ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ଯେବେଠାରୁ ସ୍ତନ କର୍କଟରେ ପୀଡ଼ିତ ହେଲେଣି ସେବେଠାରୁ ସେ କଷ୍ଟରେ ଦିନ କାଟୁଛନ୍ତି। ହିନା ଖୁବ ସାହାସୀ ଯୁବତୀ ହୋଇଥିବାରୁ ଏତେ ସବୁପରେ ବି ସେ ଭାଙ୍ଗି ପଡ଼ି ନାହାନ୍ତି।
ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ସହିତ ସଂଘର୍ଷ କରୁଥିବା ହିନା ପ୍ରଥମ କିମୋଥେରାପି ପୂର୍ବରୁ କେଶ କାଟି ଦେଇଥିଲେ। ଯାହାର ଏକ ଭିଡିଓ ବି ସେ ସେୟାର କରିଥିଲେ। ଏଥିରେ ସେ ଦମ୍ଭ ଧରିଥିବା ବେଳେ ତାଙ୍କ ମା’ ଭୋଭୋ ହୋଇ କାନ୍ଦୁଥିବା ଭିଡିଓରେ ଶୁଣିବାକୁ ମିଳିଥିଲା।
କର୍କଟରେ ପୀଡ଼ିତ ଥାଇ ମଧ୍ୟ ହିନା ଖୁବ ସକ୍ରିୟ ଅଛନ୍ତି। ନିକଟରେ ସେ କାମକୁ ଫେରିଥିବା ସହିତ ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା କ୍ରମାଗତ ଭାବେ ଅଭିନେତ୍ରୀ ତାଙ୍କ ଫ୍ୟାନ୍ସମାନଙ୍କୁ ଦେଇ ଆସୁଛନ୍ତି।
ନିକଟରେ ହିନା ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ସାଙ୍ଗମାନେ ମୁଁ ବହୁତ କଷ୍ଟ ସମୟ ଦେଇ ଗତି କରୁଛି। ପ୍ରତି ସେକେଣ୍ଡରେ ମୋତେ ଯନ୍ତ୍ରଣା ହେଉଛି ତଥାପି ଚେହେରାରୁ ହସ ଲିଭିବାକୁ ଦେଇନାହିଁ।’
ହିନାଙ୍କ କର୍କଟର ଚିକିତ୍ସା କୋକିଲାବେନ ହସ୍ପିଟାଲରେ ଚାଲିଛି। ଏହି ହସ୍ପିଟାଲର ହାଉସକିପିଙ୍ଗ ବିଭାଗ ପକ୍ଷରୁ ହିନାଙ୍କୁ ଏକ ସୁନ୍ଦର ହୃଦୟସ୍ପର୍ଶୀ ନୋଟ ଉପହାରରେ ଦିଆଯାଇଛି। ଯାହାକୁ ହିନା ସମସ୍ତଙ୍କ ସହିତ ସେୟାର ବି କରିଛନ୍ତି।
ଏହି ନୋଟରେ ଲେଖା ହୋଇଛି, ‘ଆମେ ଜାଣିଛୁ ଆପଣଙ୍କ ପାଇଁ ଏହି ଅସ୍ତ୍ରୋପଚାର କଷ୍ଟଦାୟକ ରହିଛି। ଆମେ ଜାଣିଛୁ ଆପଣ ସୁସ୍ଥ ହେବା ଯାତ୍ରାରେ ଅଛନ୍ତି। ଖୁବଶୀଘ୍ର ସୁସ୍ଥ ବି ହୋଇଯିବେ।’