‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ରର ସ୍ମୃତି ବଖାଣିଲେ ଅଭିନେତା ଶ୍ରୀତମ ଦାସ

ସବ୍ୟସାଚ୍ଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ରର ସ୍ମୃତି ବଖାଣିଛନ୍ତି ଓଲିଉଡ ଅଭିନେତା ଶ୍ରୀତମ ଦାସ। ସେ କହିଛନ୍ତି, ସବ୍ୟସାଚ୍ଚୀଙ୍କ ନିର୍ଦ୍ଦେଶିତ ‘ବାହୁଡ଼ିବେ ମୋ ଜଗାବଳିଆ’ରେ ମୁଁ ଜଗା ଭୂମିକାରେ ଅଭିନୟ କରିଥିଲି। ୧୫ ବର୍ଷ ତଳେ ପ୍ରସ୍ତୁତ କରିଥିବା ପୌରାଣିକ ଚଳଚ୍ଚିତ୍ର ‘ଜୟ ଜଗନ୍ନାଥ’ରେ ସେ ପୁଣି ମୋତେ ଜଗନ୍ନାଥ ଭୂମିକା ପାଇଁ ମନୋନୀତ କରିବେ ମୁଁ ସ୍ବପ୍ନରେ ମଧ୍ୟ ଭାବି ନ ଥିଲି। ପ୍ରଥମ ଦିନ ସୁଟିଂ ଆରମ୍ଭ ହେଇଥିଲା ମୁମ୍ବାଇରେ। ଆମେ ଗୋଟିଏ ଶପଥ ନେଇଥିଲୁ ଚଳଚ୍ଚିତ୍ର ସୁଟିଂ ସରିବା ଯାଏ କେହି ଆମିଷ ଖାଦ୍ୟ ଖାଇବୁ ନାହିଁ।

ଯେଉଁଦିନ ଚଳଚ୍ଚିତ୍ରର ପ୍ରିମିୟର୍ ହେଲା, ସେଦିନ ନିର୍ଦ୍ଦେଶକ ମଣିରତ୍ନମ୍, ଅଭିନେତା ଶାହାରୁଖ୍ ଖାନ୍, ପ୍ରଯୋଜକ ଭାରତ ଶାହଙ୍କ ପରି ଅନେକ ନାମକରା ବ୍ୟକ୍ତି ଏକାଠି ବସି ଦେଖୁଥିଲେ। ସୋ’ ସରିବା ପରେ ଅନେକ ଦର୍ଶକ ଆସି ମୋତେ ମୁଣ୍ଡିଆ ମାରିଲେ। ଭାବିଲି ଏମାନେ ମୋତେ ନୁହେଁ, ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରୁଛନ୍ତି। ସାବିତ୍ରୀ, ଜୀବନସାଥୀ, ରାମ ଲକ୍ଷ୍ମଣ, ଲକ୍ଷ୍ମୀପ୍ରତିମା, ବାହୁଡ଼ିବେ ମୋ ଜଗା ବଳିଆ ପରି ଅନେକ ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅଭିନୟ କରିଛି। ପୁଣି ତୁ ଥା ମୁଁ ଯାଉଛି ଋଷି, ଦିୱାନା ହେଲି ତୋ’ପାଇଁ, ଚୌକା ଛକା ଆଦି ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରିଛି। ହେଲେ ‘ଜୟ ଜଗନ୍ନାଥ’ରେ ଅଭିନୟ କରିବାର ଅନୁଭବ ନିଆରା। ଶ୍ରୀଜଗନ୍ନାଥଙ୍କ ଭୂମିକାରେ ସୁଯୋଗ ପାଇବା, ସେଇ ଚରିତ୍ରକୁ ଠିକ୍ ଭାବେ ନିର୍ବାହ କରିବା, ଦର୍ଶକଙ୍କ ଆଶୀର୍ବାଦ ଲାଭ କରିବା ମୋ ପାଇଁ ଶହେ ଜନ୍ମର ସୌଭାଗ୍ୟ ବୋଲି ମୁଁ ଆଜି ବି ଚିନ୍ତା କରୁଛି ବୋଲି ଶ୍ରୀତମ କହିଛନ୍ତି।

ସମ୍ବନ୍ଧିତ ଖବର