ନୂଆଦିଲ୍ଲୀ: ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ହ୍ରିତିକ ରୋଶନ ଏବଂ ପ୍ରୀତି ଜିଣ୍ଟାଙ୍କ ଫିଲ୍ମ ‘କୋଇ ମିଲ ଗୟା’ ସେସମୟର ଏକ ସୁପରହିଟ ସିନେମା ବନି ପାରିଥିଲା। ଲୋକମାନେ ଏହି ଚଳଚ୍ଚିତ୍ରରେ ଏଲିଏନ୍ ବା ପରଗ୍ରହୀ ଜୀବର ଚରିତ୍ରକୁ ବହୁତ ପସନ୍ଦ କରିଥିଲେ। ‘କୋଇ ମିଲ ଗୟା’ ଚଳଚ୍ଚିତ୍ରରେ ଟିନା ନାମକ ଜଣେ କୁନି ଝିଅର ଚରିତ୍ର ନିଭାଇଥିବା କଳାକାରଙ୍କୁ ଆପଣ ଜାଣନ୍ତି କି? ଅଧିକାଂଶ ଲୋକ ଏ ସଂପର୍କରେ ଅବଗତ ଯେ ସେହି କୁନି ଝିଅ ବଡ଼ ହୋଇ ସାଉଥ୍ର ଜଣେ ଲେଡି ସୁପର୍ଷ୍ଟାର୍ ହଂସିକା ମୋଟୱାନି ଭାବେ ପରିଚିତ।
କୁନି ବୟସରୁ ଲୋକଙ୍କ ମନରେ ରାଣୀ ସାଜିଥିବା ହଂସିକା ଆଜି ଦକ୍ଷିଣ ଭାରତୀୟ ସିନେମାର ଜଣେ ଜଣାଶୁଣା ଅଭିନେତ୍ରୀ ହୋଇ ପାରିଛନ୍ତି। ଶିଶୁ କଳାକାର ଭାବେ ଲୋକ ତାଙ୍କୁ ଯେତିିକି ଭଲପାଇବା ଦେଇଥିଲେ, ଅଭିନେତ୍ରୀ ଭାବେ ବି ସେ ସେତିକି ଗ୍ରହଣୀୟତା ଗୋଟାଇ ଚାଲିଛନ୍ତି। ଏବେ ବର୍ଷ ମଧ୍ୟରେ ତାଙ୍କ ଚେହେରାରେ ଅନେକ ପରିବର୍ତ୍ତନ ଦେଇବାକୁ ମିଳିଛି।
ଚଳଚ୍ଚିତ୍ର ବ୍ୟତୀତ ହଂସିକା ଶିଶୁ କଳାକାର ଭାବରେ ଅନେକ ଟିଭି ସୋ’ରେ ମଧ୍ୟ ଅଭିନୟ କରିଛନ୍ତି। ସେ ୧୯୯୧ ମସିହା ଅଗଷ୍ଟ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଟିଭିରେ ଦେଉଥିବା ‘ସାକା ଲାକା ବୁମ୍ ବୁମ୍’ରେ ବି ତାଙ୍କୁ ଦେଖିବାକୁ ମିଳିଥିଲା। ଏହା ହଂସିକାଙ୍କର ପ୍ରଥମ ଟିଭି ସୋ ଥିଲା। ଏହା ପରେ ସେ ହ୍ରିତିକ ରୋଶନ ଏବଂ ପ୍ରୀତି ଜିଣ୍ଟାଙ୍କ ଫିଲ୍ମ ‘କୋଇ ମିଲ ଗୟା’ରେ ନଜର ଆସିଥିଲେ।
ସେ ମାତ୍ର ୧୫ ବର୍ଷ ବୟସରେ ତେଲୁଗୁ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ। ପରେ ପରେ ସେ ହିମେଶ ରେଶମିଆଙ୍କ ସହ ‘ଆପ୍ କା ସୁରୁର’ ଫିଲ୍ମରେ ବି ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ହଂସିକାଙ୍କୁ ଦେଖିବା ପରେ ଲୋକମାନେ ଏକଦମ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।