ମୁମ୍ବାଇ: ନଭେମ୍ବର ୧ରେ ଇଟାଲୀରେ ବରୁଣ-ଲାବନ୍ୟାଙ୍କ ବିବାହ ହୋଇଥିଲା। କିଛି ଦିନ ହେଲାଣି ସାଉଥ ଷ୍ଟାର ବରୁଣ ତେଜଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଜୁନ୍ ୯ରେ ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀଙ୍କ ସହ ନିର୍ବନ୍ଧ କରିଥିଲେ ବରୁଣ। ନିର୍ବନ୍ଧ ସରିବା ପରେ ନଭେମ୍ବର ୧ରେ ଦୁହେଁ ଇଟାଲୀରେ ବିବାହ କରିଥିଲେ । ଉଭୟଙ୍କ ପରିବାରର ଉପସ୍ଥିତିରେ ବରୁଣ ଓ ଲାବନ୍ୟା ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏହି ବିବାହ ପାଇଁ ଦୁହେଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ତାହା ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ମୁତାବକ, ଲାବନ୍ୟା ବିବାହରେ ୧୦ଲକ୍ଷ ଟଙ୍କାର ଶାଢ଼ି ପିନ୍ଧିଥିଲେ। ଏହା ସହ ଉଭୟ ପରସ୍ପରକୁ ମୋଟ ୫୦ଲକ୍ଷ ମୂଲ୍ୟର ମୁଦି ପିନ୍ଧାଇଥିଲେ। ଏସବୁ ଖର୍ଚ୍ଚ ସହ ଅତିଥିଙ୍କ ରହିବା-ଖାଇବା ବ୍ୟବସ୍ଥା ଓ ବିବାହର ସମସ୍ତଙ୍କ ଖର୍ଚ୍ଚ ମିଶାଇ ଦୁହେଁ ୧୦କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଅଭିନେତା ତଥା ନିର୍ମାତା ନାଗେନ୍ଦ୍ର ବାବୁଙ୍କ ପୁଅ ବରୁଣ ତେଜ ୨୦୧୪ରେ ଫିଲ୍ମ 'ମୁକୁନ୍ଦ' ସହ ଡେବ୍ୟୁ କରିଥିଲେ। ଏହା ପରେ ସେ 'ଫିଦା', 'କାଞ୍ଚେ', 'ଲୋଫର୍', ଏବଂ 'ଏଫ୍୩: ଫନ୍ ଆଣ୍ଡ ଫ୍ରଷ୍ଟ୍ରେସନ' ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଅପରେସନ୍ ଭାଲେଣ୍ଟାଇନ୍' ଚଳିତ ବର୍ଷ ଡିସେମ୍ବର ୮ ରେ ମୁକ୍ତିଲାଭ କରିବାକୁ ଯାଉଛି।
ତେବେ ବରୁଣ ତେଜ ଏବଂ ଲାବନ୍ୟା ତ୍ରିପାଠୀ ୨୦୧୬ରେ ଫିଲ୍ମ ‘ମିଷ୍ଟର’ର ସୁଟିଂ ସେଟରେ ପରସ୍ପରକୁ ଭେଟିଥିଲେ(ଯାହା ୨୦୧୭ରେ ମୁକ୍ତିଲାଭ କରିଥିଲା)। ଦୁହେଁ ଏହି ଫିଲ୍ମର ସୁଟିଂ ସମୟରେ ପରସ୍ପର ସହ ବନ୍ଧୁତା କରିଥିବା ବେଳେ ପରେ ଏହା ଭଲପାଇବାରେ ପରିଣତ ହୋଇଥିଲା। ସେବେଠାରୁ ଦୁହେଁ ପରସ୍ପରକୁ ଡେଟ କରୁଥିଲେ ବି ନିଜ ସମ୍ପର୍କକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିଥିଲେ।