ସଲ୍‌ମନ ନିଜକୁ ସବୁବେଳେ ପୀଡ଼ିତ ବୋଲି ଭାବନ୍ତି: ହ୍ରିତିକ୍‌

କ୍ରିସ୍‌ ସୁପରହିରୋ ହ୍ରିତିକ୍‌ ରୋଶନ ଥରେ କହିଥିଲେ ଯେ ସଲ୍‌ମାନ୍‌ ଖାନ୍‌ଙ୍କର ‘ଭିକ୍ଟିମ୍‌ ସିଣ୍ଡ୍ରୋମ୍‌’ ରହିଛି । ସେ ନିଜକୁ ସବୁବେଳେ ପୀଡ଼ିତ ବୋଲି ଭାବନ୍ତି। ୨୦୧୧ ମସିହା ଜାନୁଆରି ମାସରେ ‘କଫି ୱିଥ୍‌ କରନ୍‌’ ଟକ୍‌ ସୋ’ରେ ହ୍ରିତିକ୍‌ ନିଜ ପୂର୍ବତନ ପତ୍ନୀ ସୁସାନେ ଖାନ୍‌ଙ୍କ ସହ ଯୋଗ ଦେଇ ଏହା କହିଥିଲେ। ଏହାର ରାପିଡ୍‌ ଫାୟାର୍‌ ରାଉଣ୍ଡ୍‌ରେ କରନ୍‌ ପଚାରିଥିଲେ, ତୁମେ ଯଦି ସତରେ ଜଣେ ସୁପରହିରୋ ହୋଇଥାନ୍ତ, ତେବେ ସଲ୍‌ମନ୍‌ଙ୍କ କେଉଁ ଗୁଣ ତାଙ୍କଠାରୁ କାଢ଼ି ‌ଦେବାକୁ ଇଚ୍ଛା କରିଥାନ୍ତ? ଏହାର ଉତ୍ତରରେ ହ୍ରିତିକ୍‌ କହିଥିଲେ, ଆମେ ସମସ୍ତେ ଜାଣିଛେ, ସଲ୍‌ମନ୍‌ଙ୍କୁ ସମସ୍ତେ କେତେ ଭଲ ପାଅନ୍ତି। କିନ୍ତୁ ସଲ୍‌ମନ୍‌ ସବୁବେଳେ ଏମିତି ଅନୁଭବ କରନ୍ତି, ଯେମିତି ତାଙ୍କ ବିରୁଦ୍ଧରେ ଅନ୍ୟମାନେ ଷଡ଼ଯନ୍ତ୍ର ରଚି ଚାଲିଛନ୍ତି। ଏଣୁ ମୋ ପାଖେ ଶକ୍ତି ଥିଲେ ମୁଁ ତାଙ୍କର ଏହି ଭାବନାକୁ ତାଙ୍କ ମନରୁ କାଢ଼ି ଦେଇଥାନ୍ତି।

ପ୍ରକାଶଯୋଗ୍ୟ, ହ୍ରିତିକ୍‌ଙ୍କ ପ୍ରଥମ ଚଳଚ୍ଚିତ୍ର ‘ କହୋ ନା ପ୍ୟାର୍‌ ହୈ’ ପାଇଁ ସଲ୍‌ମନ୍‌ ହ୍ରିତିକ୍‌ଙ୍କୁ ବଡି ବିଲ୍ଡିଂରେ ସହଯୋଗ କରିଥିଲେ। ଏହାପରେ ସେମାନଙ୍କ ବନ୍ଧୁତ୍ବ ଭଲ ଜମିଥିଲା। କିନ୍ତୁ ହ୍ରିତିକ୍‌ଙ୍କ ଅଭିନୀତ ସଞ୍ଜୟ ଲୀଲାବଂଶାଲୀଙ୍କ ଚଳଚ୍ଚିତ୍ର ‘ଗୁଜାରିସ୍‌’ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ସେମାନଙ୍କ ବନ୍ଧୁତ୍ବରେ ଭଟ୍ଟା ପଡ଼ିଥିଲା।

ସମ୍ବନ୍ଧିତ ଖବର