ମୁମ୍ବାଇ: ବଲିଉଡ୍ର ହ୍ୟାଣ୍ଡସମ ହଙ୍କ ହ୍ରିତିକ୍ ରୋଶନ ନିଜର ପ୍ରଥମ ବଲିଉଡ୍ ଫିଲ୍ମ ପରେ ବିବାହ କରି ନେଇଥିଲେ । ନିଜର ପିଲା ବେଳର ସାଙ୍ଗ ସୁଜାନେ ଖାନ୍ଙ୍କୁ ସେ ବିବାହ କରିଥିବା ବେଳେ ଦୁହିଁଙ୍କ ମଧ୍ୟରେ ସଂପର୍କ ଖୁବ୍ ଭଲ ଚାଲିଥିଲା । କିନ୍ତୁ ବିବାହର ୧୪ବର୍ଷ ପରେ ଦୁହେଁ ପରସ୍ପରଠାରୁ ଛାଡ଼ପତ୍ର ନେଇ ଅଲଗା ହୋଇ ଯାଇଥିଲେ । ଯାହା ସେମାନଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ଛାଡ଼ପତ୍ର ପରେ ମଧ୍ୟ ଅନେକ ସମୟରେ ଦୁହେଁ ନିଜ ପରିବାର ସହ ଛୁଟି କଟାଉଥିବାର ନଜର ଆସୁଥିଲେ । ଏବେ ଦୁହେଁ ପୁଣି ଥରେ ନିଜ ସଂପର୍କକୁ ଆଉ ଏକ ସୁଯୋଗ ଦେବାକୁ ଯାଉଥିବା ଜଣା ପଡ଼ିଛି ।

ନିଜ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଦୁହେଁ ପୁଣି ଥରେ ବିବାହ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ବିବାହକୁ ନେଇ ପୂର୍ବରୁ ଅନେକ ଥର ସୁଜାନେ ମନା କରି ଆସିଥିବା ବେଳେ ଏବେ ନିଜ ପିଲାମାନଙ୍କ ପାଇଁ ଏହା ସମ୍ଭବ ହେବାକୁ ଯାଉଛି ବୋଲି ଜଣା ପଡ଼ିଛି । ତେବେ ଏ ଖବରରେ କେତେ ସତ୍ୟତା ରହିଛି ତାହା ଦେଖିବାକୁ ବାକି ରହିଲା ।