ପ୍ରତ୍ୟେକଙ୍କ ଜୀବନରେ ଛୋଟବଡ଼ ସ୍ବପ୍ନ ରହିଥାଏ। ନବାଗତା ଅଭିନେତ୍ରୀ ଅଲିଶା ପଁୱାର ମଧ୍ୟ ସେମିତି କିଛି ସ୍ବପ୍ନରେ ମସଗୁଲ ଅଛନ୍ତି। ସିନେ ଦୁନିଆରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିବା ଲକ୍ଷ୍ୟରେ ସେ ଉଦ୍ୟମ ଜାରି ରଖିଛନ୍ତି। ଛଅ ବର୍ଷର ଅଭିନୟ ଜୀବନ ଭିତରେ ୧୨ଟି ଟିଭି ଧାରାବାହିକ, ୩ଟି ସିନେମା ଓ ଗୋଟିଏ ସଂଗୀତ ଭିଡିଓରେ ନିଜକୁ ଉପସ୍ଥାପିତ କରି ସେ ଦୁଇ ଦୁଇ ଥର ଜାତୀୟ ସ୍ତରର ପୁରସ୍କାର ପାଇଁ ସୁପାରିସ ହୋଇପାରିଛନ୍ତି। କୌଣସି ଚୂଡ଼ାନ୍ତ ପୁରସ୍କାର ନ ମିଳିଲେ ମଧ୍ୟ ତାଙ୍କର ଅଧ୍ୟବସାୟ ତାଙ୍କୁ ଆଗକୁ ବାଟ କଢ଼ାଇନେବାରେ ସହାୟକ ହେଉଛି । ହିମାଚଳ ପ୍ରଦେଶର ରାଜଧାନୀ ସହର ସିମଳାରେ ୧୯୯୬ ମେ ୬ରେ ଜଣେ ଆଇନଜୀବୀ ପିତା ଓ ଶିକ୍ଷୟିତ୍ରୀ ମାତାଙ୍କ କୋଳମଣ୍ଡନ କରିଥିବା ଅଲିଶାଙ୍କର ପିଲାବେଳେ ଅଭିନୟ ପ୍ରତି ଆଦୌ ରୁଚି ନଥିଲା।
ତେବେ ୨୦୦୮ରେ ପରିସ୍ଥିତିରେ ପଡ଼ି ସେ ଜଣେ ଶିଶୁ କଳାକାର ଭାବେ ଦୂରଦର୍ଶନରେ ପ୍ରସାରିତ ବାସ୍ତବଧର୍ମୀ ଧାରାବାହିକ ‘ନାଚେଁ ଗାଏଁ ଧୁମ୍ ମଚାଏଁ’ରେ ଭାଗ ନେବା ପରେ ତାଙ୍କ ମନରେ ରୁପେଲି ପରଦା ଏବଂ ଗ୍ଲାମର ଦୁନିଆ ପ୍ରତି ଏକ ଦୁର୍ବଳତା ଜମାଟ ବାନ୍ଧିବାକୁ ଲାଗିଲା। ୨୦୧୨ରେ ସେ ସୁନ୍ଦରୀ ପ୍ରତିଯୋଗିତାରେ ନିଜକୁ ସାମିଲ କରି ‘ସିମଳା ରାଣୀ’ ମୁକୁଟ ହାସଲ କରିଥିଲେ।
ସେହି ବର୍ଷ ହିନ୍ଦୀ ସିନେମା ‘ଅକଡ଼ ବକ୍କଡ଼ ବମ୍ବେ ବୋ’ରେ ସେ ଜଣେ କିଶୋରୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ତେବେ ସିଧାସଳଖ ଅଭିନୟରେ ଆଉ ସେପରି କିଛି ଅଗ୍ରଗତି ନକରି ସେ କିଛି ଟିଭି ବିଜ୍ଞାପନରେ ମଡେଲିଂ କରିବାର ସୁଯୋଗ ହାତେଇଥିଲେ। ତାଙ୍କର କିନ୍ତୁ ପ୍ରକୃତ ଅଭିନୟ ଜୀବନ ଆରମ୍ଭ ହୋଇଥିଲା ୨୦୧୫ରେ ଟିଭି ଧାରାବାହିକ ‘ବେଗୁସରାଇ’ ମାଧ୍ୟମରେ।
ସେ ନିଭାଇଥିବା ନଜମା ଆଖତର ଖାଁ ଚରିତ୍ରଟି ଅନ୍ୟମାନଙ୍କର ବେଶ୍ ପସନ୍ଦ ହୋଇଥିଲା। ଏହାର ଫଳସ୍ବରୂପ, ତହିଁ ପରବର୍ଷ ‘ରିସ୍ତୋଁ କେ ସୌଦାଗର- ବାଜିଗର’ ଓ ‘ଥପ୍କି ପ୍ୟାର କି’ ଧାରାବାହିକରେ ମନଲାଖି ଚରିତ୍ରରେ ଅଭିନୟ ପାଇଁ ସୁଯୋଗ ପାଇଥିଲେ। ତେବେ ତାଙ୍କ ଲୋକପ୍ରିୟତାକୁ ଆଉ ପାଦେ ଆଗେଇ ନେଇଥିଲା ୨୦୧୭ରୁ ୨୦୧୯ ଯାଏ ପ୍ରସାରିତ ହିନ୍ଦୀ ଧାରାବାହିକ ‘ଇସ୍କ ମେଁ ମରଯାୱାଁ’। ଏଥିରେ ତାଙ୍କର ନକାରାତ୍ମକ ଚରିତ୍ରଟି ବେଶ୍ ଆଦୃତ ହୋଇ ପାରିଥିଲା। ଏହା ପରେପରେ ‘ଲାଲ୍ ଇସ୍କ’, ‘ମେରି ଗୁଡ଼ିୟା’ ଓ ‘ସାବଧାନ ଇଣ୍ଡିଆ’ ଆଦି ଧାରାବାହିକ ଅଲିଶାଙ୍କୁ ଅଭିନୟ ଜଗତ୍ରେ ତିଷ୍ଠି ରହିବାର ପନ୍ଥା ଯୋଗାଇଥିଲେ। ଏହି ଅବସରରେ ସେ ହିନ୍ଦୀ ସିନେମା ପ୍ରତି ମନ ବଳେଇ ଗତବର୍ଷ ମୁକ୍ତିଲାଭ କରିଥିବା କ୍ଷୁଦ୍ର ଚଳଚ୍ଚିତ୍ର ‘ବ୍ଲାଇଣ୍ଡ୍ ଲଭ୍’ରେ ଦେଖାଦେଇଥିଲେ। ଏଥି ସହିତ ଚଳିତବର୍ଷର ସିନେମା ‘ଇସ୍କିୟତ୍’ରେ ମଧ୍ୟ ଅଲିଶାଙ୍କ ଅଭିନୟ ସଂକ୍ଷିପ୍ତ ହେଲେ ମଧ୍ୟ ଦର୍ଶକ ଖୁବ୍ ଗ୍ରହଣ କରିଛନ୍ତି। ସେହିପରି ସଂଗୀତ ଭିଡିଓ ‘ଖାମୋସିୟାଁ’ରେ ମଧ୍ୟ ତାଙ୍କ ଆବିର୍ଭାବ ବେଶ୍ ପ୍ରଭାବୀ ହୋଇପାରିଛି।