ନାୟିକା ହିରଣ୍ମୟୀଙ୍କର ଦୁଇଟି ଓଡ଼ିଆ ଛବି ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏଥିମଧ୍ୟରୁ ଗୋଟିଏ ହେଲା ‘ଦର୍ପଣ’ ଓ ଅନ୍ୟଟି ହେଲା ‘ନୀଳବର୍ଣ୍ଣ ଶୃଗାଳ’। ପ୍ରଥମଟିରେ ସେ ଭାରତ ପୁଷ୍ପରାଗଙ୍କ ବିପକ୍ଷରେ ନଜର ଆସିବେ ଏବଂ ଅନ୍ୟଟିରେ ତାଙ୍କୁ ଧୀରେନଙ୍କ ସହ ଦେଖିବାକୁ ପାଇବେ ଦର୍ଶକ। ଏଥି ମଧ୍ୟରୁ ପ୍ରଥମଟି ଏକ ସସ୍‌ପେନ୍ସ ଥ୍ରିଲର୍ ଏବଂ ଦ୍ବିତୀୟଟି କମେଡି।

Advertisment

ପୁଣି ତାଙ୍କୁ ମିଳିଛି ଆଉ ଏକ ନୂଆ ଓଡ଼ିଆ ସିନେମା। ଏହି ସିନେମାର ଶୀର୍ଷକ ହେଲା ‘ବବି ଆଉ ବେବି’। ଏହି ସିନେମା ଜରିଆରେ ହିରଣ୍ମୟୀ ବଡ଼ ପରଦାରେ ହାଟ୍ରିକ୍ କରିଛନ୍ତି।  ‘ବବି ଆଉ ବେବି’ରେ ହିରଣ୍ମୟୀଙ୍କ ନାୟକ ଭୂମିକାରେ ଅଛନ୍ତି ଅଙ୍କିତ କୁମାର। ପ୍ରଥମ ଥର ଲାଗି ବଡ଼ ପରଦାରେ ଦର୍ଶକ ଅଙ୍କିତ- ହିରଣ୍ମୟୀ ଯୋଡ଼ିକୁ ଭେଟିବେ। ବିଜୟ କନ୍ଦୋଇଙ୍କ ପ୍ରଯୋଜିତ ତଥା ବବି ଇସଲାମ୍‌ଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ରାନୀ ପଣ୍ଡା, ମିଟୁ ମିଥୁନ୍ ଓ ଅମରଙ୍କ ସହ ଶିଶୁ କଳାକାର ମାଙ୍କେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ବରିଷ୍ଠ ଲେଖକ ଡକ୍ଟର ରଜନୀରଞ୍ଜନ। ହାସ୍ୟରସାତ୍ମକ ଛବି ‘ବବି ଆଉ ବେବି’ର ସୁଟିଂ ଜୋରସୋରରେ ଚାଲିଛି।

ସୂଚନାଯୋଗ୍ୟ, ପ୍ରଥମେ ‘ତୋ ଅଗଣାର ତୁଳସୀ ମୁଁ’ ଓ ପରେ ‘ଭାଗ୍ୟ ହାତେ ଡୋରୀ’ ଭଳି ମେଗା ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ ହିରଣ୍ମୟୀ। ଏହାପରେ ତାଙ୍କୁ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଟେଲିସିନେମା ‘ତୁ ମୋ ସୁଭଦ୍ରା ମୁଁ ତୋ ଜଗା’ରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ଟେଲି ଜଗତରେ ସଫଳ ନାୟିକା ହେବା ପରେ ଏବେ ବଡ଼ ପରଦାକୁ ମୁହାଁଇଛନ୍ତି। ଆଉ ତାଙ୍କୁ ବି ନିୟମିତ ସିନେମା ମିଳୁଛି।