ଭୁବନେଶ୍ବର: ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ନିର୍ଦ୍ଦେଶକ ତଥା ସିନେମାଟୋଗ୍ରାଫର ରାଜୁ ମିଶ୍ରଙ୍କର ବିୟୋଗ ଘଟିଛି।  ସେ ଏକାଧାରରେ ଜଣେ ନିର୍ଦ୍ଦେଶକ, ଅଭିନେତା, ସିନେମାଟୋଗ୍ରାଫର୍, ଚିତ୍ରନାଟ୍ୟକାର, ସଂଳାପ ଲେଖକ, କାହାଣୀକାର ଏବଂ ସଙ୍ଗୀତକାର ଥିଲେ। ରାଜୁ ମିଶ୍ର କେବଳ ଜଣେ ସଫଳ ବ୍ୟକ୍ତି ନ ଥିଲେ ଜଣେ ଅନୁଷ୍ଠାନ ଥିଲେ। ତାଙ୍କର ପଥନିର୍ଦ୍ଦେଶରେ ବହୁ କଳାକାର, ନିର୍ଦ୍ଦେଶକ ଓ ଟେକନିସିଆନ୍ ସୃଷ୍ଟି ହୋଇଛନ୍ତି ଓ ସେମାନେ ଓଲିଡଡରେ ବେଶ୍ ସଫଳ ହୋଇଛନ୍ତି। ଆସନ୍ତୁ ରାଜୁ ମିଶ୍ରଙ୍କ ବିୟୋଗରେ ମର୍ମାହତ କେତେ ଜଣ ଚଳଚ୍ଚିତ୍ର ବ୍ୟକ୍ତିତ୍ବଙ୍କ ମୁହଁରୁ ଶୁଣିବା ତାଙ୍କ ବିଷୟରେ...

Advertisment

ଅନୁ ଚୌଧୁରୀ(ଅଭିନେତ୍ରୀ): ରାଜୁ ମିଶ୍ରଙ୍କ ସହ ମୁଁ ଗୋଟିଏ ସିନେମାରେ କାମ କରିଥିଲି। ତାଙ୍କଠାରୁ ମୁଁ ବହୁତ କିଛି ଶିଖିଥିଲି। ପୁଣି ଏକାଠି ଏକ  ସିନେମା କରିବା ପାଇଁ କଥା ହୋଇଥିଲା। ମାତ୍ର ତାହା ଅଧୁରା ରହିଗଲା। ରାଜୁ ସାରଙ୍କ ସ୍ଥାନ କେହି ବି ନେଇପାରିବେ ନାହିଁ।

ପ୍ରଣବ ଦାସ(ନିର୍ଦ୍ଦେଶକ): ସେ ମୋର ଜଣେ ଭଲ ବନ୍ଧୁ ଥିଲେ। ୧୯୭୫ରୁ ଆମର ବନ୍ଧୁତା ହୋଇଥିଲେ ବି ୧୯୯୦ରେ ଆମେ ହୁହେଁ ଏକାଠି ‘ଛବିର ମଣିଷ’ ସିନେମାରେ କାମ କରିଥିଲୁ। ରାଜୁ ମିଶ୍ରଙ୍କ ବିୟୋଗ ପାଇଁ ଓଡ଼ିଆ ସିନେ ଜଗତ ପାଇଁ ବଡ଼ କ୍ଷତି।

ଶ୍ରୀତମ ଦାସ(ଅଭିନେତା-ନିର୍ଦ୍ଦେଶକ): ରାଜୁ ମିଶ୍ର ଜଣେ ବିଖ୍ୟାତ ନିର୍ଦ୍ଦେଶକ ଥିଲେ। ବିଜୟ ମିଶ୍ର, ବିଜୟ ମହାନ୍ତି ଓ ଅଜିତ ଦାସଙ୍କ ପରି ଦିଗଜ୍ଜଙ୍କ ପରେ ରାଜୁ ମିଶ୍ରଙ୍କ ଦେହାନ୍ତ ଓଲିଉଡ୍‌ ପାଇଁ ଶକ୍ତ ଧକ୍କା।

ସୁରେନ୍ଦ୍ର ସାହୁ (ସିନେମାଟୋଗ୍ରାଫର୍‌) : ରାଜୁ ବାବୁ ମୋଠାରୁ ଜୁନିୟର୍‌ ଥିଲେ ବି ସେ ମୋ ଅପେକ୍ଷା  ଦି’ପାଦ ଆଗକୁ ଯାଇ ନିର୍ଦ୍ଦେଶକ ହୋଇଥିଲେ। ସେ ସିନେମାଟୋଗ୍ରାଫର୍‌ ଭାବେ ଯେଭଳି ନିଜର ସୃଜନଶୀଳତାର ପରିଚୟ ଦେଇ ଥିଲେ ଠିକ୍‌ ସେହି ଭଳି ନିର୍ଦ୍ଦେଶକ ଭାବେ ଦର୍ଶକଙ୍କ ହୃଦୟରେ ରହିଥିଲେ। ତାଙ୍କୁ ଓଡ଼ିଆ ସିନେ ଜଗତ କେବେ ବି ଭୁଲିପାରିବ ନାହିଁ।