ମୁମ୍ବାଇ: ଟିଭିରୁ ବଲିଉଡ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସବୁଠି, ଉର୍ଫି ଜାଭେଦ୍ ତାଙ୍କ ପୋଷାକ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କରଣ ଜୋହରଙ୍କ ସୋ’ 'କଫି ସହ କରଣ ସିଜିନ-୭'ରେ ମଧ୍ୟ ଉର୍ଫିଙ୍କୁ ପ୍ରଶଂସା କରାଯାଇଛି। ତାଙ୍କ ପୋଷାକ ପାଇଁ ଟ୍ରୋଲରମାନେ ତାଙ୍କୁ ଥଟ୍ଟା କରୁଥିଲେ ବି ଉର୍ଫି ଅନ୍ୟମାନଙ୍କ କଥା ନଶୁଣି ମୁଣ୍ଡ ଉଚ୍ଚା କରି ଆଗକୁ ବଢ଼ି ଚାଲିଛନ୍ତି। ବର୍ତ୍ତମାନ ରାପର ହନି ସିଂ ମଧ୍ୟ ଉର୍ଫି ଜାଭେଦଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି।
ଏବେ ହନି ସିଂ ତାଙ୍କର ନୂଆ ଗୀତକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ତାଙ୍କର ନୂତନ ଆଲବମ୍ ହନି ୩.୦ ରିଲିଜ୍ କରିଛନ୍ତି। ଏହାକୁ ନେଇ ହୋଇଥିବା ଏକ ସାକ୍ଷାତକାରରେ ହନି ସିଂ କହିଛନ୍ତି ଯେ, ଭାରତର ଝିଅମାନେ ଉର୍ଫି ଜାଭେଦଙ୍କଠାରୁ କିଛି ଶିଖିବା ଉଚିତ୍। ମୁଁ ସେହି ଝିଅକୁ ବହୁତ ପସନ୍ଦ କରେ। ସେ ବହୁତ ନିର୍ଭୀକ ଏବଂ ସାହସୀ। ସେ ନିଜ ଜୀବନକୁ ନିଜ ହିସାବରେ ବଞ୍ଚିବାକୁ ଚାହୁଁଛନ୍ତି। ସେ ବିନା ଦ୍ୱିଧାରେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି, କାହାକୁ ଭୟ କରୁ ନାହାନ୍ତି। ସେ କେଉଁଠୁ ଆସିଛନ୍ତି, କେଉଁ ଧର୍ମରୁ ଆସିଛନ୍ତି, ତାଙ୍କର ଜାତି କ’ଣ ସେସବୁ ଭାବନ୍ତି ନାହିଁ। କାହାକୁ ଭୟ ନକରି ତାଙ୍କ ହୃଦୟରେ ଯାହା ଅଛି, ସେ ତାହା କରନ୍ତି। ଏହି କାରଣରୁ ସେ ଆଜି ଚର୍ଚ୍ଚାରେ। ଆଜି ସମସ୍ତେ ତାଙ୍କୁ ଜାଣିଛନ୍ତି। ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି।