ନିକଟରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ‘ଜି.ଓ.ଏ.ଟି.’ରେ ସୁପର୍ଷ୍ଟାର୍ ଥଲପତି ବିଜୟ ଯେପରି ବାପା-ପୁଅଙ୍କ ଯୁଗ୍ମ ଭୂମିକାରେ ଅଭିନୟ କରିଥିଲେ ତେଲୁଗୁ ସୁପର୍ଷ୍ଟାର୍ ଜୁନିଅର୍ ଏନ୍ଟିଆର୍ ମଧ୍ୟ ‘ଦେବରା: ପାର୍ଟ ୧’ରେ ଅନୁରୂପ ଭାବେ ଉଭୟ ବାପା-ପୁଅ ଭୂମିକାରେ ଅଭିନୟ କରିଛନ୍ତି। ଏହା ଦର୍ଶାଇଥାଏ ଯେ ଦର୍ଶକଙ୍କ ହୃଦୟରେ ଦେବତୁଲ୍ୟ ସ୍ଥାନ ଅଧିକାର କରିଥିବା ଅଭିନେତାମାନେ କିପରି ସେମାନେ ଅଭିନୟ କରୁଥିବା ଚଳଚ୍ଚିତ୍ରଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାନ୍ତି। ଏହିପରି ‘ହାର୍ଡକୋର୍ ଫ୍ୟାନ୍ ଫଲୋଇଙ୍ଗ୍’ ବଲିଉଡ୍ରେ ବିଦ୍ୟମାନ ଥିଲେ ହେଁ ତାମିଲ ଓ ତେଲୁଗୁ ଶିଳ୍ପରେ ଏହାର ବ୍ୟାପ୍ତି କଳ୍ପନା ବହିର୍ଭୂତ। ସେହି କାରଣରୁ ଜୁନିଅର୍ ଏନ୍ଟିଆର୍ ଏହି ଚଳଚ୍ଚିତ୍ର ପାଇଁ ନେଇଥିବା ୮୦ କୋଟି ଟଙ୍କାର ପାରିଶ୍ରମିକ ଖବରଟି ସାଧାରଣ ମନେ ହୁଏ। ଏଭଳି ଖବର ପଢ଼ି ମନରେ ଗୋଟିଏ ପ୍ରଶ୍ନ ଆସେ, ଏହି ସୁପର୍ଷ୍ଟାର୍ମାନେ ନେଉଥିବା ପାରିଶ୍ରମିକର ଯେତିକି ଚର୍ଚ୍ଚା ହୁଏ, ସେମାନଙ୍କ ଅଭିନୟର ସେତିକି ଚର୍ଚ୍ଚା ହୁଏ ନାହିଁ କାହିଁକି? ତାହାର ଉତ୍ତର ‘ଦେବରା’ ରିଲିଜ୍ର ପ୍ରଥମ ସୋ’ ଦେଖିବା ଅଭିଜ୍ଞତାରୁ ସ୍ପଷ୍ଟ ହୋଇଯାଏ।
ପ୍ରଥମ ହାଉସ୍ଫୁଲ୍ ସୋ’ର ଦର୍ଶକମାନେ ଜୁନିଅର୍ ଏନ୍ଟିଆର୍ଙ୍କ ପ୍ରାୟ ପ୍ରତିଟି ଆବିର୍ଭାବରେ ଯେଉଁ ଉତ୍ସାହଭରା କୋଳାହଳ ସୃଷ୍ଟି କରୁଥିଲେ ତାହା ଚଳଚ୍ଚିତ୍ରର ସାଉଣ୍ଡ୍ ଇଫେକ୍ଟର ତୀବ୍ରତାକୁ ମଧ୍ୟ ଅତିକ୍ରମ କରିଯାଉଥିଲା। ନିର୍ମାତା ଓ ନାୟକଙ୍କ ଦୃଷ୍ଟିରୁ ଏହା ନିଶ୍ଚିତ ଭାବେ ଏକ ଈର୍ଷଣୀୟ ସଫଳତା। କିନ୍ତୁ ଏହି ତିନିଘଣ୍ଟିଆ ସିନେମାରୁ ଭଲ କାହାଣୀ ଆଶା କରୁଥିବା ଦର୍ଶକଙ୍କୁ ଏହା ନିରାଶ କରିବ।
ଆରମ୍ଭରେ ପ୍ରାୟ ଏକ ଘଣ୍ଟାର ବ୍ୟାଖ୍ୟାପୂର୍ଣ୍ଣ ଘଟଣାବଳୀ ଏକ ଉତ୍ତମ କାହାଣୀର ସଂକେତ ବହନ କରେ, ଯଦିଓ କେତେକ ଦୃଶ୍ୟରେ ନାଟକୀୟତା ପିଲାଳିଆ ସ୍ତରର ଲାଗିଥାଏ। ଏହି କାହାଣୀ ଲୋହିତ ସାଗର ଉପକୂଳସ୍ଥ ଏକ ଛଦ୍ମ ସ୍ଥାନ ଉପରେ ପର୍ଯ୍ୟବସିତ। ଏଠାକାର ଅଧିବାସୀ ଚାରିଟି ଗୋଷ୍ଠୀରେ ବିଭାଜିତ, ଯେଉଁମାନଙ୍କ ପୂର୍ବଜମାନେ ସ୍ବାଧୀନତା ଲାଗି ବ୍ରିଟିସ୍ଙ୍କ ସହିତ ଲଢ଼ିଥିବାର କିଂବଦନ୍ତି ରହିଛି। ତେବେ ଏବର ସମୟରେ ସେମାନେ ନିଜର ଅସ୍ତିତ୍ବ ରକ୍ଷା ଲାଗି ସେମାନଙ୍କ ଦକ୍ଷତାକୁ ଜାହାଜରୁ ସାମଗ୍ରୀ ଚାଲାଣ କରିବାରେ ଖଟାଉଛନ୍ତି। ଦୁଇ ଗୋଷ୍ଠୀର ମୁଖିଆ - ଦେବରା (ଜୁନିଅର୍ ଏନ୍ଟିଆର୍) ଓ ଭୈର (ସୈଫ ଅଲୀ ଖାଁ) - ଏହି କାମ ମିଳିମିଶି କରୁଛନ୍ତି। ପାରମ୍ପରିକ ଅସ୍ତ୍ରଗୁଡ଼ିକ ଚାରିଟି ଗାଁ ମଧ୍ୟରୁ କାହାକୁ ମିଳିବ ସେ ନେଇ ହେଉଥିବା ‘ଆୟୁଧ ପୂଜା’ର ପ୍ରତିଯୋଗିତା ବେଳେ ଏନ୍ଟିଆର୍ ଓ ସୈଫଙ୍କ ଅଭିନୟର ପାରଦର୍ଶିତା ମନଛୁଆଁ ହୋଇଛି। ତେବେ ସେମାନେ ଚାଲାଣ କରୁଥିବା ସାମଗ୍ରୀ ନିଜ ଦେଶର ଲୋକଙ୍କୁ ହତ୍ୟା କରିବାରେ ବ୍ୟବହୃତ ହେଉଥିବା କଥା ଜାଣିବା ପରେ ଦେବରାଙ୍କ ବିବେକ ଏପରି କରିବାକୁ ବାଧା ଦେଉଛି। ଏଇଠୁ ଆରମ୍ଭ ହେଉଛି ଦେବରା ଓ ଭୈର ମଧ୍ୟରେ ଅସହମତି ଓ ଶତ୍ରୁତା। ପ୍ରଥମାର୍ଦ୍ଧ ଶେଷରେ ଭୈର ଦ୍ବାରା ରଚିତ ଦେବରାଙ୍କ ହତ୍ୟା ଷଡ୍ଯନ୍ତ୍ର ବିଫଳ ହେଉଛି ଏବଂ ସେ ଉକ୍ତ ବସତିରୁ ଅନ୍ତର୍ଦ୍ଧାନ ହୋଇଯାଉଛନ୍ତି।
ଦ୍ବିତୀୟାର୍ଦ୍ଧ ଆରମ୍ଭରେ କିଛି ବର୍ଷ ବିତିଯାଇଛି ଏବଂ ଦେବରାଙ୍କ ଛୋଟ ପୁଅ ‘ବାରା’ (ଜୁନିଅର୍ ଏନ୍ଟିଆର୍) ବଡ଼ ହୋଇ ପିତାଙ୍କ ପରି ଦୁର୍ଦ୍ଧର୍ଷ ହେବାର ଉଦ୍ୟମ କରୁଛି, କିନ୍ତୁ ବାସ୍ତବରେ ସେ ଜଣେ ଭୀରୁ। କ୍ରମେ ଥଙ୍ଗମ୍ (ଜାହ୍ନବୀ) ସହିତ ବାରାର ପ୍ରେମ କାହାଣୀ ଦୃଶ୍ୟାୟିତ କରାଯାଇଛି ଯାହା ଉତ୍ସାହ କମ୍, ବିରକ୍ତିଭାବ ଅଧିକ ଜାତ କରିଥାଏ। ଏହା ଜାହ୍ନବୀଙ୍କ ପ୍ରଥମ ତେଲୁଗୁ ସିନେମା ହୋଇଥିବାବେଳେ ତାଙ୍କ ଚରିତ୍ରର କୌଣସି ଗୁରୁତ୍ବପୂର୍ଣ୍ଣ ଭୂମିକା ନାହିଁ। ଦ୍ବିତୀୟ ଭାଗର ସ୍ପଷ୍ଟ ପ୍ରତିଶ୍ରୁତି ସମ୍ବଳିତ ଏକ ଅନିଶ୍ଚିତ ମୋଡ଼ରେ ସିନେମାଟି ସମାପ୍ତ ହୋଇଛି।
ପ୍ରେକ୍ଷାଳୟରୁ ବାହାରିବା ବେଳେ ମନେହେଲା ଭଲ କଥା ଯେ ଓଡ଼ିଆ ସିନେମା ଏବେ ସାଉଥ୍ ସିନେମାର ହନୁକରଣ ନ କରି କାହାଣୀ ଓ ଅଭିନୟ ଉପରେ ଅଧିକ ଧ୍ୟାନ ଦେଉଛି। ତଥାପି ‘ଦେବରା’ ଚଳଚ୍ଚିତ୍ରରୁ ଏହା ସଂଗୀତ ଓ ନୃତ୍ୟ ଆବେଦନ ଆଦି ଉପାଦାନକୁ ଅନୁକରଣ କରିବାରେ କିଛି କ୍ଷତି ନାହିଁ।