ଜାଭେଦ୍‌ ଅଖ୍‌ତର୍‌ କରିଥିବା ମାନହାନି ମାମଲା ଖାରଜ ପାଇଁ କଙ୍ଗନା ରଣାୱତଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

ମୁମ୍ବାଇ: ଗୀତିକାର ଜାଭେଦ୍‌ ଅଖ୍‌ତର୍‌ଙ୍କ ଅଭିଯୋଗ ଆଧାରରେ ମୁମ୍ବାଇର ଏକ ଅଦାଲତ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କ ବିରୋଧରେ ଆରମ୍ଭ କରିଥିବା ଅପରାଧିକ ମାନହାନୀ ମାମଲା ଖାରଜ କରିବା ଲାଗି ସେ (କଙ୍ଗନା) କରିଥିବା ଆବେଦନକୁ ଆଜି ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି।

ସେପ୍ଟେମ୍ବର ୧ ତାରିଖ ଦିନ କଙ୍କନାଙ୍କ ଆବେଦନର ଶୁଣାଣିକୁ ସଂରକ୍ଷିତ ରଖିଥିବା ହାଇକୋର୍ଟ ବିଚାରପତି ରେବତୀ ମୋହିତେ ଡେରେ କହିଛନ୍ତି, ଆବେଦନକାରିଣୀଙ୍କ ଆବେଦନ ଖାରଜ କରାଯାଇଛି।

ଓକିଲ ରିଜ୍‌ୱାନ୍‌ ସିଦ୍ଦିକ୍ବିଙ୍କ ଜରିଆରେ କଙ୍ଗନା ଚଳିତ ବର୍ଷ ପ୍ରାରମ୍ଭରେ ‘ଅନ୍ଧେରି ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ’ରେ ଆରମ୍ଭ ହୋଇଥିବା ଏହି ମାନହାନୀ ମୋକଦ୍ଦମାକୁ ଚାଲେଞ୍ଜ୍ କରିଥିଲେ। ପିଟିସନ୍‌ରେ କଙ୍ଗନା ଲେଖିଥିଲେ ଯେ, ନ ବୁଝି ନ ବିଚାରି ଅଦାଲତ ଏହି ମୋକଦ୍ଦମା ଆରମ୍ଭ କରିଛନ୍ତି।

Image Courtesy of Bar and Bench

ଅଖତର୍‌ଙ୍କ ଓକିଲ ଜୟ ଭରଦ୍ବାଜ, କିନ୍ତୁ, ହାଇକୋର୍ଟଙ୍କୁ କହିଥିଲେ ଯେ, ଗୀତିକାରଙ୍କ ଅଭିଯୋଗ ପଢ଼ିବା ପରେ ଓ କଙ୍ଗନା ରଣାୱତ୍‌ଙ୍କ ସାକ୍ଷାତ୍‌କାର ଉଦ୍ଧୃତାଂଶ ଶୁଣିବା ପରେ ମାଜିଷ୍ଟ୍ରେଟ୍‌, ପୁଲିସ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଉକ୍ତ ସାକ୍ଷାତ୍‌କାରରେ ସେ ମାନହାନୀ ହେବା ପରି ମନ୍ତବ୍ୟ ଦେଇଥିଲେ।

ଏହି କାରଣରୁ ଗତବର୍ଷ ନଭେମ୍ବର ମାସରେ ଅଖ୍‌ତର୍ ‘ଅନ୍ଧେରି ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ’ରେ କଙ୍ଗନାଙ୍କ ବିରୋଧରେ ଅପରାଧିକ ଅଭିଯୋଗ କରିଥିଲେ। ସେ ଲେଖିଥିଲେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ସହ ହୋଇଥିବା ଟେଲିଭିଜନ୍‌ ସାକ୍ଷାତ୍‌କାରରେ ତାଙ୍କ ପ୍ରତି ଦିଆଯାଇଥିବା ମନ୍ତବ୍ୟ ସବୁ ମାନହାନୀସୂଚକ ଏବଂ ଭିତ୍ତିହୀନ।

ଅଖତର୍‌ଙ୍କ ଅଭିଯୋଗ ଅନୁସାରେ, ଘଟଣାର ତଦନ୍ତ କରିବା ଲାଗି ୨୦୨୦ ଡିସେମ୍ବରରେ ଅଦାଲତ ଜୁହୁ ପୁଲିସକୁ ନିର୍ଦେଶ‌ ଦେବା ପରେ କଙ୍ଗନାଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ କରି ଚଳିତ ବର୍ଷ ଫେବ୍ରୁଆରିରେ ତାଙ୍କୁ ସମନ୍‌ ଜାରି କରିଥିଲେ।

ସମ୍ବନ୍ଧିତ ଖବର