ଅଭିନେତ୍ରୀ ହୀନା ଖାଁ କର୍କଟ ରୋଗରେ ପୀଡ଼ିତ ହେବା ପରଠାରୁ କ୍ରମାଗତ ଚର୍ଚ୍ଚାରେ ରହି ଆସୁଛନ୍ତି। ସେ ଯେଉଁଭଳି ସାହସିକତାର ସହ ପରିସ୍ଥିତିର ମୁକାବିଲା କରୁଛନ୍ତି ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ଖରାପ ସମୟରେ ବି ହୀନାଙ୍କର ସକାରାତ୍ମକ ରହିପାରିବାର ଗୁଣକୁ ଦେଖି ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଢେର୍ ବଢ଼ିଯାଇଛି।
ନିକଟରେ ହୀନାଙ୍କୁ ରିୟାଲିଟି ସୋ’ ‘ଇଣ୍ଡିଆଜ୍ ବେଷ୍ଟ୍ ଡ୍ୟାନ୍ସର୍ ବନାମ୍ ସୁପର୍ ଡ୍ୟାନ୍ସର୍’ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ସେଠାରେ ସେ ତାଙ୍କ କର୍କଟ ସହ ଲଢ଼େଇ ବିଷୟରେ ବର୍ଣ୍ଣନା କରିଥିଲେ। ତାଙ୍କ କହିବାନୁସାରେ, କର୍କଟ ହୋଇଛି ବୋଲି ସେ ଡାକ୍ତରଙ୍କ ମୁହଁରୁ ଶୁଣି ନଥିଲେ, ପ୍ରଥମେ ତାଙ୍କ ପ୍ରେମିକ ତାଙ୍କୁ ଏହି ଖବର ଦେଇଥିଲେ। ପ୍ରେମିକ ରକିଙ୍କ ଠାରୁ ଏହା ଜାଣିବା ପରେ ସେ ଆଦୌ ବିଚଳିତ ହୋଇ ନଥିଲେ। ଖବର ପାଇବାର ୧୦ ମିନିଟ୍ ପରେ ପରିବାର ସହ ମିଶି ସେ ମିଠା ଖାଇଥିଲେ।
ରିପୋର୍ଟ ଆସିବା ପୂର୍ବରୁ ହୀନା ତାଙ୍କ ଭାଇଙ୍କୁ କହିଥିଲେ, ‘‘ମୋର ଫାଲୁଦା ଖାଇବାକୁ ଇଚ୍ଛା ହେଉଛି।’’ ସେଥିପାଇଁ ତାଙ୍କ ଘରକୁ ସେଦିନ ମିଠା ଆସିଥିଲା। ଆଉ କର୍କଟ କଥା ଜାଣିବା ପରେ ହୀନାଙ୍କୁ ଲାଗିଲା ଘରକୁ ମିଠା ଆସିଛି ମାନେ ନିଶ୍ଚୟ ଭଲ ହିଁ ହେବ। ଏହାପରେ ପରିବାରର ସମେସ୍ତ ମିଶି ମିଠା ଖାଇଥିଲେ।
ଅଭିନେତ୍ରୀ ହୀନା ୨୦୨୪ ଜୁନ୍ ୨୮ ତାରିଖରେ କର୍କଟ ରୋଗର ତୃତୀୟ ସ୍ତରରେ ଅଛନ୍ତି ବୋଲି ଜଣାପଡ଼ିଥିଲା। ହୀନାଙ୍କୁ କର୍କଟ ହୋଇଥିବା ଶୁଣି ପ୍ରଶଂସକମାନେ ଭାଙ୍ଗି ପଡ଼ିଥିବା ବେଳେ ସେ କିନ୍ତୁ ଦୃଢ଼ତାର ସହ ବ୍ୟାଧିକୁ ସାମ୍ନା କରୁଛନ୍ତି। ସେ ନିଜର କର୍କଟ ଯାତ୍ରାର ବିବରଣୀ ସୋସିଆଲ୍ ମିଡିଆରେ ସେୟାର୍ ମଧ୍ୟ କରୁଛନ୍ତି।