ଓଡ଼ିଆ ସିନେମାରେ ହୋଲି: ମତୁଆଲା କରିଛି ନାୟକ-ନାୟିକାଙ୍କ ନୃତ୍ୟ

ଭୁବନେଶ୍ବର: ଆଜି ହେଉଛି ରଙ୍ଗ ପର୍ବର ହୋଲି। ସାରା ଦେଶ ଉତ୍ସବମୁଖର। କେତେକ ଓଡ଼ିଆ ସିନେମାରେ ବି ହୋଲି ଦୃଶ୍ୟ ଦେଖିବାକୁ ମିଳିଛି। ଏଥିମଧ୍ୟରୁ କେତେକ ସିନେମାରେ ହୋଲି ସମୟର କୌଣସି ସିନ୍ ରଖାଯାଇଛି। ଆଉ କେତେକ କ୍ଷେତ୍ରରେ ହୋଲି ଗୀତରେ ନାୟକ-ନାୟିକାଙ୍କ ନୃତ୍ୟ ରଖାଯାଇଛି।ଏବେ ଆସନ୍ତୁ ମନେ ପକାଇବା ଓଡ଼ିଆ ଛବିରେ ଥିବା କେତେକ ସ୍ମରଣୀୟ ହୋଲି ଗୀତର କଥା।
୧୯୭୯ରେ ମୁକ୍ତିଲାଭ କରିଥିବା ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶିତ ଦ୍ବିତୀୟ ଓଡ଼ିଆ ଛବି ‘ବଳିଦାନ’ ସିନେମାର ‘ହୋଲି ହୋଲିରେ ହୋଲି ରଙ୍ଗ ରଙ୍ଗେଲି ହୋଲି ନାଚ ଆଜିରେ ଝୁଲି ଝୁଲି’ ହେଉଛି ଓଡ଼ିଆ ସିନେମାରେ ଥିବା ପ୍ରଥମ ହୋଲି ଗୀତ। ଏହାର ସଙ୍ଗୀତକାର ହେଲେ ପ୍ରଫୁଲ୍ଲ କର। ଏହାପରେ ଅଳ୍ପ କେତେକ ଓଡ଼ିଆ ସିନେମାରେ ହୋଲି ଗୀତ ରହିଛି।


ଏହାପରେ ‘ମା ମୋତେ ଶକ୍ତି ଦେ’ ସିନେମାର ‘ଆଜି ଆସିଛି ଆସିଛି ହୋଲି କେତେ ରଙ୍ଗର ପସରା ମେଲି’ ବି ମନେ ରଖିବା ଭଳି। ଏହି ଗୀତର ସ୍ବରକାର ହେଲେ ମୁସୀର। ଏଣେ ଅନୁଭବଙ୍କ ଅଭିନୀତ ତଥା ଅଶୋକ ପତିଙ୍କ ନିର୍ଦେଶିତ ଓଡ଼ିଆ ଛବି ‘ଦିଓ୍ବାନା’ର ଲେଟସ୍ ପ୍ଲେ ହୋଲି’ ଗୀତ ବି ବେଶ ଲୋକପ୍ରିୟ। ଏଥିରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ ମଳୟ ମିଶ୍ର। ଏହାଛଡ଼ା ବାବୁସାନଙ୍କ ଅଭିନୀତ ତଥା ଅଶୋକ ପତିଙ୍କ ନିର୍ଦେଶିତ ଓଡ଼ିଆ ଛବି ‘ଲଭ୍ ପାଇଁ କୁଛ୍ ଭି କରେଗା’ରେ ବି ହୋଲି ଅବସରରେ ଥିବା ଭିନ୍ନ ସ୍ବାଦର ଗୀତ ଆଜତ ନାଚିବ ଗବର ସିଂ… ବି କମ୍ ଚର୍ଚ୍ଚିତ ନୁହେଁ। ଅଭିଜିତ ମଜୁମଦାର ଏହାର ସଙ୍ଗୀତକାର।
୨୦୧୯ରେ ରିଲିଜ୍ ହୋଇଥିବା ‘ତୁ ମୋ ଲଭ ଷ୍ଟୋରି-୨’ର ହୋଲି ଗୀତ ‘ଏ ବରଷ ହୋଲି ଟିକେ ଅଧିକ ମିଠା… କୁ ନେଇ ବି ଖୁବ୍ ଚର୍ଚ୍ଚା ହୋଇଥିଲା। ଏହି ଗୀତକୁ ସ୍ବରରେ ସଜେଇଥିଲେ ପ୍ରେମ ଆନନ୍ଦ। ଏହି ଗୀତର ଦୃଶ୍ୟରେ ସ୍ବରାଜ-ଭୂମିକା ଓ ସିଦ୍ଧାନ୍ତ-ଅନୁ ଚୌଧୁରୀଙ୍କ ନୃତ୍ୟ ମତୁଆଲା କରିଥିଲା ଦର୍ଶକଙ୍କୁ। ଏହାଛଡ଼ା ଆହୁରି କେତେକ ଓଡ଼ିଆ ଛବିରେ ବି ଏହି ଧରଣର ହୋଲି ଗୀତର ଦୃଶ୍ୟାୟନ ହୋଇଛି।

ସମ୍ବନ୍ଧିତ ଖବର