ମୁମ୍ବାଇ: ବଲିଉଡ଼୍ର ଲୋକପ୍ରିୟ ନାୟିକା କଙ୍ଗନା ରାନାଓ୍ଵତ୍ ପୁଣି ଥରେ ସୁପରଷ୍ଟାର୍ ରିତିକ୍ ରୋଶନଙ୍କ ସହ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ହଁ, କଙ୍ଗନା ରାନାଓ୍ଵତ୍ ଯେତେବେଳ ଜାଣିଲେ ଯେ ରିତିକ୍ ରୋଶନ୍ଙ୍କ ନୂଆ ସିନେମା ‘ସୁପର-୩୦’ ଜୁଲାଇ ୨୬ରେ ରିଲିଜ୍ ହେବ ଯାହାର କଥାବସ୍ତୁ ବିହାରର ପ୍ରସିଦ୍ଧ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ, ସେମିତି ସେ ନିଜର ଆଗାମୀ ଫିଲ୍ମ ‘ମେଣ୍ଟାଲ୍ ହେ କ୍ୟା’କୁ ବି ସେହି ଜୁଲାଇ ୨୬ରେ ରିଲିଜ୍ କରିବାକୁ ନିଷ୍ପତି ନେଇଛନ୍ତି। ପୂର୍ବରୁ ଏହା ଆଗାମୀ ଜୁନ୍ ୨୧ ତାରିଖରେ ରିଲିଜ୍ ହେବାର ଥିଲା।
‘ମେଣ୍ଟାଲ୍ ହେ କ୍ୟା’ରେ କଙ୍ଗନାଙ୍କ ସହ ଜଣାଶୁଣା ଅଭିନେତା ରାଜ କୁମାର ରାଓ ଅଛନ୍ତି ମୁଖ୍ୟ ଭୂମିକାରେ।ଏ ସିନେମାର ରିଲିଜ୍ ତାରିଖ ଘୁଞ୍ଚାଯିବା ସଂପର୍କରେ ଫ୍ୟାନ୍ମାନଙ୍କୁ ଜଣାଇବା ଉଦ୍ଦେଶ୍ୟରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏକ ନୂଆ ମୋସନ୍ ପୋଷ୍ଟର ଜାରି କରାଯାଉଥିବା କୁହାଯାଉଛି। ଏଥିରେ ନାୟକ ରାଜ କୁମାର ରାଓ ଏବଂ ନାୟିକା କଙ୍ଗନା ରାନାଓ୍ଵତଙ୍କୁ ଭୟାନକ ଶୈଳୀରେ ଦେଖିବାକୁ ମିଳିବ।
ବାଲାଜୀ ମୋସନ ପିକଚର୍ସ ବ୍ୟାନରରେ ନିର୍ମିତ ‘ମେଣ୍ଟାଲ୍ ହେ କ୍ୟା’ର ନିର୍ଦ୍ଦେଶକ ହେଲେ ପ୍ରକାଶ କୋବେଲାଯୁଦୀ। ରିତିକ୍ ଏବଂ କଙ୍ଗନାଙ୍କ ରିଲିଜ୍ ଲଢ଼େଇ ରେ କିଏ ବାଜିମାତ୍ କରୁଛନ୍ତି , ତାହା ଦେଖିବାକୁ ବାକି ରହିଲା।