ଭାରତୀୟ ସ୍ଥଳସେନାର ଜଣେ ନୈଦାନିକ ଡାକ୍ତର। ତେଣୁ କୀର୍ତ୍ତିଙ୍କର ପ୍ରାରମ୍ଭିକ ଜୀବନ ଅୟସରେ କଟିଥିଲା। ପେସାଗତ ଜୀବନ ଗଢ଼ିବା ପାଇଁ ତାଙ୍କୁ ପୂର୍ଣ୍ଣ ସ୍ବାଧୀନତା ମିଳିଥିଲା। ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା କୀର୍ତ୍ତି ଗ୍ଲାମର୍‌ ଜଗତରେ ନାଁ କମାଇବା ପାଇଁ ମନ ବଳାଇଥିଲେ। ତେଣୁ ସେ ପ୍ରଥମେ ଥିଏଟର ଓ ବ୍ୟାବସାୟିକ ବିଜ୍ଞାପନ ସହ ଜଡ଼ିତ ରହିଥିଲେ। ଦୀର୍ଘ ତିନି ବର୍ଷ ଧରି ବିଭିନ୍ନ ନାଟକରେ ଅଭିନୟ ସାଙ୍ଗକୁ ବଛା ବଛା କମ୍ପାନିର ବିଜ୍ଞାପନରେ ନିଜର ଦକ୍ଷତା ଦେଖାଇ ବଲିଉଡ୍‌କୁ କୀର୍ତ୍ତିଙ୍କର ପ୍ରଥମ ପ୍ରବେଶ ହୋଇଥିଲା ୨୦୧୦ରେ ହିନ୍ଦୀ ଫିଲ୍ମ ‘ଖିଚଡ଼ି’ରେ।

ସେଥିରେ ତାଙ୍କର ବଳିଷ୍ଠ ଅଭିନୟ ହିଁ ଦ୍ବିତୀୟ ଫିଲ୍ମ ‘ସଇତାନ’ରେ ତାଙ୍କ ପାଇଁ ସ୍ଥାନ ସୁରକ୍ଷିତ କରି ଦେଇଥିଲା। ଏହାପରେ ‘ସୁପର ସେ ଉପର’, ‘ଜାଲ୍‌’, ‘ରାଇଜ୍‌ ଅଫ୍‌ ଦି ଜୋମ୍ବି’ ଓ ‘କ୍ୟୁଟ୍‌ କମିନା’ ପରି ଫିଲ୍ମରେ ତାଙ୍କ ପ୍ରଦର୍ଶନକୁ ଦର୍ଶକ ମନଭରି ଉପଭୋଗ କରିଥିଲେ। ତେବେ ୨୦୧୬ରେ ‘ପିଙ୍କ’ ସିନେମାରେ ଅମିତାଭ ଓ ତାପସୀ ପନ୍ନୁଙ୍କ ଗହଣରେ ତାଙ୍କ ଅଭିନୟ ଉଚ୍ଚକୋଟୀର ରହିଥିଲା ଏବଂ ତାଙ୍କୁ ଜାଗରଣ ଫିଲ୍ମ ଉତ୍ସବରେ ସ୍ବତନ୍ତ୍ର ଜୁରି ସମ୍ମାନ ମିଳିଥିଲା। ଏହାପରେ ସେ ‘ଇନ୍ଦୁ ସରକାର’ ସିନେମାରେ ଶୀର୍ଷକ ଭୂମିକାରେ ଅଭିନୟ କରି ସମୀକ୍ଷକମାନଙ୍କୁ ମୁଗ୍‌ଧ କରିପାରିଥିଲେ ଏବଂ ୨୦୧୮ରେ କ୍ଷୁଦ୍ର ଫିଲ୍ମ ‘ମାୟା’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେଆର ସମ୍ମାନ ମିଳିଥିଲା।

ଏହାପରେ ‘ମିସନ୍‌ ମଙ୍ଗଳ’, ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌’ ଓ ‘ଦି ଗାର୍ଲ ଅନ୍‌ ଦି ଟ୍ରେନ୍‌’ ଆଦିରେ ତାଙ୍କର ଭିନ୍ନ ଭିନ୍ନ ଭୂମିକାକୁ ଦର୍ଶକ ଖୁବ୍‌ ଗ୍ରହଣ କରିଥିଲେ। ଏହି ଅବସରରେ ୱେବ୍‌ ଧାରାବାହିକ ‘ଫୋର୍‌ ମୋର୍‌ ସଟ୍‌ସ’ ଓ ‘ବାର୍ଡ ଅଫ୍‌ ବ୍ଲଡ୍‌’ରେ କୀର୍ତ୍ତିଙ୍କ ଅଭିନୟ ବେଶ୍‌ ମନମୁଗ୍ଧକର ହୋଇଥିଲା। ଗତବର୍ଷ ମୁକ୍ତିଲାଭ କରିଥିବା ‘ଶାଦିସ୍ଥାନ’ରେ କୀର୍ତ୍ତି ନିଜର ଲୋକପ୍ରିୟତା ବଜାୟ ରଖିଥିବା ବେଳେ ଚଳିତବର୍ଷର ୱେବ୍‌ ଧାରାବାହିକ ‘ହ୍ୟୁମାନ’ ମଧ୍ୟ ଅନୁରୂପ ସଫଳତା ହାସଲ କରିଛି।

ସମ୍ବନ୍ଧିତ ଖବର