ବଲିଉଡ୍‌ର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ରାକେଶ ରୋଶନକୁ କର୍କଟ, ଇନ୍‌ଷ୍ଟାରେ ଜଣାଇଲେ ପୁଅ ହ୍ରିତିକ୍‌

ମୁମ୍ବାଇ: ହ୍ରିତିକ୍‌ ରୋଶନଙ୍କ ବାପା ତଥା ବଲିଉଡ୍ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, କାହାଣୀକାର ଓ ଚିତ୍ରନାଟ୍ୟ ଲେଖକ ରାକେଶ ରୋଶନ ଗଳା କର୍କଟ ରୋଗରେ ଆକ୍ରାନ୍ତ ବୋଲି ହ୍ରିତିକ୍‌ ଇନ୍‌ଷ୍ଟାଗ୍ରାମରେ ନିଜ ବାପାଙ୍କ ସହ ଏକ ଫଟୋ ଦେଇ ପ୍ରକାଶ କରିଛନ୍ତି। ସେ କର୍କଟର ପ୍ରାଥମିକ ସ୍ତରରେ ଅଛନ୍ତି। ଅଭିନେତା ତଥା ନିର୍ଦ୍ଦେଶକ ରାକେଶ ରୋଶନ ଗତ କିଛି ସପ୍ତାହ ହେବ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି।

ଅଭିନେତା ହ୍ରିତିକ୍‌ ବାପାଙ୍କ ସହ ଜିମ୍‌ର ଏକ ଫଟୋ ଦେଇ ଲେଖିଛନ୍ତି କି ‘ଆଜି ସକାଳୁ ମୁଁ ଏକ ଫଟୋ ପାଇଁ ମୋ ବାପାଙ୍କୁ ପଚାରିଲି। ଯଦିଓ ମୋତେ ଜଣାଥିଲା କି ଅସ୍ତ୍ରୋପଚାର ଦିନରେ ସେ ଜିମ୍‌ ଯିବେ ନାହିଁ। ସିଏ ହେଉଛନ୍ତି ମୋ ଜାଣିବା ଭିତରେ ସବୁଠାରୁ ଶକ୍ତ ବ୍ୟକ୍ତି। କିଛି ସପ୍ତାହ ହେଲା ସେ ଗଳା କର୍କଟର ପ୍ରାଥମିକ ସ୍ତର ଦେଇ ଗତି କରୁଛନ୍ତି। ମାତ୍ର ଏବେ ବି ଯୁଦ୍ଧ ଜିଣିବା ପାଇଁ ପୂରା ଶକ୍ତିର ସହ ଅଛନ୍ତି। ଆମେ ସୌଭାଗ୍ୟବାନ ଯେ ତାଙ୍କ ପରି ଜଣେ ବ୍ୟକ୍ତିଙ୍କୁ  ଆମେ ପରିବାରର ମୁଖ୍ୟ ଭାବେ ପାଇଛୁ।’

 

ଉଲ୍ଲେଖଯୋଗ୍ୟ, ରାକେଶ ରୋଶନ ଜଣେ ଅଭିନେତା ସହ ନିର୍ଦ୍ଦେଶକ, ପ୍ରଯୋଜକ, କାହାଣୀକାର ଓ ଚିତ୍ରନାଟ୍ୟ ଲେଖକ ମଧ୍ୟ। ତାଙ୍କ ନିର୍ଦ୍ଦେଶିତ ପ୍ରସିଦ୍ଧ ଚଳଚ୍ଚିତ୍ରଗୁଡ଼ିକ ଭିତରେ ରହିଛି ‘ଖୁଦ୍‌ ଗର୍ଜ’, ‘କାଲା ବାଜାର’, ‘କିସନ କହ୍ନେଇୟା’, ‘ଖେଲ୍‌’, ‘କିଙ୍ଗ୍‌ ଅଙ୍କଲ୍‌’, ‘କୋଏଲା’, ‘କରଣ ଅର୍ଜୁନ’, ‘କହୋନା ପ୍ୟାର୍‌ ହେ’, ‘କୋଇ ମିଲ ଗୟା’, ‘କ୍ରିସ’ ଏବଂ ‘କ୍ରିସ୍‌-୩’ ‘ଖୁନ୍‌ ଭରି ମାଙ୍ଗ’ ଇତ୍ୟାଦି। କୁହାଯାଏ ଯେ ସେ ନିର୍ଦ୍ଦେଶନା ଦେଇଥିବା ଗୋଟାଏ ବି ଚଳଚ୍ଚିତ୍ର ଏଯାବତ୍‌ ଫ୍ଲପ୍‌ ହୋଇ ନାହିଁ। ପ୍ରଯୋଜକ ଭାବେ ଏହି ଉପରୋକ୍ତ ସିନେମାଗୁଡ଼ିକ ବ୍ୟତୀତ ତାଙ୍କର ଶେଷ ସିନେମା ହେଉଛି ‘କାବିଲ୍‌’। ଆଗକୁ ତାଙ୍କର ‘କ୍ରିସ୍‌-୪’ ଚଳଚ୍ଚିତ୍ର ଆସିବାର ସୂଚନା ରହିଛି। ବିଶେଷ କଥା ହେଉଛି ରାଶେକ ରୋଶନଙ୍କ ପ୍ରତ୍ୟେକ ଚଳଚ୍ଚିତ୍ରର ନାମ ଇଂରାଜି ଅକ୍ଷର ‘କେ’ରୁ ଆରମ୍ଭ।

ତାଙ୍କ ଅଭିନୀତ ପ୍ରସିଦ୍ଧ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ଆଖିର କିୟୁଁ’, ‘ଖୁନ୍‌ ଭରି ମାଙ୍ଗ୍‌’, ‘କୋଇ ମିଲ ଗୟା’,‘ହୋଟେଲ୍‌’, ‘କାମ ଚୋର୍‌’ ଇତ୍ୟାଦି।

ସମ୍ବନ୍ଧିତ ଖବର