୨ ଦିନରେ ହାଉସଫୁଲ-୪ ର ଟ୍ରେଲର ଦେଖିଲେ ୩୦କୋଟି ଦର୍ଶକ, ପୂର୍ବଜନ୍ମ ସହ କମେଡି ତଡକା

ମୁମ୍ବାଇ: ବହୁ ଚର୍ଚ୍ଚା, ଆଲୋଚନା ପରେ ରିଲିଜ୍ ହୋଇଥିଲା କମେଡି – ଡ୍ରାମା ଫିଲ୍ମ ‘ହାଉସ୍ଫୁଲ୍ – ଫୋର୍’ର ପ୍ରଥମ ଟ୍ରେଲର୍ । ତେବେ ଏହି ଟ୍ରେଲରକୁ ଦର୍ଶକଙ୍କ ଭରପୁର ସମର୍ଥନ ମିଳିଛି | ଦୁଇ ଦିନରେ ଟ୍ରେଲରକୁ ୩୦ କୋଟି ଥର ଦେଖାଯାଇଛି | ଗୋଟେ ନୁହେଁ ଏକାଥରକେ ତିନି ତିନିଟି ଷ୍ଟାର ଯୋଡି ଦେଖିବାକୁ ମିଳିବ ପର୍ଦ୍ଦା ଉପରେ । ଖିଲାଡି ବୟ ଅକ୍ଷୟ କୁମାରଙ୍କ ସହ କ୍ରିତି ସାନୋନ୍, ସୋବର୍ ବୟ ରିତେଶଙ୍କ ସହ ପୂଜା ହେଗଡେ ଏବଂ ଅଭିନେତା ବବି ଦେଓଲଙ୍କ ସହ ନାୟିକା କ୍ରିତି ଖର୍ବନ୍ଧାଙ୍କୁ ଦେଖିବାକୁ ମିଳିବ । ହେଲେ ଏମାନଙ୍କ ପ୍ରେମ ସମ୍ପର୍କରେ ରହିଛି ଟୁଇଷ୍ଟ । ଆଜି ଠାରୁ ୬୦୦ ବର୍ଷ ତଳର କାହାଣୀ । ଜଣେ ରାଜାଙ୍କ ତିନି ରାଜକୁମାରୀଙ୍କ ଆୟୋଜନ ହୁଏ ସ୍ୱୟମ୍ବର ।

ଆଉ ସେମାନଙ୍କୁ ବିବାହ ପାଇଁ ଜଣେ ରାଜକୁମାର ଜଣେ ନର୍ତ୍ତକୀ ଏବଂ ଜଣେ ବୀର ଆସନ୍ତି ସାମ୍ନାକୁ । ଏହି ତିନି ରାଜକୁମାରୀ ଓ ସେହି ତିନି ଯୁବକ ପୁଣିଥରେ ପୁନର୍ଜନ୍ମ ନେଇ ପୁଣି ଏକାଠି ହୁଅନ୍ତି ୨୦୧୯ରେ । ହେଲେ ଏଥର ଏମାନଙ୍କ ଯୋଡି ବଦଳି ଯାଇଥାଏ । ମାତ୍ର ଏମାନଙ୍କୁ ଭିତରୁ ଜଣଙ୍କୁ ସ୍ମରଣ ଥାଏ ସେହି ପୂର୍ବ ଜନ୍ମର କଥା । ଯାହାକୁ ନେଇ ଆରମ୍ଭ ହୁଏ କନଫ୍ୟୁଜନ ।


ରିଲିଜ୍ ହୋଇଥିବା ସାଢେ ତିନି ମିନିଟର ଏହି ଟ୍ରେଲରରେ ଦେଖିବାକୁ ମିଳିଛି କମେଡିରେ ଭରପୁର୍ ଡାଏଲଗ୍ ଆଉ ଷ୍ଟାର୍ ମାନଙ୍କ ପୂର୍ବଜନ୍ମ ସହ କନେକ୍ସନ୍ । ଫିଲ୍ମରେ ଚଙ୍କି ପାଣ୍ଡେ, ଜନି ଲିଭର୍, ନୱାଜୁଦ୍ଧିନ୍ ସିଦ୍ଧିକି ଏବଂ ରାନା ଡାଗୁବତିଙ୍କୁ ମଧ୍ୟ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମରେ ଅକ୍ଷୟ କୁମାର୍ ଲଣ୍ଡନରେ ରହୁଥିବା ଜଣେ ବ୍ୟକ୍ତି ଯାହାକୁ ୬୦୦ ବର୍ଷ ତଳର ନିଜ ପୂର୍ବଜନ୍ମ କାହାଣୀ ମନେ ପଡିଯାଏ । ନିଜ ବନ୍ଧୁଙ୍କ ସହ ମିଶି ଏହି ପୂର୍ବଜନ୍ମର ସମସ୍ୟାର ସମାଧାନ କରନ୍ତି । ସାଜିଦ୍ ନାଡିଆଡ୍ୱାଲାଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଫର୍ହାଦ୍ ସମ୍ଜି । ହାଉସଫୁଲ – ଫୋର୍ ୨୬ ଅକ୍ଟୋବରରେ ପରଦାକୁ ଆସିବ ।

ସମ୍ବନ୍ଧିତ ଖବର